୪ର୍ଥ ଦିନରେ ଶୀତଳ ଭଣ୍ଡାର ମାଲିକ ସଂଘ ଆନ୍ଦୋଳନ : ରାଜରାସ୍ତାରେ ଆତ୍ମାହୁତି ଧମକ

ଭୁବନେଶ୍ବର : ରାଜ୍ୟ ଶୀତଳଭଣ୍ଡାର ମାଲିକ ସଂଘର ଆନ୍ଦୋଳନକୁ ୪ଦିନ ବିତିଲା। ମାତ୍ର ସରକାର ସଂଘ ସହ କୌଣସି ଆଲୋଚନା କରିନାହାନ୍ତି। ଫଳରେ ଆଗକୁ ଏହି ଆନ୍ଦୋଳନ ଆହୁରି ଭୟଙ୍କର ରୂପ ନେବ ବୋଲି ସଂଘ ଚେତାବନୀ ଦେଇଛି। ମୋଟ୍ ୩୯ ଶୀତଳଭଣ୍ଡାର ବନ୍ଦ ରହିବା ଦ୍ବାରା ରାଜ୍ୟର ଲକ୍ଷଲକ୍ଷ ପନିପରିବା ଚାଷୀ ଘୋର କ୍ଷତିଗ୍ରସ୍ତ ହେବେ ଓ ଏଥିପାଇଁ ସରକାର ଦାୟୀ ରହିବେ। ୩ବର୍ଷ ହେଲା ବିପୁଳ କ୍ଷତି ସହି ଆସିଥିବା ଶୀତଳଭଣ୍ଡାର ମାଲିକମାନେ ଶେଷରେ ବାଧ୍ୟ ହୋଇ ରାଜରାସ୍ତାରେ ଆତ୍ମାହୁତି ଦେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଚରମ ଚେତାବନୀ ଦେଇଛନ୍ତି।

ସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ, ୨୦୧୪ ମସିହାରେ ଆଳୁ ମିସନ୍ ଆହ୍ବାନରେ ସେମାନେ ଶୀତଳ ଭଣ୍ଡାର ନିର୍ମାଣ କରିଥିଲେ। ସର୍ତ୍ତ ଥିଲା ନିର୍ମାଣ ଖର୍ଚ୍ଚଠାରୁ ଆରମ୍ଭ କରି ବିଦ୍ୟୁତ୍ ବିଲ୍ ଦେୟ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରିହାତି ପ୍ରଦାନ କରାଯିବ। କିନ୍ତୁ ନିର୍ମାଣ ବାବଦରେ ପ୍ରାୟ ୮କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସର୍ତ୍ତାନୁଯାୟୀ ୪ କୋଟି ଟଙ୍କା ରିହାତି ସ୍ଥାନରେ ମାତ୍ର ୨କୋଟି ୨୦ ଲକ୍ଷ ଟଙ୍କା ମିଳିଥିଲା। ସେହିଭଳି ସର୍ତ୍ତାନୁସାରେ ଶୀତଳଭଣ୍ଡାର କ୍ଷମତାର ୫୦% ରାଜ୍ୟ ଆଳୁ ଚାଷୀମାନଙ୍କ ଦ୍ବାରା ପୂରଣ ହୋଇପାରିଲା ନାହିଁ। ସରକାରଙ୍କ ଆଳୁ ମିସନ୍‌ ଅର୍ଥାତ୍ ୨୦୧୫-୧୬ ଆର୍ଥିକ ବର୍ଷ ପରଠାରୁ ରାଜ୍ୟରେ ଆଳୁ ଚାଷ କମିବାରେ ଲାଗିଲା। ମିସନ୍ ପୂର୍ବରୁ ରାଜ୍ୟରେ ୨ ଲକ୍ଷ ମେଟ୍ରିକ୍ ଟନ୍‌ ଉତ୍ପାଦନ ହେଉଥିବା ବେଳେ ମିସନ୍ ପରଠାରୁ ଏହା ହ୍ରାସ ପାଇ ଦେଢ଼ ଲକ୍ଷ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଲା। ଶୀତଳଭଣ୍ଡାର ଖାଲି ପଡ଼ିବାରୁ ସେମାନେ ବାଧ୍ୟ ହୋଇ ପଶ୍ଚିମବଙ୍ଗରୁ ଆଳୁ କିଣି ଶୀତଳଭଣ୍ଡାର ଚାଲୁ ରଖିଲେ। ଫଳରେ ବିଦ୍ୟୁତ୍ ବିଲ୍ ବାବଦରେ ୫୦% ରିହାତି ପାଇଲେ ନାହିଁ। ସେହିଭଳି କିଣାବିକା, ପରିବହନ, ସଂରକ୍ଷଣ ଆଦିରେ ସେମାନେ ବିପୁଳ ବ୍ୟୟ କରିବା ପରେ ପଶ୍ଚିମବଙ୍ଗ ବେପାରୀଙ୍କ ବଜାର ଦର ନିୟନ୍ତ୍ରଣ କ୍ଷମତା ଆଗରେ ହାର୍ ମାନି କ୍ଷତି ସହିଲେ। ଫଳରେ ୩ ବର୍ଷ ହେଲା ପ୍ରତ୍ୟେକ ମାଲିକ ବାର୍ଷିକ ପ୍ରାୟ କୋଟିଏ ଟଙ୍କା ଲେଖାଏଁ କ୍ଷତି କରି ଆସିଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ବହୁ ମାଲିକ ବ୍ୟାଙ୍କ ଋଣ ଶୁଝିବାରେ ଅସମର୍ଥ ହୋଇଛନ୍ତି ଓ ବ୍ୟାଙ୍କ ପକ୍ଷରୁ ନିଲାମ ନୋଟିସ୍ ମିଳିଗଲାଣି।

ଏ ବାବଦରେ ସଂଘ ସରକାରଙ୍କ ସହ ବାରମ୍ବାର ଆଲୋଚନା କରି ବିଫଳ ହେବାରୁ ୨୨ତାରିଖଠାରୁ ୮ ଦଫା ଦାବିରେ ଶୀତଳଭଣ୍ଡାର ସବୁ ବନ୍ଦ ରଖି ଆନ୍ଦୋଳନକୁ ଓହ୍ଳାଇଛି। ପ୍ରତି ଶୀତଳଭଣ୍ଡାରକୁ ୨କୋଟି ଟଙ୍କାର ସହାୟତା, ନିଃସର୍ତ୍ତ ବିଦ୍ୟୁତ୍ ବିଲ୍ ରିହାତି(୫୦%) ପ୍ରଦାନ, ବ୍ୟାଙ୍କ ଋଣର ସୁଧହାର ହ୍ରାସ ଆଦି ମୁଖ୍ୟ ଦାବି ରହିଛି। ନଚେତ୍ ସରକାର ସମସ୍ତ ଶୀତଳଭଣ୍ଡାରଗୁଡ଼ିକୁ ମାଲିକମାନଙ୍କଠାରୁ ଭଡ଼ାରେ ନିଜ ହାତକୁ ନେଇ ଚଲାନ୍ତୁ ବୋଲି ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର