ପ୍ରମୁଖ ସଚିବଙ୍କ ସହିତ ସଂଘ କର୍ମକର୍ତାଙ୍କ ଆଲୋଚନା, କୃଷି ବିଭାଗ ହାତରେ ଶୀତଳ ଭଣ୍ଡାର ପୁନରୁଦ୍ଧାର ଭାଗ୍ୟ

ଭୁବନେଶ୍ବର: ୧୦ ଦଫା ପ୍ରସ୍ତାବ ନେଇ ଓଡ଼ିଶା ଶୀତଳ ଭଣ୍ଡାର ମାଲିକ ସଂଘର କର୍ମକର୍ତାମାନେ କୃଷି ଓ ଉଦ୍ୟାନ ବିଭାଗ ପଦାଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ସଂଘର ୧୦ ସୂତ୍ରୀ ପ୍ରସ୍ତାବ ମଧ୍ୟରୁ ରାଜ୍ୟ ସରକାର ୩ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବା ଦିଗରେ ତ୍ବରିତ ପଦକ୍ଷେପ ନେବେ। ସଂଘର କର୍ମକର୍ତାମାନଙ୍କୁ ଏଭଳି ଆଶ୍ବାସନା ଶୁଣାଇଛନ୍ତି ବିଭାଗୀୟ ପ୍ରମୁଖ ସଚିବ ଡ. ସୌରଭ ଗର୍ଗ। ଯଦି ଅବଶିଷ୍ଟ ପ୍ରସ୍ତାବଗୁଡ଼ିକ ଉପରେ ନିର୍ଣ୍ଣୟାତ୍ମକ ନିଷ୍ପତ୍ତି ନିଆନଯାଏ, ଦରମରା ଅବସ୍ଥାରେ ଥିବା ଶୀତଳ ଭଣ୍ଡାରଗୁଡ଼ିକର ପୁନରୁଦ୍ଧାର ସମ୍ଭବ ନୁହେଁ ବୋଲି ସଂଘ ସ୍ପଷ୍ଟ କରିଦେଇଛି।

ଆଜି ଓଡ଼ିଶା ଶୀତଳ ଭଣ୍ଡାର ସଂଘ ପକ୍ଷରୁ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୧୦ ଦଫା ପ୍ରସ୍ତାବ ଜରିଆରେ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ସ୍ଥିର ହୋଇଥିଲା। ଅପରାହ୍ଣରେ ସଂଘର କର୍ମକର୍ତାମାନେ କୃଷି ଭବନ ଯାଇ କୃଷି ବିଭାଗର ପ୍ରମୁଖ ସଚିବ ଡ. ଗର୍ଗଙ୍କ ସହିତ ୧୦ ଦଫା ପ୍ରସ୍ତାବ ଉପରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ। ଆଲୋଚନା ବେଳେ ଶୀତଳ ଭଣ୍ଡାର ନିମନ୍ତେ ସୁଧ ଉପରେ ଅଧିକ ରିହାତି, ବିଜୁଳି ଉପରେ ସବ୍‌ସିଡି ନିୟମାବଳ‌ୀରେ ପରିବର୍ତନ ଓ ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଗଚ୍ଛିତ ରଖିବା ପାଇଁ ସବ୍‌ସିଡି ପ୍ରଦାନ ଭଳି ୩ଟି ପ୍ରସ୍ତାବ ଉପରେ ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯିବ ବୋଲି ପ୍ରମୁଖ ସଚିବ ସେମାନଙ୍କୁ ଆଶ୍ବାସନା ଦେଇଥିଲେ। ପରେ ସଂଘର କର୍ମକର୍ତାମାନେ ଉଦ୍ୟାନ ବିଭାଗ କୃଷି ନିର୍ଦେଶକ ବିଜୟ କେତନ ଉପାଧ୍ୟୟଙ୍କ ସହିତ ଆଲୋଚନା କରିଥିଲେ। ଆସନ୍ତା ଫେବ୍ରୁଆରି ମାସରେ ଆଳୁ ଅମଳ ଆରମ୍ଭ ହେବାକୁ ଥିବାରୁ ତା’ ପୂର୍ବରୁ କୃଷି ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଉପରେ ସେମାନେ ଗୁରୁତ୍ବାରୋପ କରିଥିଲେ। ସଂଘର ସଭାପତି ଶ୍ୟାମ ପଂସାରି, ସାଧାରଣ ସଂପାଦକ ଜନାର୍ଦନ ସାହୁ, ଉପ ସଭାପତି ପ୍ରଭାତ ତିବ୍ରୁଆଲ୍‌, ରଞ୍ଜିତ ବଳ, ସୁରେଶ ସାହୁ ପ୍ରମୁଖ କୃଷି ବିଭାଗ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର