ନିୟମ ଭାଙ୍ଗି ୨୪ଘଣ୍ଟାରେ କୋଟିଏ ଗଣିଲେ

ସେପ୍ଟେମ୍ବର ପରେ ରାଜ୍ୟରେ ଦୁର୍ଘଟଣା କମିଛି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର/କଟକ : ରବିବାରଠାରୁ ସଂଶୋଧିତ ମୋଟର ଯାନ ଆଇନ ପୁଣିଥରେ କଡ଼ାକଡ଼ି ହେବା ପରେ ଗତ ୨୪ ଘଣ୍ଟା ଭିତରେ ୩୧୭୫ ଜଣ ଉଲ୍ଲଂଘନକାରୀ ଧରାପଡ଼ିଛନ୍ତି। ସେମାନଙ୍କଠାରୁ ୧କୋଟି ୬୪ ଲକ୍ଷ ଟଙ୍କା ଆଦାୟ ହୋଇଛି। ଏହି ପରିମାଣ କେବଳ ପରିବହନ ବିଭାଗ ସୂତ୍ରରୁ ମିଳିଛି। ପୁଲିସ ଆଦାୟ କରିଥିବା ଜରିମାନା ଅର୍ଥ ମିଶିଲେ ଏହି ପରିମାଣ ଆହୁରି ବଢ଼ିବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଟ୍ରାଫିକ ନିୟମ ଖିଲାପୀ ସ˚ଖ୍ୟା ଆଜିସୁଦ୍ଧା ୩ ହଜାର ୧୭୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୫୮୫ ଜଣ ହେଲ୍‌ମେଟ୍‌ ପିନ୍ଧି ନାହାନ୍ତି। ଗଲାକାଲିଠାରୁ ଆଜି ରାତି ୯ଟା ସୁଦ୍ଧା ଏଭଳି ଚିତ୍ର ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଛି।

ପରିବହନ କମିସନରଙ୍କ ନିର୍ଦ୍ଦେଶକ୍ରମେ ଆଜି ଦ୍ବିତୀୟ ଦିନରେ ଆର‌୍‌ଟିଓଙ୍କ ମାଧ୍ୟମରେ ଚଢ଼ଉ ଜାରି ରଖିଥିଲେ। ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚାଳନା ଅଭିଯୋଗରେ ୩୯ ଜଣ, ଦ୍ରୁତ ଗତିରେ ଗାଡ଼ିଚାଳନା ୩୫୬, ରଙ୍ଗରୁଟ୍‌ରେ ଗାଡ଼ିଚାଳନା ୫୭ ଜଣ, ତିନିଜଣିଆ ଗାଡ଼ି ଚାଳନା ୧୦୧, ଗାଡ଼ି ଚଳାଇଲା ବେଳେ ମୋବାଇଲ୍‌ ବ୍ୟବହାର ୫୦ ଜଣ, ହେଲ୍‌ମେଟ୍‌ ବ୍ୟବହାର କରିନଥିବା ୧୫୮୫, ବିନା ସିଟ୍‌ବେଲ୍ଟରେ ଗାଡ଼ିଚାଳନା ୧୪୭ ଜଣ ଚାଳକଙ୍କୁ ଚିହ୍ନଟ କରାଯାଇଛି। ତେବେ ସମ୍ବଲପୁରରେ ସର୍ବାଧିକ ୩୬୩, ଭୁବନେଶ୍ବର ୧ ଓ ୨ରେ ୩୦୦, ବାଲେଶ୍ବରର ୨୩୦, ବରଗଡ଼ର ୧୮୨ ଜଣ, ଗଞ୍ଜାମ ଜିଲ୍ଲାର ୨୮୬ ଜଣ ଏବ˚ ରାଉରକେଲାରେ ୧୩୨ ଜଣ ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରିଥିବା ଚାଳକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ୧ କୋଟି ୬୪ଲକ୍ଷ ଟଙ୍କାର ଚାଲାଣ କଟାଯାଇଥିବା କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଗତ ସେପ୍ଟେମ୍ବର ମାସରୁ ନୂଆ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଛି। ଯଦିଓ ରାଜ୍ୟ ସରକାର କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଦୁଇ ପର୍ଯ୍ୟାୟରେ ୬ ମାସ ସମୟ ଦେଇଥିଲେ। ଏହି କାରଣରୁ ୨୦୧୯ ସେପ୍ଟେମ୍ବର ପରଠାରୁ ରାଜ୍ୟରେ ଦୁର୍ଘଟଣା ହାର କମିଛି। ୨୦୧୭ ମସିହାରେ ରାଜ୍ୟରେ ୧୫୩୩ ଦୁର୍ଘଟଣା ଘଟିଥିବା ବେଳେ ମୃତାହତଙ୍କ ସଂଖ୍ୟା ୭୩୫ ରହିଥିଲା। ୨୦୧୮ରେ ୧୨୨୦ ଦୁର୍ଘଟଣା‌ରେ ୫୫୫ ମୃତାହତ ହୋଇଥିଲେ। ୨୦୧୯ରେ ଏହି ସଂଖ୍ୟା ଅପେକ୍ଷାକୃତ କମ୍‌ ରହିଥିବା ବେଳେ ସେପ୍ଟେମ୍ବର ପରଠାରୁ ପୂର୍ବ ମାସଗୁଡ଼ିକ ତୁଳନାରେ ଦୁର୍ଘଟଣା ଯଥେଷ୍ଟ କମ୍‌ ରହିଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ଗଣମାଧ୍ୟମକୁ ଏହି ସୂଚନା ଦେବା ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଆଇନ ମାନି ମୋଟା ଅଙ୍କର ଜରିମାନାରୁ ବର୍ତ୍ତିବା ସହ ଦୁର୍ଘଟଣା କମାଇବାରେ ସହାୟକ ହେବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ।

ଅନ୍ୟପକ୍ଷରେ, ଓ଼ଡ଼ିଶା ଭଳି ରାଜ୍ୟରେ ୧ କୋଟି ଟଙ୍କା ଫାଇନ ଆଦାୟ ଘଟଣା ସୂଚାଇ ଦେଉଛି ଯେ ୬ମାସ ସମୟ ମିଳିବା ପରେ ବି ଲୋକେ ଯେତିକି ସତର୍କ ହେବା କଥା ହେଇନାହାନ୍ତି।

ସମ୍ବନ୍ଧିତ ଖବର