୮୫ ବର୍ଷରେ ଓଡ଼ିଶା : ସ୍ବପ୍ନ ତ ଅନେକ, କିନ୍ତୁ ବାସ୍ତବତା ବଢ଼ାଉଛି ଚିନ୍ତା

ଭୁବନେଶ୍ବର: ଆଜି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ୮୫ ବର୍ଷରେ ପାଦ ଥାପିଛି । ମାତ୍ର ଓଡ଼ିଶା ମାଟି ମା’ର ଏହି ଜନ୍ମ ଦିବସ କରୋନା ମହାମାରୀ ପାଇଁ ଫିକା ପଡ଼ିଛି । ରାଜ୍ୟ ସରକାର କୋଭିଡ୍ କଟକଣା ଭିତରେ ଉତ୍କଳ ଦିବସ ପାଳନ କରିବାକୁ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହି ଅବସରରେ ସଭାସମିତି ଓ ସମାବେଶରେ ଜନସମାଗମ ଉପରେ ଅଙ୍କୁଶ ଲାଗିଛି। ଅତୀତରେ ଆମେ ଦେଖିଛେ, ଉତ୍କଳ ଦିବସ ଆସିଲେ ଅନେକ ବୁଦ୍ଧିଜୀବୀ, ଓଡ଼ିଆ ଓ ଓଡ଼ିଶା ପ୍ରେମୀ, ସରକାର ଚେଇଁ ଉଠନ୍ତି। ଅନେକ କଥା ଘୋଷଣା କରିପକାନ୍ତି। ମାତ୍ର କରୋନା ହାୱାରେ ଏଥର ସେଭଳି କିଛି ହୋଇପାରିବା ଭଳି ମନେ ହେଉନାହିଁ। ତେବେ ଗତ ବର୍ଷ ରାଜ୍ୟ ସରକାର ବହୁ ବର୍ଷର ପ୍ରତିଶ୍ରୁତିକୁ ସାକାର କହି ‘ବନ୍ଦେ ଉତ୍କଳ ଜନନୀକୁ..’କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି। ତେବେ ଓଡ଼ିଆ ଭାଷାକୁ ନେଇ ବହୁ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନାହିଁ  କିମ୍ବା  ଓଡ଼ିଶାର ଅଖଣ୍ଡତା ବଜାୟ ରଖିବା ଲାଗି ଉପାନ୍ତ ଅଞ୍ଚଳରେ ବିକାଶ ପହଞ୍ଚୁ ନାହିଁ, ଫଳରେ ଓଡ଼ିଆ ଲୋକେ ପଡ଼ୋଶୀ ରାଜ୍ୟରେ ସାମିଲ ହେବାକୁ ଆଗ୍ରହୀ ହେଉଛନ୍ତି।

ଯୋଜନା ଯେ ହେଉ ହେଉ ଫଳପ୍ରସୂ ହୋଇଯିବ ତାହା କୁହାଯାଇନପାରେ କିନ୍ତୁ ଆନ୍ତରିକତା ଓ ନିଷ୍ଠା କୌଣସି ଯୋଜନାକୁ କାର୍ଯ୍ୟରେ ପରିଣତ କରିବାରେ ବେଶି ସମୟ ନିଏ ନାହିଁ। ମାତ୍ର ଓଡ଼ିଶା ମାଟି କ୍ଷେତ୍ରରେ ତାହା ଯେମିତି ମରୀଚିକା ପାଲଟିଛି। ୬ ବର୍ଷ ତଳୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲାଣି। ମାତ୍ର ଆଜି ପର୍ଯ୍ୟନ୍ତ ଭାଷା କେବଳ ମାନ୍ୟତାରେ ହିଁ ସୀମିତ ରହିଯାଇଛି। ସୀମା ବିବାଦ ବି ଏ ପର୍ଯ୍ୟନ୍ତ ତୁଟି ପାରିଲା ନାହିଁ। କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ସହିତ ବହୁ ବାଦ ବିବାଦ ଲାଗି ରହିଥିବା ବେଳେ ବାଲେଶ୍ବର ଜିଲ୍ଲାର ବହୁ ସୀମାନ୍ତ ଗ୍ରାମଗୁଡ଼ିକ ଉପରେ ପଶ୍ଚିମବଙ୍ଗ ସରକାରର ଲୋଲୁପ ଦୃଷ୍ଟି ରହିଛି। ଛତିଶଗଡ଼ ସରକାର ଓଡ଼ିଶାର ଗଜମାର ପାହାଡ଼ ସହିତ ଝାରଗାଁକୁ ନିଜର ଦର୍ଶାଇ ପାହାଡ଼ କାଟି ଶିଳ୍ପ ସଂସ୍ଥା ପାଇଁ ବେଆଇନ ଭାବେ ରେଳ ଧାରଣା ବିଛାଇବାକୁ ଚେଷ୍ଟା କରୁଛି। ତେଣୁ ଓଡ଼ିଶା ପ୍ରଦେଶ ଏବେ ବି ତା’ର ସୀମାକୁ ସୁରକ୍ଷିତ ରଖିବାରେ ବିଫଳ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ଦକ୍ଷିଣରେ କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ଆନ୍ଧ୍ର ହାତେଇ ନେବାକୁ ବସିଥିବା ବେଳେ ଏଣେ ବରଗଡ଼ ଜିଲ୍ଲାର କେତେକ ଉପାନ୍ତ ଗ୍ରାମର ଲୋକେ ଓଡ଼ିଶା ଛାଡ଼ି ଛତିଶଗଡ଼ ଚାଲିଯିବାକୁ ବସିଛନ୍ତି। ମୂଳକଥା ଏସବୁ ଅଞ୍ଚଳରେ ଓଡ଼ିଶା ସରକାର ବିକାଶଧାରାକୁ ପହଞ୍ଚାଇବାକୁ ଅକ୍ଷମ ହୋଇଥିବା ବେଳେ ପଡ଼ୋଶୀ ରାଜ୍ୟର ସରକାର ଏଥିରେ ଅଧିକ ସଫଳ ହୋଇଛନ୍ତି। କୋଟିଆରେ ଓଡ଼ିଶା ସରକାର ଖୋଲିଛନ୍ତି ସ୍କୁଲ୍ କିନ୍ତୁ ଯୋଗାଇ ପାରୁନାହାନ୍ତି ଶିକ୍ଷକ। ଫଳରେ ଏହି ବିଫଳତାର ସୁଯୋଗ ନେଇଛି ଆନ୍ଧ୍ର। କିନ୍ତୁ ଆନ୍ଧ୍ର ସରକାରଙ୍କ ଦ୍ବାରା ନିଯୁକ୍ତିପ୍ରାପ୍ତ ଶିକ୍ଷକ କୋଟିଆରେ ପହଞ୍ଚି ନିୟମିତ ପଢ଼ାଉଛନ୍ତି ପାଠ। କୋଟିଆର ପିଲା ଓଡ଼ିଆ ସ୍କୁଲରେ ପଢ଼ୁଛନ୍ତି ତେଲୁଗୁ ଭାଷା। ଏହା ସ୍ପଷ୍ଟ କରୁଛି ଯେ ରାଜ୍ୟ ସରକାର ସେଠାରେ ଭାଷାକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ପୁଣି ଏ କଥା ମଧ୍ୟ କାହାକୁ ଅଛପା ନୁହେଁ କି ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଉକ୍ତ  ରାଜ୍ୟର ଭୋଟର ଭାବେ ମତଦାନ କରିଛନ୍ତି କୋଟିଆବାସୀ।

ସମାନ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ। ଓଡ଼ିଶାର ଅଧିବାସୀ ଏବେ ଛତିଶଗଡ଼ର ନାଗରିକ । ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ବିର୍ଜୁପାଲି ଗାଁ ନିକଟସ୍ଥ ଏକ ନାଳ ପାରିହେଲେ ଛତିଶଗଡ଼ର ମଧୁଢିପା ଗାଁ । ଏହି ମଧୁଢିପାର ସମସ୍ତ ବାସିନ୍ଦା ଓଡ଼ିଶାର । ଛତିଶଗଡରେ ଅଧିକ ସୁବିଧା ସୁଯୋଗ ମିଳୁଥିବାରୁ ବିର୍ଜୁପାଲି ଗାଁରୁ ପ୍ରାୟ ୪୦ ପରିବାର ଯାଇ ମଧୁଢିପାରେ ଘର କରି ରହୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ନିରବଚ୍ଛିନ୍ନ ବିଜୁଳି ସେବା, ଚାଷ ପାଇଁ ଜଳ ଯୋଗାଣ ଓ ମଣ୍ଡିରେ ସୁବ୍ୟବସ୍ଥା ଥିବାରୁ ସୀମାନ୍ତବାସୀ ଏବେ ଛତିଶଗଡ ମୁହାଁ ।ଛତିଶଗଡରେ ଭୋଟର ତାଲିକାରେ ନାମ ଉଠିବା ପରେ ସେମାନ ପାଉଥିବା ସୁବିଧା ଦେଖି ଧିରେ ଧିରେ ୩୫ରୁ ୪୦ ପରିବାର ଯାଇ ସେଠାରେ ସ୍ଥାୟୀ ବାସିନ୍ଦା ହେଲେଣି । ପୁଣି ସୋହେଲା ବ୍ଲକ ଅନ୍ତର୍ଗତ କରଣ୍ଡୋଲା ପଂଚାୟତର ଦାମପାଲି, ରେଂଗାଲି ପଂଚାୟତର କଂସରଟିକିରା, ଚକବାହାଲ ଓ ମାଛିମୋରା, ପଣ୍ଡକିପାଲି ପଂଚାୟତର କୁଦୋପାଲି ଓ ପଣ୍ଡକିପାଲି ଏବଂ ତବଡା ପଂଚାୟତର କୁଡାପାଲି ଆଦି ଗ୍ରାମରେ ଓଡ଼ିଶା ସରକାର ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବାରୁ ଛତିଶଗଡ଼ରେ ମିଶିଯିବାର ଧମକ ଦେଇଛନ୍ତି।

ଅନ୍ୟପକ୍ଷରେ ନାମ ଫଳକ ନେଇ ଜାରି ହୋଇଥିବା ନିର୍ଦେଶନାମା ବି କଡ଼ାକଡ଼ି ପାଳନ ହୋଇନାହିଁ । ପ୍ରତ୍ୟେକ ସ୍ତରରେ ନାମ ଫଳକକୁ ଓଡ଼ିଆରେ ଲେଖିବା ପାଇଁ ଆଇନ୍‌ ହୋଇଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ୨୦୧୧ ମସିହା ଅଗଷ୍ଟ ୨୯ରୁ ଏନେଇ ପ୍ରକ୍ରିୟା ଆରମ୍ଭ ହେଲାଣି। ସମସ୍ତ କାର୍ଯ୍ୟାଳୟ ନାମ ଫଳକ ଓଡ଼ିଆରେ ଲେଖିବା ପାଇଁ ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ହେଲେ ଏହାକୁ ଅଧିକାଂଶ ସ୍ଥାନରେ କଡ଼ାକଡ଼ି ପାଳନ କରାଗଲା ନାହିଁ। କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ବି ଏହାକୁ ସ୍ବତଃ ପାଳନ କରି ଉତ୍କଳ ଜନନୀ ପ୍ରତି ଶ୍ରଦ୍ଧା ଦେଖାଇବାକୁ ଆଗଭର ହେଲେ ନାହିଁ। ସେହିପରି ଓଡ଼ିଶା ଭାଷା ଆୟୋଗ ଗଠନ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଓଡ଼ିଆ ଭର୍ଚୁଆଲ ଏକାଡେମି ଗଠନ କରାଯାଇଛି। ଓଡ଼ିଆ ଭାଷାରେ ଶାସନ ପାଇଁ ସରକାରୀ ନିର୍ଦେଶନାମା ପ୍ରକାଶ ପାଇଛି। ସରକାରୀ ସ୍ତରରେ ସମସ୍ତ ନଥି ପତ୍ର ଓଡ଼ିଆରେ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତାହା କିନ୍ତୁ ସାକାର ରୂପ ନେଇ ପାରିନାହିଁ। ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଆଜି ଯାଏ ଇଟା ଖଣ୍ଡେ ପଡ଼ି ପାରିନାହିଁ। ଅନେକ କଥା କେବଳ ଆଇନ ଓ ଯୋଜନାରେ ସୀମିତ ରହିଯାଇଛି।

ସମ୍ବନ୍ଧିତ ଖବର