ସଂଗଠନ ମଜବୁତ କରିବାକୁ କଂଗ୍ରେସ ଶିବିରରେ କସରତ୍

ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କଲେ ୪ ଜିଲ୍ଲାର ନେତା ଓ କର୍ମୀ, ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପିସିସି କାର୍ଯ୍ୟାଳୟରେ ବୈଠକ

ଭୁବନେଶ୍ବର : ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ କରାଯିବ। ଏଥିପାଇଁ ଓଡ଼ିଶା ଦାୟିତ୍ବରେ ଥିବା ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ ଗତ ୧୪ ତାରିଖରୁ ଡେରା ପକାଇଛନ୍ତି। ଗତ ଦୁଇଦିନ ଧରି ବିଭିନ୍ନ ଜିଲ୍ଲା ଗସ୍ତ ପରେ ଆଜି ପିସିସି କାର୍ଯ୍ୟାଳୟରେ ୪ଟି ଜିଲ୍ଲାର ପ୍ରାୟ ୭୦୦ ନେତା ଓ କର୍ମୀଙ୍କୁ ଭେଟି ଦଳୀୟ ସଂଗଠନ ଉପରେ ଆଲୋଚନା କରିଛନ୍ତି। ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଜିଲ୍ଲା ସଭାପତି, ଯୁବ କଂଗ୍ରେସ ନେତା, ମହିଳା କଂଗ୍ରେସ ନେତ୍ରୀ, ଜିଲ୍ଲା ପର୍ଯ୍ୟବେକ୍ଷକ, ଆଶାୟୀ ପ୍ରାର୍ଥୀ, ଓ ଅନ୍ୟ ଛାମୁଆ ସଂଗଠନର ନେତା ଓ କର୍ମୀଙ୍କ ସହ ପୃଥକ ଭାବେ ଶ୍ରୀ ସିଂହ ଆଲୋଚନା କରିଛନ୍ତି।

ବୈଠକରୁ ଜଣାପଡ଼ିଛି, ରାଜ୍ୟ କଂଗ୍ରେସ ପ୍ରଭାରୀ ଶ୍ରୀ ସିଂହ ନେତା ଓ କର୍ମୀମାନଙ୍କୁ ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି-ବିଜେପି ଭିତରେ ଭିତିରିଆ ସମ୍ପର୍କ ଥିବା ନେଇ ଅବଗତ କରାଇଥିଲେ। ଏହାସହିତ ଦଳର ପୁନର୍ବିନ୍ୟାସ ନେଇ ମଧ୍ୟ ସମସ୍ତଙ୍କୁ ଜଣାଇଥିଲେ। ଜିଲ୍ଲା ସ୍ତରରେ କଂଗ୍ରେସର ସ୍ଥିତି ଓ ନିର୍ବାଚନମଣ୍ଡଳୀ ଵାରି ଲୋକଙ୍କ ଭିତରେ ଦଳ ପ୍ରତି ଥିବା ମନୋଭାବ ବିଷୟରେ ପଚାରିବୁଝିଥିଲେ। ରାଜ୍ୟରେ ପୁଣି ଥରେ ଯେପରି କଂଗ୍ରେସ ଦଳକୁ ଲୋକେ ଗ୍ରହଣ କରିବେ ସେଥିପାଇଁ ଜିଲ୍ଲା ସ୍ତରର ନେତାମାନେ ପ୍ରଦାନ କରିଥିବା ମତାମତକୁ ଟିପି ରଖିଥିଲେ। ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀ କରି ଦଳର ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବେ।

ଗୁରୁବାର ଅନୁଷ୍ଠିତ ହୋଇଥିବା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ସାଂସଦ ସପ୍ତଗିରି ଉଲ୍ଲାକା, ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ, ଜୟଦେବ ଜେନା, ଏଆଇସିସି ସମ୍ପାଦକ ମସ୍ତାନ ଅଲ୍ଲୀ, ଏଆଇସିସି ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମାଙ୍କ ସମେତ ୨୦୧୯ ନିର୍ବାଚନରେ ଦଳୀର ଏମ୍‌ପି, ଏମ୍‌ଏଲ୍‌ଏ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର