କଂଗ୍ରେସ ଭବନରେ ବାହୁବଳୀ : ନାପସନ୍ଦ କଲେ ଦଳୀୟ ନେତା

କିଏ ଆଣିଥିଲା ଜାଣିନି: ପିସିସି ସଭାପତି

ଭୁବନେଶ୍ବର : କାହା ନିର୍ଦେଶରେ କଂଗ୍ରେସ ଭବନରେ ପଶିଲେ ବାହୁବଳୀ। ଏଭଳି ଘଟଣା ଆଗରୁ କେବେ ହୋଇନଥିଲା। ଗତକାଲି ପିସିସି କାର୍ଯ୍ୟାଳୟକୁ ବାହୁବଳୀ ଜଗିବା ଘଟଣାକୁ ନେଇ ନିନ୍ଦା କରିଛନ୍ତି ଦଳର ବରିଷ୍ଠ ନେତା। ସେପଟେ ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ରଖି ଗଣମାଧ୍ୟମକୁ କହିଛନ୍ତି ଯେ ଏ ନେଇ ସେ କିଛି ବି ଜାଣିନାହାନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା କହିଥିଲେ, ଅସନ୍ତୋଷକୁ ନେଇ ଅତୀତରେ କଂଗ୍ରେସ ଭବନରେ କଥା କଟାକଟି ଓ ଧସ୍ତାଧସ୍ତି ହୋଇଥିଲା। କିନ୍ତୁ କୌଣସି ବି ପରିସ୍ଥିତିରେ କଳା ପୋଷାକ ଧାରୀ ବାହୁବଳୀଙ୍କୁ ପ୍ରବେଶ କରାଇ ପାଟି ଚୁପ୍ କରିବାକୁ ଉଦ୍ୟମ କରାଯାଇନଥିଲା। ବର୍ଷକ ତଳେ ଏକ ହୋଟେଲରେ ଦଳର ବୈଠକ ହେଉଥିବା ନେଇ ଆପତ୍ତି କରିବାରୁ ତାଙ୍କୁ ଧଳା ପୋଷାକ ପିନ୍ଧା ଗୁଣ୍ଡା ଅସଦ୍‌ ବ୍ୟବହାର କରିଥିଲେ। କଂଗ୍ରେସ ଭବନ ଭିତରେ ଏଆଇସିସି ସାଧାରଣ ସମ୍ପାଦକ ଓ ପିସିସି ସଭାପତି ଥାଉ ଥାଉ ଏଭଳି ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଦଳର ଅନ୍ୟତମ ବରିଷ୍ଠ ନେତା ଅମର ପ୍ରଧାନ ଅଭିଯୋଗ କରି କହିଥିଲେ, ଯିଏ ନିଜକୁ ଦୁର୍ବଳ ଓ ଅସୁରକ୍ଷିତ ମନେକରୁଛି ସେହି ବ୍ୟକ୍ତି ହିଁ ବାହୁବଳୀଙ୍କୁ ନିୟୋଜିତ କରିବା କାର୍ଯ୍ୟ କରିଥାଏ। ଦଳ ତାର ନୈତିକତା ଠାରୁ ଦୂରେଇ ଗଲାଣି। ବିଧାୟକ ତଥା ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି କଂଗ୍ରେସ ଭବନକୁ ବାହୁବଳୀ ଆଣିବା ଠିକ୍ ହୋଇନି। ଦଳରେ ପିସିସି ସଭାପତିଙ୍କ ପ୍ରତି ସମସ୍ତଙ୍କର ସମର୍ଥନ ରହିଛି। ଯଦି କିଛି ମନୋମାଳିନ୍ୟ ଅଛି ତାକୁ ବସି ଆପୋସ ଆଲୋଚନା କରିହେବ। ଅସନ୍ତୁଷ୍ଟଙ୍କୁ ଡରାଇବାକୁ ଗୁଣ୍ଡାବାହିନୀ ସହାୟତା ନେବା ଉଚିତ ନୁହଁ। ‌ସେ ଡାକିଦେଲେ ୫ ହଜାର ଲୋକ ଚାଲିଆସିବେ। ବରିଷ୍ଠ ନେତାମାନେ ଡାଇରେକ୍ଟର ହୋଇ ନୂଆଙ୍କୁ ହିରୋ କରନ୍ତୁ ବୋଲି ଶ୍ରୀ ରାଉତରାୟ ପରାମର୍ଶ ଦେଇଥିଲେ।

ଛାତ୍ର କଂଗ୍ରେସ ଆବାହକ ପଦରୁ ନିଲମ୍ବିତ ହୋଇଥିବା ଇତିଶ ପ୍ରଧାନ ନିଜ ସମର୍ଥକମାନଙ୍କ ସହ ଶୁକ୍ରବାର କଂଗ୍ରେସ ଭବନ ଆଗରେ ଧାରଣାରେ ବସି ନାରାବାଜି କରିବାରୁ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଥିଲା। ପିସିସି ସଭାପତିଙ୍କ ବିରୋଧୀ ଗୋଷ୍ଠୀ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବାକୁ ଦାବି କରିଥିଲେ। ପାଟିତୁଣ୍ଡ ବେଳେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ନିଜେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଭିତରେ ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକ କରୁଥିଲେ। ଏହାସହିତ ଜିଲ୍ଲା ସ୍ତରୀୟ ପ୍ରତିନିଧି ଚୟନ ନେଇ ମଧ୍ୟ ଆଲୋଚନା ଚାଲିଥିଲା। ଏଭଳି ସ୍ଥିତିରେ କଂଗ୍ରେସ ଭବନ ଭିତରକୁ କିପରି ବାହୁବଳୀ ପ୍ରବେଶ କଲେ ସେ ନେଇ ଦଳୀୟ ନେତା ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର