ରାଜ୍ୟପାଳଙ୍କ ଜରିଆରେ କଂଗ୍ରେସର ରାଷ୍ଟ୍ରପତିଙ୍କୁ ଦାବିପତ୍ର : ଫାଟକ ନ ଖୋଲିବାରୁ ଉତ୍ତେଜନା

ଭୁବନେଶ୍ୱର : ନିଯୁକ୍ତି, ପଦୋନ୍ନତି ଓ ନାମଲେଖା କ୍ଷେତ୍ରରେ ମୌଳିକ ଅଧିକାର ଅକ୍ଷୁଣ୍ଣ ରଖିବା ଦାବିରେ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ତେବେ ଏହି ଦାବିପତ୍ର ଦେବାକୁ ଯିବା ବେଳେ ସୁରକ୍ଷାକର୍ମୀ କଂଗ୍ରେସର ନେତୃମଣ୍ଡଳୀଙ୍କୁ ଭିତରକୁ ନ ଛାଡ଼ିବାରୁ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ନେତାମାନେ ରାଜଭବନ ସମ୍ମୁଖରେ ବସି ରହିଥିଲେ। ପରେ ରାଜଭବନର ଜଣେ ଏଡିସି ପହଞ୍ଚି ନେତାମାନଙ୍କୁ ବୁଝାସୁଝା କରିବା ସହ ତାଙ୍କ ଠାରୁ ଦାବିପତ୍ର ନେଇ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ।

ତେବେ ସୁରକ୍ଷାକର୍ମୀ କାହିଁକି ଛାଡ଼ିଲେ ନାହିଁ ସେ ନେଇ ବିବାଦ ଉପୁଜିଛି। ରାଜ୍ୟପାଳ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରତିନିଧି ଭଳି କାମ କରୁଥିବା କଂଗ୍ରେସର ନେତାମାନେ ଅଭିଯୋଗ କରିଛନ୍ତି। କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ ଏବଂ ପୂର୍ବତନ ମନ୍ତ୍ରୀ ବିଜୟଲଷ୍ମୀ ସାହୁଙ୍କ ସମେତ ଗଣେଶ୍ବର ବେହେରା, ବିଷ୍ଣୁ ବାରିକ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଏହିପରି ଅଭିଯୋଗ କରିଛନ୍ତି। ଆଗକୁ ଏହାର ପ୍ରତିବାଦ କରିବା ପାଇଁ କାର୍ଯ୍ୟପନ୍ଥା ମଧ୍ୟ ସ୍ଥିର କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟପଟେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି। ପିଆର୍‌ଓ ରକ୍ଷକ ନାୟକ କହିଛନ୍ତି, କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ରାଜଭବନରେ ସୂଚନା ଥିଲା। ୧୮ ଜଣ ପ୍ରତିନିଧି ଆସିବାର ଥିଲା। କିନ୍ତୁ ୩୩ ଜଣ ଭିତରକୁ ଯିବା ପାଇଁ କହିଥିଲେ। ୩୩ ଜଣ ଯିବାରେ ମଧ୍ୟ କୌଣସି ସମସ୍ୟା ନ ଥିଲା। କିନ୍ତୁ ସୁରକ୍ଷା ବ୍ୟବସ୍ଥାରେ ଥିବା କର୍ମଚାରୀ ସେମାନଙ୍କୁ ବାରଣ କରିବାରୁ ଏହି ସମସ୍ୟା ହୋଇଥିଲା। ଏଭଳି କରିବା ପାଇଁ ରାଜଭବନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାରେ ଥିବା ଅଧିକାରୀଙ୍କୁ କୌଣସି ନିର୍ଦ୍ଦେଶ ଦିଆଯାଇ ନ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର