ଭୁବନେଶ୍ବର : ଦୀପାବଳି ପରେ ରାଜ୍ୟ କଂଗ୍ରେସର ପୁନର୍ଗଠନ ହେବ। ଆଜି ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଥିଲେ, ମହିଳା କଂଗ୍ରେସଠୁ ଆରମ୍ଭ କରି ଜିଲ୍ଲା ସ୍ତରରେ କଂଗ୍ରେସର ପୁନର୍ଗଠନ ନେଇ ଉଦ୍ୟମ ଜାରି ଅଛି। ମହିଳା କଂଗ୍ରେସର ପୁନର୍ଗଠନ ପାଇଁ କମିଟି ଗଠନ ହୋଇଥିଲା। ସେହିପରି ଯୁବ ଓ ଛାତ୍ର କଂଗ୍ରେସ ନେତୃତ୍ବ ପାଇଁ ୩ ଟି ଲେଖାଏଁ ନାମ ସୁପାରିସ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
ସୂଚନାଥାଉକି, ରାଜ୍ୟରେ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ଅତୀତରେ ଏଆଇସିସି ପକ୍ଷରୁ ଏକାଧିକ କାର୍ଯ୍ୟକାରୀ ସଭାପତି ପଦବି ସୃଷ୍ଟି କରାଯାଇଥିଲା ଯାହାକୁ ନେଇ ବହୁ ବରିଷ୍ଠ କଂଗ୍ରେସ ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏ ନେଇ ବିଧାୟକ ସୁରେଶ କୁମାର ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ ଉଠାଇଥିଲେ। ଏବେ ସେ ଫର୍ମୁଲା ବିଫଳ ହେବା ପରେ ଆଗକୁ କିପରି କଂଗ୍ରେସର ସାଂଗଠନିକ ରୂପରେଖ ହେଉଛି,ତାକୁ ସମସ୍ତ ଅପେକ୍ଷା କରିଛନ୍ତି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଥରକ କିଛି ଯୁବ ନେତୃତ୍ବକୁ ଆଗଧାଡ଼ିରେ ସ୍ଥାନ ଦେବାକୁ ଏଆଇସିସି ବିଚାର କରୁଥିବା ଜଣାପଡ଼ିଛି। ଅନ୍ୟପଟେ ପୁନର୍ଗଠନ ସମୟରେ ଯୁବକମାନଙ୍କୁ ଗୁରୁତ୍ବ ଦିଆଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସ୍ବୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Niranjan_Patnaik-1.jpg)