କର୍ମୀ ନୁହଁ, ଲୋକଙ୍କ ସହ ପରାମର୍ଶ କରି ଜିଲ୍ଲା ସଭାପତି ଚୟନ କର: ପିସିସି ସଭାପତି

ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ବୈଠକ, ନଭେମ୍ବର ୭ ସୁଦ୍ଧା ଜିଲ୍ଲା ସଭାପତି ଚୟନ ନେଇ ରିପୋର୍ଟ

ଭୁବନେଶ୍ବର : ଜିଲ୍ଲା ସଭାପତିଙ୍କୁ ଚୟନ କଲାବେଳେ କେବଳ କଂଗ୍ରେସ କର୍ମୀ ନୁହଁନ୍ତି, ସାଧାରଣ ଲୋକଙ୍କ ସହ ଆଲୋଚନା କରି ନାମ ସୁପାରିସ କର। ଜିଲ୍ଲା ପର୍ଯ୍ୟବେକ୍ଷକ ଚୟନ ନେଇ ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ପିସିସି ସଭାପତି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭ ତାରିଖ ସୁଦ୍ଧା ଜିଲ୍ଲା ସଭାପତିଙ୍କ ନାମ ଚୟନ କରି ରିପୋର୍ଟ ଦେବାକୁ ବୈଠକରେ ସ୍ଥିର କରାଯାଇଛି। କଂଗ୍ରେସର ଦୁର୍ବଳ ସ୍ଥିତିକୁ ଦେଖି ଜିଲ୍ଲା ସ୍ତରରେ ଦକ୍ଷତା ସହ କାର୍ଯ୍ୟ କରିପାରୁଥିବା ନେତାଙ୍କୁ ବାଛିବା ପାଇଁ ପ୍ରାୟ ସମସ୍ତ ପର୍ଯ୍ୟବେକ୍ଷକ ବୈଠକରେ ମତ ଦେଇଥିଲେ।

ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ନରିସିଂହ ମିଶ୍ର କହିଥିଲେ, ଜିଲ୍ଲା ସ୍ତରରେ କଂଗ୍ରେସ ସଂଗଠନକୁ ମଜବୁତ କରିବାକୁ ଦଳ ସ୍ତରରେ ନିଷ୍ପତ୍ତି ହୋଇଛି। ଜିଲ୍ଲା ସଭାପତିମାନଙ୍କୁ ବାଛିବାବେଳେ ଦଳର ୩୩ଟି ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ କେବଳ କଂଗ୍ରେସ କର୍ମୀ, କଂଗ୍ରେସ ଅନୁଗତ କିମ୍ବା ଶୁଭେଚ୍ଛୁଙ୍କ ସହ ଆଲୋଚନା ନ କରି ସାଧାରଣ ଲୋକଙ୍କ ସହ ଆଲୋଚନା କରିବେ। ଏହାଦ୍ବାରା ଲୋକେ କାହାକୁ ନେତା କରିବାକୁ ଚାହୁଁଛନ୍ତି ସେମାନଙ୍କ ମତାମତ ଆଧାରରେ ଦଳ ନିଷ୍ପତ୍ତି ନେବ। ଏଥିପାଇଁ ନଭେମ୍ବର ୭ ତାରିଖ ସୁଦ୍ଧା ସବୁ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ, ମହମ୍ମଦ ମୋକିମଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ, ଜର୍ଜ୍ ତିର୍କୀ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସନ୍ଧ୍ୟାରାଣୀ ମହାପାତ୍ର, ସସ୍ମିତା ବେହେରା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର