ଭୁବନେଶ୍ବର : ଆଜିଠାରୁ ରାଜ୍ୟ କଂଗ୍ରେସର ପ୍ରାର୍ଥୀ ଚୟନ ନେଇ କଂଗ୍ରେସ ଭବନରେ ଏଆଇସିସି ସ୍କ୍ରିନିଂ କମିଟିର ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୧ଟି ଲୋକସଭା ଓ ସେସବୁ ଆସନ ଅଧୀନ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାର୍ଥୀ ଚୟନ ନେଇ ଆଲୋଚନା ଆରମ୍ଭ କରିଛନ୍ତି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସଥୀସାନ।

Advertisment

ଶ୍ରୀ ସଥୀସାନ୍‌ଙ୍କ କହିବାନୁସାରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀ, ମହିଳା ଓ ଯୁବଗୋଷ୍ଠୀଙ୍କୁ ଟିକେଟ୍‌ ବଣ୍ଟନରେ ଅଗ୍ରାଧିକାର ଦିଆଯିବ। ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କମିଟିର କର୍ମକର୍ତା ଓ ଅନ୍ୟ ପଦାଧିକାରୀଙ୍କ ସହିତ ଆଲୋଚନା ଜାରି ରହିବ। ଅନୁରୂପ ଭାବେ ୨ୟ ପର୍ଯ୍ୟାୟରେ ଅବଶିଷ୍ଟ ଲୋକସଭା ଓ ବିଧାନସଭା ଆସନଗୁଡ଼ିକ ନିମନ୍ତେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ। ଏହି ପ୍ରକ୍ରିୟା ଶେଷ ହେବା ପରେ ସ୍କ୍ରିନିଂ କମିଟି ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରି ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପ୍ରଦାନ କରିବ। ସେହି କମିଟି ତାଲିକା ତର୍ଜମା କରି ସଭାପତି ରାହୁଲ ଗାନ୍ଧୀଙ୍କ ଅନୁମୋଦନ ପାଇଁ ପଠାଇବ। ସୂଚନାଯୋଗ୍ୟ, ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ତାଲିକା ପଠାଇବା ପାଇଁ ରାହୁଲ ପିସିସି ସଭାପତିଙ୍କୁ ନିର୍ଦେଶ ଦେଇଥିଲେ।