କଡ଼ା ଆଭିମୁଖ୍ୟ ଗ୍ରହଣ କଲା କଂଗ୍ରେସ : ୬ ଯୁବ ନେତାଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ!

ପିସିସି ଶୃଙ୍ଖଳା କମିଟି ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର : କଂଗ୍ରେସ ଭବନରେ ଗଣ୍ଡଗୋଳ କରିଥିବା ଯୁବ ନେତାଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଦଳୀୟ ଶୃଙ୍ଖଳା ରକ୍ଷା ପାଇଁ ପ୍ରଦେଶ କଂଗ୍ରେସ କମିଟି ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ନୂତନ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ଦାୟିତ୍ବ ଗ୍ରହଣକୁ ନେଇ ଘଟିଥିବା ଲଙ୍କାକାଣ୍ଡକୁ ନେଇ ଆଜି ଅନୁଷ୍ଠିତ ହୋଇଥିବା ଶୃଙ୍ଖଳା କମିଟି ବୈଠକରେ ୬ ଜଣ ଯୁବ ନେତାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଆଇସିସିକୁ ସୁପାରିସ୍‌ କରାଯାଇଛି।

ବୈଠକ ସମ୍ପର୍କରେ ସୂଚନା ଦେଇ ପୂର୍ବତନ ସାଂସଦ ତଥା କମିଟି ଅଧ୍ୟକ୍ଷ ରଞ୍ଜୀବ ବିଶ୍ବାଳ କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଦିନ କଂଗ୍ରେସ ଭବନରେ ଘଟିଥିବା ଅପ୍ରୀତିକର ଘଟଣା ଦୁର୍ଭାଗ୍ୟଜନକ। ଏପରି ଗଣ୍ଡଗୋଳକୁ ଆଦୌ ବରଦାସ୍ତ କରାଯିବନି। ଫଳରେ ଲୋକଙ୍କ ପାଖରେ ଦଳର ପ୍ରତିଛବି ଖରାପ ହେବା ସହ ଭଲ ବାର୍ତ୍ତା ଯାଉନି। ଯେଉଁମାନେ ଏପରି ଘଟଣା ପାଇଁ ଦାୟୀ ସେମାନଙ୍କୁ ଚିହ୍ନଟ କରାଯାଇଛି। ଯିଏ କଂଗ୍ରେସ ପାଇଁ କାମ କରିବ ଦଳକୁ ସ୍ବାଗତ କରାଯିବ ନଚେତ୍‌ ଗେଟ୍‌ ବାହାରେ ରୁହନ୍ତୁ ବୋଲି ଶ୍ରୀ ବିଶ୍ବାଳ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ବିଶ୍ବ ଦାସ, ମାନସ ଚୌଧୁରୀ, ସଂଗ୍ରାମ ଜେନାଙ୍କ ସମେତ କଂଗ୍ରେସ ନେତ୍ରୀ ଶୁଭଶ୍ରୀ ପଣ୍ଡା ଓ ଯୁବ କଂଗ୍ରେସ ନେତାମାନେ ସାମିଲ ଥିଲେ।

ଗତ ୨୩ ତାରିଖ ସକାଳେ ଯୁବ କଂଗ୍ରେସ ସଭାପତି ଶ୍ରୀ ଲେଙ୍କା ଦାୟିତ୍ବ ଗ୍ରହଣ କରିବାକୁ ଆସିବା ବେଳେ କିଛି ଯୁବ କର୍ମୀ ପିସିସି କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଏହାସହିତ ଶ୍ରୀ ଲେଙ୍କା ଦିଲ୍ଲୀ ଫେରିଯିବାକୁ ନାରାବାଜି କରିଥିଲେ। ଯାହାକୁ ନେଇ ଶ୍ରୀ ଲେଙ୍କାଙ୍କ ସପକ୍ଷ ଓ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହେବା ସହ ଓ ଧସ୍ତାଧସ୍ତି ହୋଇଥିଲା। ଏପରିକି ସ୍ଥାନୀୟ ସାଲିଆ ସାହିରେ ରହୁଥିବା ଗଞ୍ଜାମ ପୋଲସରାର ଜଣେ ଯୁବକ କଂଗ୍ରେସ ଭବନ ଭିତରେ ପଶି ଖଣ୍ଡା ବୁଲାଇଥିବାରୁ ପୁଲିସ ଦ୍ବାରା ଗିରଫ ହୋଇଥିଲେ। ଏହି ଘଟଣାକୁ ନିନ୍ଦା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶୃଙ୍ଖଳା କମିଟି ଗଠନ ହୋଇଥିଲା। କମିଟି ୪ ଦିନ ଭିତରେ ଘଟଣାର ତଦନ୍ତ କରି ପିସିସିକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର