ଭୁବନେଶ୍ବର : ବ୍ରହ୍ମପୁର ନିକଟରେ ବସ୍‌ ଦୁର୍ଘଟଣା ପାଇଁ ଶକ୍ତି ବିଭାଗ ଓ ବିଦ୍ୟୁତ ବିତରକ କମ୍ପାନିର ଦାୟିତ୍ବହୀନତାକୁ ଦାୟୀ କରିଛି କଂଗ୍ରେସ। ମୃତ ପରିବାରବର୍ଗଙ୍କୁ ଦଳ ସମବେଦନା ଜଣାଇବା ସହିତ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି, ଦୁର୍ଘଟଣା ଘଟିବା ସମୟରେ ୧୧ କେଭି ବିଦ୍ୟୁତ ତାର ବସ୍ ସଂସ୍ପର୍ଶରେ ଆସି ଜୀବନହାନି ଘଟିଥିବା ବେଳେ ଟ୍ରିପ୍ ମିଟର୍‌ ନ ଥିବା ଯୋଗୁ ବିଦ୍ୟୁତ ସରବରାହ ବନ୍ଦ ହୋଇ ନ ଥିଲା। ଫଳରେ ୧୦ ଜଣ ନିରୀହ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ବିଦ୍ୟୁତ ବିତରଣ କମ୍ପାନି ଯେଉଁ ସେଫ୍ଟି ସିକ୍ୟୁରିଟି ପଦକ୍ଷେପ ନେବା କଥା ତାହା ନେଇ ନ ଥିଲେ। ଅଧିକାରୀମାନେ ତାଙ୍କ କାର୍ଯ୍ୟ ଠିକ୍ ଭାବେ କରି ନ ଥିଲେ। ଦୋଷୀଙ୍କ ବିରୋଧରେ ସରକାର ଫୌଜଦାରୀ ମାମଲା ରୁଜୁ କରିବାକୁ ଶ୍ରୀ ନାୟକ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, ନିଶିକାନ୍ତ ମିଶ୍ର, ଜିନେଶ ଦାସ, ଅମିତା ବିଶ୍ବାଳ, ରଜନୀ ମହାନ୍ତି, ରଶ୍ମି ମହାପାତ୍ର ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।