ଦୁଇ ଦିନିଆ ଗସ୍ତରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର : ଗଣମାଧ୍ୟମରେ ଏଣୁତେଣୁ କହିଲେ କାର୍ଯ୍ୟାନୁଷ୍ଠାନ

ସମସ୍ୟା ଥିଲେ ଦଳୀୟ ଫୋରମ୍‌ରେ ଜଣାଅ
ବିଧାୟକ ଦଳ ବୈଠକରେ ଝାଡ଼ିଲେ ତୀବ୍ର ଅସନ୍ତୋଷ

ଭୁବନେଶ୍ୱର : ଆଉ ଦଳୀୟ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ନେତାଙ୍କ କଥା ମାନି ସମସ୍ତ କାର୍ଯ୍ୟ କରିବେ। ଏଣିକି କାହାର ଯଦି କିଛି ଅସନ୍ତୋଷ ଅଛି, ତାହେଲେ ସିଧାସଳଖ ଦଳୀୟ ଫୋରମ୍‌ରେ ଜଣାଅ। ନଚେତ୍‌ କାର୍ଯ୍ୟାନୁଷ୍ଠାନ ହେବ। ଆଜି ରାଜ୍ୟ କଂଗ୍ରେସ ପ୍ରଭାରୀ ଡ.ଏ.ଚେଲ୍ଲାକୁମାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ବିଧାୟକମାନଙ୍କୁ ଏପରି ଚରମବାଣୀ ଶୁଣାଇଛନ୍ତି। ପରୀ ହତ୍ୟା ଘଟଣାରେ ଏସ୍‌ଆଇଟି ତଦନ୍ତ ନେଇ ଗଣମାଧ୍ୟମରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତି ବିଧାୟକ ସୁରେଶ ରାଉତରାୟ ଓ ସନ୍ତୋଷ ସିଂହ ସାଲୁଜା ଟିପ୍ପଣୀ କରିଥିଲେ। ଏହାକୁ ନେଇ ଉଭୟଙ୍କ ଉପରେ କଂଗ୍ରେସ ପ୍ରଭାରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି। ତେବେ ଏହା ଦଳୀୟ ଆଭ୍ୟନ୍ତରୀଣ ବ୍ୟାପାର କହି ପିସିସି ସଭାପତିଙ୍କ ସମେତ ସମସ୍ତ ବିଧାୟକ ଏ ବାବଦରେ ପଦୁଟିଏ ବି ମୁହଁ ଖୋଲିନାହାନ୍ତି। କିନ୍ତୁ ବୁଝାମଣା ଅଭାବରୁ ବିଧାୟକମାନଙ୍କ ଭିତରେ ଏପରି ମତଭେଦ ହୋଇଥିବା ନେଇ ଶ୍ରୀ ଚେଲ୍ଲାକୁମାର କହିଛନ୍ତି। ଅପରାହ୍ନରେ କଂଗ୍ରେସ ପ୍ରଭାରୀ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ଅବସରରେ ଦଳୀୟ ସଂଗଠନକୁ କିପରି ଅଧିକରୁ ଅଧିକ ମଜବୁତ କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ଦଳ ଯେପରି ଲୋକଙ୍କ ପାଖରେ ବିକଳ୍ପ ଦଳ ହେବ, ସେ ନେଇ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଶୁକ୍ରବାର ସକାଳେ ଶ୍ରୀ ଚେଲ୍ଲାକୁମାର ଭୁବନେଶ୍ବରରେ ପହଞ୍ଚିବା ପରେ କଂଗ୍ରେସ ଭବନରେ ଆୟୋଜିତ ବିଧାୟକ ଦଳ ବୈଠକରେ ଯୋଗଦେଇଥିଲେ। ଦୀର୍ଘ ସାଢ଼େ ୩ ଘଣ୍ଟା ଧରି ଚାଲିଥିବା ବୈଠକ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଧାନସଭା ଶୀତ ଅଧିବେଶନରେ ପରୀ ହତ୍ୟା ଘଟଣାରେ ଏସ୍‌ଆଇଟି ତଦନ୍ତ ଓ କେବିକେ ଅଞ୍ଚଳରେ ଅଳ୍ପ ପିଲା ଥିଲେ ବି ସ୍କୁଲ ବନ୍ଦ ନ କରିବାକୁ କଂଗ୍ରେସର ଦାବିକୁ ସରକାର ଗ୍ରହଣ କରିଥିଲେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ପରେ ବିଧାୟକ ଶ୍ରୀ ରାଉତରାୟ ଓ ଶ୍ରୀ ସାଲୁଜା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତି ଗଣମାଧ୍ୟମରେ ଦେଇଥିବା ପ୍ରତିକ୍ରିୟାକୁ ନେଇ ବୈଠକରେ ଘମାଘୋଟ ଆଲୋଚନା ହୋଇଥିଲା। ଚର୍ଚ୍ଚା ହେଉଛି, ଉଭୟ ବିଧାୟକଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଶ୍ରୀ ମିଶ୍ର ଗତକାଲି ଶ୍ରୀ ଚେଲ୍ଲାକୁମାରଙ୍କୁ ବିଧାୟକ ଦଳ ନେତା ପଦରୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏ ନେଇ ଆଜି ଦିନ ତମାମ କଂଗ୍ରେସ ଭବନରେ ସେହି ଆଲୋଚନା ଜୋର ଧରିଥିଲା। କିନ୍ତୁ ଦୀର୍ଘ ସମୟ ଆଲୋଚନା ପରେ ବିଧାୟକ ଦଳ ଭିତରେ ଥିବା ଫାଟକୁ ପ୍ରସମନ କରିବାରେ ଶ୍ରୀ ଚେଲ୍ଲାକୁମାର ସଫଳ ହୋଇଛନ୍ତି। ତେବେ ସିଧା ସିଧା ଚେତାବନୀ ଦେଇ କହିଥିଲେ, ଆଉ କୌଣସି ବି ବିଧାୟକ ଏଣିକି ଦଳୀୟ ନେତା କିମ୍ବା ଦଳ ବିରୋଧୀ ମନ୍ତବ୍ୟ ଗଣମାଧ୍ୟମରେ ଦେବେ ନାହିଁ। ଯଦି ନେତାଙ୍କ ସମ୍ପର୍କରେ କାହାର କିଛି ଆପତ୍ତି ଥାଏ, ତାହେଲେ ସିଧାସଳଖ ତାଙ୍କୁ ଜଣାଇବେ।

ବିଧାୟକ ସନ୍ତୋଷ ସିଂହ ସାଲୁଜା ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ନ ଦେଇ ଚାଲିଯାଇଥିଲେ। ବିଧାୟକମାନଙ୍କ ଭିତରେ ମତଭେଦ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି। କିନ୍ତୁ କଣ ଆଲୋଚନା ହୋଇଛି ସେ ସମ୍ପର୍କରେ ଗଣମାଧ୍ୟମରେ କିଛି କୁହାଯାଇପାରିବନି। ଏହା ସମ୍ପୂର୍ଣ୍ଣ ଦଳର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏଡ଼ାଇଯାଇଥିଲେ। ଅନ୍ୟପଟେ ବିଧାୟକ ଶ୍ରୀ ରାଉତରାୟ କହିଥିଲେ ଯେ ବିଧାୟକ ଦଳ ଭିତରେ କିଛି ମତ ପାର୍ଥକ୍ୟ କେବେ ବି ନଥିଲା କି ନାହିଁ। ଆଗାମୀ ଦିନରେ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଛି ସେଥିପାଇଁ କଂଗ୍ରେସ ଦଳ କିପରି ପ୍ରସ୍ତୁତ ହେବ ସେଥିପାଇଁ ପ୍ରଭାରୀ ଆମକୁ ଯୋଜନା ମୁତାବକ କାମ କରିବାକୁ ପରାମର୍ଶ ଦେଇଛନ୍ତି। କାହା ଭିତରେ କିଛି ବି ଅସନ୍ତୋଷ ନଥିଲା। ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଦାବି ମୁତାବକ ମୁଖ୍ୟମନ୍ତ୍ରୀ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ତାକୁ ଆମେ ସମସ୍ତେ ଗ୍ରହଣ କରିଛୁ।

ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଏବେ ଚାରିଆଡ଼େ ଚାଷୀମାନେ ତାତିଲେଣି। ଗତ ଶୀତ ଅଧିବେଶନରେ କଂଗ୍ରେସ ଏ ନେଇ ଗୃହରେ ଆଲୋଚନା କରିବାକୁ ଚାହୁଁଥିଲା। ବିଜେପି ସରକାରଙ୍କ ଅସଲ ଚେହେରା ପଦାରେ ପଡ଼ିଯିବ ଭାବି ବିଜେପି ବିଧାୟକମାନେ ଗୃହରେ ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବିକୁ ଆଳ କରିଥିଲେ। ଆଗରୁ କେତେ ମାମଲାରେ ସିବିଆଇ ତଦନ୍ତ ହୋଇଛି କିନ୍ତୁ ଗୋଟିଏ ବି ମାମଲାରେ ଦୋଷୀ ଧରାପଡ଼ିନାହାନ୍ତି। କଂଗ୍ରେସ ବିଧାୟକମାନଙ୍କ ଭିତରେ ଫାଟ ଥିବା ନେଇ ଶ୍ରୀ ବାହିନୀପତି କହିଥିଲେ, ମଇଁଷି ଶିଂଘ ଫଟା ଜୁଝିଲା ବେଳକୁ ଗୋଟା। ବିଧାୟକ ମହମ୍ମଦ ମୋକିମ କହିଥିଲେ ବିଧାୟକମାନଙ୍କ ମଧ୍ୟରେ କୌଣସି ଫାଟ ନାହିଁ। ଯଦି ଫାଟ ରହିବ, ତାହେଲେ କେହି ରହିପାରିବେ ନାହିଁ। ବିଧାୟକ ଦଳ ବୈଠକରେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଦାଶରଥୀ ଗମାଙ୍ଗ ଓ ସି.ଏସ୍‌ ରାଜନଇକ୍କାଙ୍କୁ ଛାଡ଼ି ବାକି ସମସ୍ତ ବିଧାୟକ ଯୋଗଦେଇଥିଲେ।

ଅପରାହ୍ନରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଏକ ବୈଠକ ହୋଇଥିଲା। ଶ୍ରୀ ଚେଲ୍ଲାକୁମାର ଦଳର ସଂଗଠନକୁ ସୁଦୃଢ଼ କରି ଲୋକାଭିମୁଖୀ କରିବାକୁ ବରିଷ୍ଠ ନେତାମାନଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ପୌର ନିର୍ବାଚନରେ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏକତ୍ରିତ ହୋଇ ବିଜେଡି ଓ ବିଜେପି ବିରୋଧରେ ସଂଗ୍ରାମ ଜାରି ରଖିବେ। ଶ୍ରୀ ପଟ୍ଟନାୟକ କହିଥିଲେ, ଉଭୟ ଦଳ ଉପରେ ଜନସାଧାରଣ ଆସ୍ଥା ହରାଇଲେଣି। ଏଭଳି ସମୟରେ ଆମେମାନେ ଏକଜୁଟ ହୋଇ କାର୍ଯ୍ୟ କରିବା ଦରକାର। ବୈଠକରେ ଏଆଇସିସି ସମ୍ପାଦକ ଜି.ରୁଦ୍ରରାଜୁ, ଏଆଇସିସି ଇନ୍‌ଚାର୍ଜ୍‌ ଭକ୍ତ ଦାସ, ବିଶ୍ବରଞ୍ଜନ ମହାନ୍ତି, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ବାଳ, ପ୍ରଦୀପ ମାଝୀ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ରାଧାକାନ୍ତ ଦିଗଲ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଜୟଲକ୍ଷ୍ମୀ ସାହୁ, ବିପିନ ଦାସଙ୍କ ସମେତ ବହୁ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର