ଭୁବନେଶ୍ବର: ଓଡ଼ିଶା କଂଗ୍ରେସରେ ହୋଇଛି ନବକଳେବର। ୩ଦିନ ପୂର୍ବରୁ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଭାପତି ଘୋଷଣା କରାଯାଇଥିଲା। ଆଜି ଓଡ଼ିଶା କଂଗ୍ରେସ ପ୍ରଭାରୀ ବଦଳିଛନ୍ତି। ଅଜୟ କୁମାରଙ୍କ ବଦଳରେ ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ବ ମିଳିଛି। ଏଆଇସିସି ସାଧାରଣ ସଂପାଦକ କେ.ସି ଗେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।
ଏଆଇସିସି ପକ୍ଷରୁ ଆଜି ୯ଟି ରାଜ୍ୟର ପ୍ରଭାରୀ ଓ ୨ ରାଜ୍ୟର ସାଧାରଣ ସଂପାଦକଭାବେ ଦାୟିତ୍ବ ବଣ୍ଟନ ହୋଇଛି। ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଘୋଷଣା କରାଯାଇଛି। ଏହାସହ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ମଣିପୁର, ତ୍ରିପୁରା, ସିକ୍କିମ ଓ ନାଗାଲାଣ୍ଡ ଦାୟିତ୍ବ ଦିଆଯାଇଛି। ଏହାପୂର୍ବରୁ ଶ୍ରୀ ଉଲ୍ଲାକା ଝାଡ଼ଖଣ୍ଡର କଂଗ୍ରେସ ପ୍ରଭାରୀ ରହିଥିଲେ। ଶ୍ରୀ ଲଲ୍ଲୁ ଉତ୍ତରପ୍ରଦେଶରୁ ଦୁଇ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ୨୦୧୯ ମସିହାରେ ରାଜ ବବରଙ୍କୁ ହଟାଇ ତାଙ୍କୁ ଉତ୍ତରପ୍ରଦେଶର କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରାଯାଇଥିଲା। ଅଜୟ କୁମାରଙ୍କୁ ୨୦୨୩ ଡିସେମ୍ବରରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଭାବେ ଦାୟିତ୍ବ ଦିଆଯାଇଥିଲା।
ଘର ବାହୁଡ଼ିବେ କଂଗ୍ରେସ ନେତା, ସବୁ ନିଲମ୍ବନ ଓ ବହିଷ୍କାର ଆଦେଶ ପ୍ରତ୍ୟାହୃତ
ସପ୍ତଗିରିଙ୍କୁ ଚାରି ରାଜ୍ୟର ପ୍ରଭାରୀ ଦାୟିତ୍ବ
ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଭାରୀ ବଦଳିବା ବିଜ୍ଞପ୍ତି ଜାରି ହେବା ପୂର୍ବରୁ ଓଡ଼ିଶା ପିସିସି ସଭାପତି ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। କଂଗ୍ରେସ ଦଳ ଛାଡ଼ିଥିବା ନେତା ଦଳକୁ ଫେରାଇ ଆଣିବା ଲାଗି ନିଷ୍ପତ୍ତି ନେଇଛି। ଦଳକୁ ଫେରି ସେମାନେ କଂଗ୍ରେସ ହାତମୁଠାକୁ ଟାଣ କରିବେ। ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ଜାରି ହୋଇଥିବା ନିଲମ୍ବନ ଓ ବହିଷ୍କାର ଆଦେଶକୁ ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରତ୍ୟାହାର କରିନେଇଛନ୍ତି। ଆଜି ଏକ ୩ ଧାଡ଼ିଆ ନିର୍ଦ୍ଦେଶନାମା ଜାରି କରି ଭକ୍ତ ଓଡ଼ିଶା କଂଗ୍ରେସକୁ ଏକ ନିଆରା ଢଙ୍ଗରେ ପରିଚାଳନା କରିବାକୁ ଚାହୁଁଥିବା ନେଇ ସଙ୍କେତ ଦେଇଛନ୍ତି। ଶ୍ରୀ ଦାସ ଜାରି କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବନ କିମ୍ବା ବହିଷ୍କାର କରାଯାଇଥିଲା ତାହାକୁ ପ୍ରତ୍ୟାହାର କରାଗଲା। ବିଭିନ୍ନ ସମୟରେ ଯେଉଁମାନେ କୌଣସି ନା କୌଣସି କାରଣରୁ ଦଳ ଛାଡ଼ି ଚାଲି ଯାଇଛନ୍ତି, ସେମାନେ ପୁନର୍ବାର କଂଗ୍ରେସକୁ ଫେରିବା ଲାଗି ନିବେଦନ କରୁଛୁ। ଯଦି ସେମାନେ କଂଗ୍ରେସର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ ସେମାନଙ୍କୁ କଂଗ୍ରେସ ଦଳ ପକ୍ଷରୁ ସମ୍ମାନର ସହ ସ୍ବାଗତ କରାଯିବ। ପିସିସି ସଭାପତି ଭାବେ ଘୋଷଣା ହେବା ପରେ ଶ୍ରୀ ଦାସ କିଛିଘଣ୍ଟା ପରେ ପୂର୍ବତନ କଟକଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ଉପରୁ ନିଲମ୍ବନ ହଟାଇଥିଲେ। ତେଣୁ ଖୁବଶୀଘ୍ର ଅନ୍ୟମାନଙ୍କ ଉପରୁ ମଧ୍ୟ ଏଭଳି ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବ ବୋଲି ଆଶା କରାଯାଉଥିଲା। ଏହିକ୍ରମରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସମେତ ଅନ୍ୟମାନେ କଂଗ୍ରେସକୁ ଫେରିପାରନ୍ତି।
ଗତ ସାଧାରଣ ନିର୍ବାଚନରେ ବିଭିନ୍ନ କାରଣ ପାଇଁ ଏକାଧିକ ଦଳୀୟ ନେତା ଓ କର୍ମୀଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। କଂଗ୍ରେସ ଦଳରେ ଥାଇ ନିଜ ସାନ ପୁଅ ପାଇଁ ପ୍ରଚାର କରିବା ଅଭିଯୋଗରେ ସୁର ରାଉତରାୟଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଥିଲା। ଏହାଭିତରେ ସୁର ଖୁବଶୀଘ୍ର ଦଳକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କାରଣ ପିସିସି ସଭାପତି ଘୋଷଣା ହେବାର କିଛିଦିନ ପୂର୍ବରୁ ଶ୍ରୀ ରାଉତରାୟ ତାଙ୍କୁ ଦଳକୁ ଫେରିବା ଲାଗି ରାହୁଲ ଗାନ୍ଧୀଙ୍କ ଅତି ନିକଟତମ ବ୍ୟକ୍ତି ପ୍ରସ୍ତାବ ଦେଇଥିବା କହିଥିଲେ। ମାତ୍ର ଏଥିପାଇଁ ଲିଖିତ ଭାବେ ଦେବେନାହିଁ ବୋଲି ସୁର ଗଣମାଧ୍ୟମକୁ କହିଥିଲେ। ସେହିପରି ଗତବର୍ଷ ଜୁନ୍ ମାସରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକକୁ କଂଗ୍ରେସ ଭବନ ଭିତରେ କାଳିମାଡ଼ କରାଯାଇଥିଲା। ଏହି ଘଟଣାରେ ୫ଜଣ କର୍ମକର୍ତ୍ତା ୬ବର୍ଷ ପାଇଁ ବହିଷ୍କାର ହୋଇଥିଲେ। ଅପରପକ୍ଷରେ ଗତ ନିର୍ବାଚନରେ ଏକାଧିକ ନେତା କଂଗ୍ରେସ ଦଳ ଛାଡ଼ିଥିଲେ। ଦୀର୍ଘ ୩୮ବର୍ଷ ପରେ ସୁରେନ୍ଦ୍ର ସିଂହ ଭୋଇ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇ ବିଧାୟକ ହୋଇଛନ୍ତି। ଏହାସହ କେନ୍ଦ୍ରାପଡ଼ାରୁ ଗଣେଶ୍ବର ବେହେରା ଦଳ ଛାଡ଼ିଥିବା ବେଳେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଯେଉଁମାନେ ଅନ୍ୟ ଦଳକୁ ଯାଇ ବିଧାୟକ ଭାବେ ନିର୍ବାଚିତ ହୋଇ ସାରିଛନ୍ତି ସେମାନେ କଂଗ୍ରେସକୁ ପୁନର୍ବାର ଫେରିବାର ସମ୍ଭାବନା ନିକଟ ଭବିଷ୍ୟତରେ ନାହିଁ।