ପିସିସି ସଭାପତି ପରିବର୍ତ୍ତନ ନେଇ ପୁଣି କଂଗ୍ରେସରେ ଘଣ୍ଟା ଚକଟା

ସୋନିଆଙ୍କୁ ଦେଖା କରିବାକୁ ମାଗିଲେ ସମୟ, ମୋକିମଙ୍କୁ ସଭାପତି କରିବାକୁ ଦେବେ ପ୍ରସ୍ତାବ

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଗତ ୫ ଦିନ ତଳେ ଏକାଠି ବସିଥିବା ନେତାମାନେ ଆଜି ପୁଣି ଥରେ ସ୍ଥାନୀୟ ଏକ ହୋଟେଲରେ ମିଳିତ ହୋଇ ଆଲୋଚନା କରିଛନ୍ତି। ଦଳକୁ ସଜାଡ଼ିବା ସହିତ ବିଧାୟକ ମହମ୍ମଦ ମୋକିମଙ୍କୁ ନୂଆ ସଭାପତି କରିବାକୁ ଏଆଇସିସି ସଭାନେତ୍ରୀଙ୍କୁ ପ୍ରସ୍ତାବ ଦେବା ପାଇଁ ସ୍ଥିର କରିଛନ୍ତି। ତେବେ କଂଗ୍ରେସର ଏହି ଗୋଷ୍ଠୀଙ୍କ କହିବା କଥା, ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳ ଭିତରେ ରହି ମାର୍ଗ ଦର୍ଶନ କରିବା ଦରକାର। ଓଡ଼ିଶାରେ ଦଳ ଯେପରି ବିପର୍ଯ୍ୟୟ ସ୍ଥିତି ଦେଇ ଗତି କରୁଛି ସେଥିପାଇଁ କାଳବିଳମ୍ବ ନ କରି ତୃଣମୂଳ ସ୍ତରରୁ ସଂଗଠନକୁ ସଜାଡ଼ିବାକୁ ପଡ଼ିବ। ଏଥିପାଇଁ ଯୁବ ନେତୃତ୍ବର ଆବଶ୍ୟକତା ରହିଥିବା ସେମାନେ ଯୁକ୍ତି ଦର୍ଶାଇଛନ୍ତି।

ରବିବାର ସକାଳେ କଂଗ୍ରେସ ନେତା ସନତ ଦାସ, ବିଶ୍ବଜିତ୍ ଦାସ, ନିକୁଞ୍ଜ ପଶାୟତ, ଅଶୋକ ସାମଲ, ହିମାଂଶୁ ଲେଙ୍କା, ଅନନ୍ତ ଶୟନ ପାଢ଼ୀଙ୍କ ନେତୃତ୍ବରେ ୨୫ରୁ ୩୦ ଜଣ ଜିଲ୍ଲାସ୍ତରୀୟ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇଥିଲେ। ବୈଠକରେ ପରେ ନିକୁଞ୍ଜ ପଶାୟତ କହିଥିଲେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଦ୍ରୋହ କରିବା ପାଇଁ ବୈଠକ ହୋଇନି। ଶ୍ରୀ ପଟ୍ଟନାୟକଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ରହିଛି। ରାଜ୍ୟରେ କଂଗ୍ରେସର ସ୍ଥିତି ଆଜି ଯେଉଁ ଅବସ୍ଥାରେ ପହଞ୍ଚିଛି ତାକୁ ସୁଧାରିବା ପାଇଁ ଜୋରଦାର ଉଦ୍ୟମ ହେବା ଦରକାର। ସେଥିପାଇଁ ନେତୃତ୍ବ ପରିବର୍ତ୍ତନ କରିବା ବର୍ତ୍ତମାନର ସମୟର ଆହ୍ବାନ। ପିସିସି ସଭାପତି ପରିବର୍ତ୍ତନ ନେଇ ସବୁ ପୁରୁଣା ଓ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରି ବୈଠକ କରାଯାଇଛି। ଦଳ ପାଇଁ ସବୁ କଂଗ୍ରେସ କର୍ମୀ ଚିନ୍ତିତ। ଏଥିପାଇଁ ଆସନ୍ତା ୧୨ ତାରିଖ ଭିତରେ ୧୦ ଜଣ ନେତା ଦିଲ୍ଲୀ ଗସ୍ତକରି ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ସମୟ ମଗାଯାଇଛି। ବିଧାୟକ ମହମ୍ମଦ ମୋକିମଙ୍କୁ ପ୍ରଦେଶ କଂଗ୍ରେସର ସଭାପତି କରିବାକୁ ଶ୍ରୀମତୀ ଗାନ୍ଧୀଙ୍କୁ ପ୍ରସ୍ତାବ ଦିଆଯିବ। ଏହାସହିତ କଂଗ୍ରେସ ପୁଣି ଥରେ ଲୋକଙ୍କ କିପରି ବିଶ୍ବାସଭାଜନ ହୋଇପାରିବ ସେଥିପାଇଁ କିଛି ପ୍ରସ୍ତାବ ମଧ୍ୟ ଏଆଇସିସିକୁ ପ୍ରଦାନ କରାଯିବ। ସେହିପରି କଂଗ୍ରେସ ନେତା ଅଶୋକ ସାମଲ ଓ ଅନନ୍ତ ଶୟନ ପାଢ଼ୀ ମଧ୍ୟ ନେତୃତ୍ବ ପରିବର୍ତ୍ତନ ଉପରେ ଗୁରୁତ୍ବ ଦେଇଥିଲେ।

ସୂଚନାଯୋଗ୍ୟ ଯେ କଂଗ୍ରେସର ଏହି ନେତାମାନେ ସଭାପତି ପରିବର୍ତ୍ତନ ନେଇ ଗତ ବୁଧବାର ବୈଠକ କରିଥିଲେ। ଦିନକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟି ଦଳ ଭିତରେ କୌଣସି ବିଦ୍ରୋହ ନଥିବା ନେଇ ମଧ୍ୟ ସ୍ପଷ୍ଟ କରିଥିଲେ। ଏବେ ପୁଣି ଥରେ ନେତତ୍ବ ପରିବର୍ତ୍ତନ ଓ ଦଳକୁ ସୁଧାରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତା ଉପରେ ଏଆଇସିସି କଣ ନିଷ୍ପତ୍ତି ନେବ ତାକୁ ସମସ୍ତେ ଅପେକ୍ଷା ରଖିଛନ୍ତି।

ସମ୍ବନ୍ଧିତ ଖବର