କଂଗ୍ରେସର କଳାଦିବସ ପାଳନ

ଭୁବନେଶ୍ବର : ଆମ ଗାଁ ଆମ ବିକାଶ ଯୋଜନାରେ ପଞ୍ଚାୟତ ପ୍ରତିନିଧିଙ୍କୁ ସାମିଲ କରାଯାଉନି। ପୀଠା କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧିଙ୍କୁ ସାମିଲ କରା ନଯାଇ ଅପମାନିତ କରାଯାଉଛି। ଏହାର ପ୍ରତିବାଦରେ ଡିସେମ୍ବର ୨୬ ତାରିଖରେ କଳାଦିବସ ଭାବେ ପାଳନ କରିଛି କଂଗ୍ରେସ। ସାରା ରାଜ୍ୟର ସବୁ ବ୍ଲକ୍ ଆଗରେ କଳା ବ୍ୟାଜ୍ ପିନ୍ଧି ଦୁଇଘଣ୍ଟିଆ ବିକ୍ଷୋଭ କରିଛି କଂଗ୍ରେସ। ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କ ନେତୃତ୍ବରେ ଭୁବନେଶ୍ବର ବ୍ଲକ୍ ଆଗରେ ସକାଳ ୧୦ଟାରୁ ଦୁଇ ଘଣ୍ଟା ବିକ୍ଷୋଭ କରାଯାଇଥିଲା। ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ନେତୃତ୍ବରେ କଂଗ୍ରେସ ଭବନ ଆଗରେ ଧାରଣା ଦେଇଥିଲେ କଂଗ୍ରେସ କର୍ମୀ।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ଆମ ଗାଁ ଆମ ବିକାଶ ଯୋଜନାରେ ପ୍ରହସନ ବନ୍ଦ କରନ୍ତୁ। ଏଥିରେ ଯେଉଁ ପ୍ରକଳ୍ପ ଗୁଡ଼ିକୁ ଘୋଷଣା କରାଯାଉଛି ସେସବୁ ଗ୍ରାମସଭା କିମ୍ବା ପଞ୍ଚାୟତର ବିନା ଅନୁମୋଦନରେ ଘୋଷଣା କରାଯାଉଛି। ଯାହାକି ପଞ୍ଚାୟତ ଅନୁଷ୍ଠାନ ପ୍ରତି ଅପମାନ। ସେହିପରି ପୀଠା କାର୍ଯ୍ୟକ୍ରମରେ ପଞ୍ଚାୟତକୁ ସମ୍ପୃକ୍ତ କରନଯିବା ଦୁର୍ଭାଗ୍ୟଜନକ।

ନିରଞ୍ଜନ ଆହୁରି କହିଛନ୍ତି, ଦୀର୍ଘ ବର୍ଷ ଧରି ବିଜେଡି କ୍ଷମତାରେ ରହିଥିଲେ ବି ପଞ୍ଚାୟତ ସ୍ତରରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କ ପାଇଁ ଖୋଲା ହାତ ପାଣ୍ଠିର ବ୍ୟବସ୍ଥା କରିନାହାନ୍ତି। ଵାର୍ଡ଼ମେମ୍ବର,ସରପଞ୍ଚ,ସମିତିସଭ୍ୟ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷମାନଙ୍କର ଭତ୍ତାକୁ ବୃଦ୍ଧି କରାଯାଉନି କି ସେମାନଙ୍କୁ ସମ୍ମାନଜନକ ପାରିଶ୍ରମିକ ଦିଆଯାଉନି। ସମ୍ବିଧାନର ୭୩ ତମ ସଂଶୋଧନ ଆଇନ ମୁତାବକ ପଞ୍ଚାୟତକୁ ଯେଉଁ ଅଧିକାର ମିଳିଛି ତାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି।

ସମ୍ବନ୍ଧିତ ଖବର