କଂଗ୍ରେସର ବିପର୍ଯ୍ୟୟ ନେଇ ମାନସ ମନ୍ଥନ

ଟିକେଟ୍‌ ବଣ୍ଟନ ବିଭ୍ରାଟ ପ୍ରସଙ୍ଗ ଉଠିଲା, ଜିଲ୍ଲାରୁ ପିସିସି ପର୍ଯ୍ୟନ୍ତ ଆମୂଳଚୁଳ ପରିବର୍ତନ, ନରସିଂହ ହେବେ ବିଧାୟକ ଦଳ ନେତା, ଜାତୀୟ ସଭାପତି ରାହୁଲ, ରାଜ୍ୟରେ ନିରଞ୍ଜନ ନେଇ ସଂକଳ୍ପ

ଭୁବନେଶ୍ବର : ଗତ ସାଧାରଣ ନିର୍ବାଚନରେ ଓଡ଼ିଶା‌େର କଂଗ୍ରେସର ଦାରୁଣ ବିପର୍ଯ୍ୟୟ ଦଳକୁ ଶକ୍ତ ଆଘାତ ଦେଇଛି। ଏହାର କାରଣ ଓ ନିରାକରଣ ଖୋଜିବା ଏବଂ ଆଗାମୀ ଦିନରେ ଦଳକୁ କ୍ରିୟାଶୀଳ କରିବା ପାଇଁ ଆଜି କଂଗ୍ରେସ ଭବନରେ ହୋଇଥିଲା ମାନସ ମନ୍ଥନ। ଗତ ନିର୍ବାଚନରେ ବାପ-ପୁଅ ବା ପରିବାର ରାଜନୀତି, ଟିକେଟ୍‌ ବଣ୍ଟନରେ ବିଳମ୍ବ ଓ ବିଭ୍ରାଟ, ନିର୍ବାଚନ ପରିଚାଳନାରେ ତ୍ରୁଟି ଆଦି ପ୍ରସଙ୍ଗ ନେଇ ହୋଇଥିବା ଆଲୋଚନା ବାତାବରଣକୁ ସରଗରମ କରିଦେଇଥିଲା। ତେବେ ଆଗାମୀ ଦିନରେ ଦଳ ଯେପରି ଅଣ୍ଟା ସଳଖି ଠିଆ ହୋଇପାରିବ, ସେଥିପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସ୍ଥିର ହୋଇଛି। ଏହାର ପ୍ରଥମ ପଦକ୍ଷେପ ସ୍ବରୂପ ରାଜ୍ୟ କଂଗ୍ରେସରେ ଜିଲ୍ଲା ସ୍ତରରୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପର୍ଯ୍ୟନ୍ତ ଆମୂଳଚୁଳ ପରିବର୍ତନ କରିବାକୁ ବଡ଼ ନିଷ୍ପତ୍ତି ନେଇଛି ଦଳ।

ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଟି.ଏସ୍‌. ସିଂହଦେଓ, ବରିଷ୍ଠ ନେତା ନରସିଂହ ମିଶ୍ର, ଭକ୍ତଚରଣ ଦାସ, ଏଆଇସିସି କର୍ମକର୍ତା ରୂଦ୍ରରାଜୁ, ମସ୍ତାନ ଭାଲି, ଆଦିତ୍ୟ ଶର୍ମା, ରାଜ୍ୟ ନେତା ଓ କର୍ମକର୍ତାମାନେ ଯୋଗ ଦେଇଥିଲେ। ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଏହି ସମୀକ୍ଷା ବୈଠକରେ ପ୍ରତ୍ୟେକ ବିଧାନସଭା ଓ ଲୋକସଭା ଆସନରୁ ପରାଜିତ ପ୍ରାର୍ଥୀମାନେ ଜଣ ଜଣ କରି ସେମାନଙ୍କର ନିର୍ବାଚନରେ ହାରିବା ସମସ୍ୟା ସଂପର୍କରେ ବଖାଣିଥିଲେ।

ଏହି ଅବସରରେ ପରିବାର ରାଜନୀତି କିପରି ନିର୍ବାଚନକୁ ପ୍ରଭାବିତ କରିଥିଲା ସେ କଥା କିଛି ପ୍ରାର୍ଥୀ ଉଠାଇଥିଲେ। ବିଶେଷ କରି ସୁନ୍ଦରଗଡ଼ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଅଧିକ ଥିଲା ବେଳେ ଜଣେ ବରିଷ୍ଠ ନେତାଙ୍କ କନ୍ୟା ଜଣକ ବିଜେଡି ଟିକେଟ୍‌ ପାଇ ସେହି ଭୋଟ ହାର କିପରି କାଟିଥିଲେ, ସେ କଥା ମଧ୍ୟ ଆଲୋଚନା ପରିସରକୁ ଆସିଥିଲା। ଟିକେଟ୍‌ ବଣ୍ଟନ ପ୍ରକ୍ରିୟା ଅହେତୁକ ଭାବେ ବିଳମ୍ବିତ ଏବଂ ଏଥିରେ ବିଭ୍ରାଟ ସୃଷ୍ଟି ହେବା ଅନେକ ପ୍ରାର୍ଥୀଙ୍କ ପରାଜୟର ଅନ୍ୟତମ କାରଣ ବୋଲି କିଛି ପ୍ରାର୍ଥୀ ଗଭୀର ଅସନ୍ତୋଷ ପ୍ରକାଶ କରି ଦର୍ଶାଇଥିଲେ। ଏପରି କି କିଛି ପ୍ରାର୍ଥୀ ଦଳୀୟ ଟିକେଟ୍‌ ଫେରାଇବା ପ୍ରସଙ୍ଗ ଦଳୀୟ କର୍ମୀମାନଙ୍କୁ ହତୋତ୍ସାହିତ କରିଥିଲା ବୋଲି କହିଥିଲେ କିଛି ପ୍ରାର୍ଥୀ। ସେହିପରି ପ୍ରାର୍ଥୀ ଚୟନ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।

ଅପରାହ୍‌ଣ ୪ଟାରେ ଅନୁଷ୍ଠିତ ଅଧିବେଶନରେ ଦଳର ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ଅମୀୟ ପଟ୍ଟନାୟକ ପ୍ରମୁଖ ଖୋଲାଖୋଲି ଦଳୀୟ ସଭାପତିଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ। ୨୦୧୪ ନିର୍ବାଚନରେ କଂଗ୍ରେସ ଦଳର ‌ଭୋଟ ହାର ପ୍ରାୟ ୨୭ ପ୍ରତିଶତ ଥିଲା। କିନ୍ତୁ ୨୦୧୯ରେ ଏହା ୧୬.୮ ପ୍ରତିଶତକୁ ହ୍ରାସ ପାଇଲା। ସଭାପତି ନିଜେ ୨ଟି ଯାକ ଆସନରୁ ହାରିଲେ। ବିଶେଷ କରି ପୁରୀ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ମାତ୍ର ୪ ପ୍ରତିଶତ ଭୋଟ ପାଇବା ଲଜ୍ଜାଜନକ ପ୍ରସଙ୍ଗ। ତେବେ ଦଳର ପରାଜୟ ପାଇଁ ସେ ସଂପୂର୍ଣ୍ଣ ରୂପେ ଦାୟୀ ବୋଲି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ।

ବୈଠକ ପରେ ପ୍ରଭାରୀ ଶ୍ରୀ ସିଂହ କହିଥିଲେ ଯେ ରାଜ୍ୟ କଂଗ୍ରେସରେ ଆମୂଳଚୁଳ ପରିବର୍ତନ କରାଯିବ। ଜିଲ୍ଲାସ୍ତରରୁ ପିସିସି ପର୍ଯ୍ୟନ୍ତ ବ୍ୟାପକ ଅଦଳ ବଦଳ ହେବ। ତାଙ୍କ କହିବାନୁସାରେ ନେତା ବଡ଼ ନୁହେଁ, ସଂଗଠନ ବଡ଼। ନେତା ଆସିବେ, ଯିବେ। କିନ୍ତୁ କଂଗ୍ରେସ ସର୍ବପୁରାତନ ଦଳ। ତେବେ ଦଳ ବିରୋଧୀ କାର୍ଯ୍ୟରେ ଜଡ଼ିତ ନେତାମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ତାଗିଦ୍‌ କରିଥିଲେ। ଦଳକୁ ଆଗକୁ ବଢ଼ିବାକୁ ପଡ଼ିବ। ଏଥିପାଇଁ ଆସନ୍ତାକାଲିଠାରୁ ଜିଲ୍ଲା ସ୍ତରରୁ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ୯ଜଣ ବିଜୟୀ ବିଧାୟକ ଏବଂ ଜଣେ ଲୋକସଭା ସାଂସଦଙ୍କୁ ସମ୍ବର୍ଧନା ଦିଆଯାଇଥିଲା। ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ଭାବେ ସର୍ବସମ୍ମତି କ୍ରମେ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ନିର୍ବାଚିତ କରାଯାଇଥିଲା। ଅବଶ୍ୟ ଏ ନେଇ ଆନୁଷ୍ଠାନିକ ଘୋଷଣା ବାକି ରହିଛି। କଂଗ୍ରେସର ଜାତୀୟ ସଭାପତି ରାହୁଲ ଗାନ୍ଧୀଙ୍କୁ ନିଜ ପଦବି ନ ଛାଡ଼ିବା ପାଇଁ ଅନୁରୋଧ କରି ବୈଠକରେ ସଂକଳ୍ପ ପାରିତ ହୋଇଛି ବୋଲି ଦଳୀୟ ମୁଖପାତ୍ର ରଜନୀକାନ୍ତ ମହାନ୍ତି ଏକ ବିବୃତି ଜରିଆରେ କହିଛନ୍ତି। ଶ୍ରୀ ଗାନ୍ଧୀଙ୍କୁ ଜାତୀୟ କଂଗ୍ରେସର ପୂର୍ଣ୍ଣଗଠନ ଓ ପୂର୍ଣ୍ଣବିନ୍ୟାସ କରିବାର ସ୍ୱାଧୀନତା ପ୍ରଦାନ କରିବାକୁ କୁହାଯାଇଛି। ସେହିପରି ରାଜ୍ୟ କଂଗ୍ରେସକୁ ସଶକ୍ତ ଓ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଆହୁରି ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ନେଇ ସଂକଳ୍ପ ସର୍ବସମ୍ମତି କ୍ରମେ ପାରିତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର