ଭୁବନେଶ୍ବର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ’ ଯାତ୍ରାର ବର୍ଷ ପୂର୍ତ୍ତି ଆଜି ଓଡ଼ିଶା କଂଗ୍ରେସ ପକ୍ଷରୁ ପାଳନ କରାଯାଇଛି। ଏହି ଉପଲକ୍ଷେ ଅପରାହ୍ଣରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପଦଯାତ୍ରା କଂଗ୍ରେସ ଭବନରୁ ବାହାରି ଇନ୍ଦିରା ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ କଂଗ୍ରେସ ନେତୃବୃନ୍ଦ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ସମ୍ବଳିତ ଫଟୋ ପ୍ରଦର୍ଶନୀକୁ ଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରିଥିଲେ।
ପରେ ଆୟୋଜିତ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରା ୪ହଜାର କି.ମି ଯାତ୍ରା କରି ଇତିହାସ ରଚିଥିଲା। ଦେଶର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଅବସ୍ଥାର ସୁଧାର ପାଇଁ ଭାରତ ଯୋଡ଼ୋ ଯାତ୍ରା ଅଭିପ୍ରେତ ଥିଲା। ହିଂସା, ଘୃଣା, ଜାତିବାଦ, ଧାର୍ମିକ ଅସହିଷ୍ଣୁତା, କୁଶାସନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବିରୋଧରେ ସଂଗ୍ରାମ ହୋଇଥିଲା। ଭାରତ ଯୋଡ଼ୋ ଯାତ୍ରା ହେଉଛି ଦେଶର ଜନସାଧାରଣଙ୍କ ସ୍ବର। ଓଡ଼ିଶାରେ ଭାରତ ଯୋଡ଼ୋ ପରିବର୍ତନ ଯାତ୍ରା ୨୭ଟି ଜିଲ୍ଲା ୧୯ଟି ସଂସଦୀୟ କ୍ଷେତ୍ର ଦେଇ ୨୨୫୦ କି.ମି ଅତିକ୍ରମ କରିଛି। ରାଜ୍ୟର ରୋଜଗାର ସମସ୍ୟା, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ବର୍ଗଙ୍କ ସ୍ବାର୍ଥ ପାଇଁ ଏହି ଯାତ୍ରା ଥିଲା। ରାଜ୍ୟରେ ସରକାରୀ ବାବୁମାନେ ନିରପେକ୍ଷତା ଅବଲମ୍ବନ କରିବା ପରିବର୍ତେ ପକ୍ଷଧର ହେଉଛନ୍ତି। ଏହାଦ୍ବାରା ଆଜି ଗଣତନ୍ତ୍ର ଓ ଗାଣତାନ୍ତ୍ରିକ ଅନୁଷ୍ଠାନସବୁ ଦିନକୁ ଦିନ ଦୁର୍ବଳ ହୋଇଯାଉଛି। ଆଗାମୀ ନିର୍ବାଚନରେ ଜନସାଧାରଣ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ଶରତ ରାଉତ, ବିଧାୟକ ସୁରେଶ ରାଉତରାୟ, ଯୁଧିଷ୍ଠିର ଜେନା, ଲଲାଟେନ୍ଦୁ ମହାପାତ୍ର, କିଶୋର ଜେନା, ବିଶ୍ବଜିତ ଦାଶ, ନବଜ୍ୟୋତି ପଟ୍ଟନାୟକ, ବନ୍ଦିତା ପରିଡ଼ା, ୟାସିର ନୱାଜ, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ପ୍ରଶାନ୍ତ ଚମ୍ପତ୍ତି, ଦୀପକ ମହାପାତ୍ର, ସଂକୁନା କହଁର, ଅକ୍ଷୟ ଦାସ ଓ ଅନ୍ୟମାନେ ସାମିଲ ହୋଇଥିଲେ। ସେହିପରି ଆଜି ରାଜ୍ୟର ସବୁ ଜିଲ୍ଲା ସଦରମହକୁମାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧ବର୍ଷ ପୂର୍ତି ପଦଯାତ୍ରା ଅନୁଷ୍ଠିତ ହୋଇଛି। ପିସିସି ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ଜିଲ୍ଲା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାକୁ ସଫଳ କରିଛନ୍ତି ବୋଲି ପିସିସି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।