ଆଖି ବୁଜିଲେ ଗଙ୍ଗା-ଯମୁନା

କଟକ : ଜୀବନ ଯୁଦ୍ଧରେ ହାରିଗଲେ ଯମଜ ଶିଶୁ କନ୍ୟା ଗଙ୍ଗା-ଯମୁନା। ୨୧ ଦିନ ଧରି ଶିଶୁଭବନରେ ଚିକିତ୍ସିତ ହେଉଥିବା ଏହି ଯମଜ ଶିଶୁକନ୍ୟା ଗତକାଲି ବିଳମ୍ବିତ ରାତିରେ ଆଖି ବୁଜି ଦେଇଛନ୍ତି । ହାର୍ଟ (ହୃତ୍‌ପିଣ୍ଡ)ରୁ ଠିକ୍‌ ଭାବେ ଶରୀରକୁ ରକ୍ତ ସଂଚାଳନ ନହେବାରୁ ଗଙ୍ଗା-ଯମୁନାଙ୍କ ମୃତ୍ୟୁ ଘଟିଛି। ଡାକ୍ତରୀ ଟିମ୍‌ ସମସ୍ତ ଡାକ୍ତରୀ ବିଦ୍ୟା ବ୍ୟବହାର କରିଥିଲେ ସୁଦ୍ଧା ଶିଶୁ କନ୍ୟାଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇପାରିଲେ ନାହିଁ। ଗତ ଶୁକ୍ରବାର ଠାରୁ ଉଭୟଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଇଥିବା ବେଳେ ଗତକାଲି ସନ୍ଧ୍ୟାରୁ ଜୀବନ ପ୍ରତି ବିପଦ ଅଧିକ ବ଼ଢ଼ିଥିଲା ବୋଲି ଶିଶୁଭବନ କର୍ତ୍ତୃପକ୍ଷ କହିଛନ୍ତି । ଡାକ୍ତରଙ୍କ ପକ୍ଷରୁ ମୃତ ଘୋଷଣା ପରେ ପରିବାର ସଦସ୍ୟଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଥିଲା ।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଖାଲିଆପାଟଣା ଅଞ୍ଚଳର କିଶୋର ଦତ୍ତଙ୍କ ପତ୍ନୀ ସୁମିତ୍ରା ଯମଜ ଶିଶୁ କନ୍ୟା ଗଙ୍ଗା-ଯମୁନାଙ୍କୁ ଗତ ୧ ତାରିଖରେ ଜନ୍ମ ଦେଇଥିଲେ । ସେମାନଙ୍କ ପେଟ ଓ ଛାତି ଯୋଡ଼ି ହୋଇଥିଲା । ସେଦିନ ରାତିରେ ନିକୁ (ନିଓନାଟାଲ୍‌ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌)ର ବେଡ୍‌ ନମ୍ବର ୨୩୦ରେ ଦୁହେଁ ଭର୍ତ୍ତି ହୋଇଥିଲା । ୨ ତାରିଖରୁ ୧୨ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳ ଉଭୟଙ୍କ ଚିକିତ୍ସା ଆରମ୍ଭ କରିଥିଲେ । କଟକ ବଡ଼ ମେଡିକାଲ୍‌ରୁ ଗତ ୪ ତାରିଖରେ ଆସିଥିବା ସିଟି ସ୍କାନ୍‌ ଏବଂ ଇକୋ କାର୍ଡିଓଗ୍ରାଫି ରିପୋର୍ଟରୁ ଗଙ୍ଗା-ଯମୁନାଙ୍କ ଗୋଟିଏ ହୃତ୍‌ପିଣ୍ଡ (ହାର୍ଟ) ଏବଂ ଯକୃତ (ଲିଭର)ରେ ଗୁରୁତର ତ୍ରୁଟି ଥିବା ଡାକ୍ତରୀ ଟିମ୍‌ ଜାଣିବାକୁ ପାଇଥିଲେ । ହୃତପିଣ୍ଡ ପୁଣି ଛାତିର ମଝିରେ ଥିଲା। ଏକ ବର୍ଷ କାଳ ସେମାନଙ୍କୁ ଶିଶୁଭବନରେ ରଖାଯାଇ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଗତ ୧୫ ତାରିଖଠାରୁ ଉଭୟ ହଠାତ୍‌ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଉଭୟଙ୍କ ମୃତ୍ୟୁ ହୋଇଛି। ରାତି ପ୍ରାୟ ୨ଟା ବେଳେ ଏକ ସ୍କର୍ପିଓରେ କିଶୋର ଦୁଇ ମୃତ ଶିଶୁଙ୍କୁ ଧରି ଶଳା ଓ ଶାଶୂଙ୍କ ସହିତ ନୟାଗଡ଼ସ୍ଥିତ ଘରକୁ ଫେରିଯାଇଥିଲେ।

ପେଡିଆଟ୍ରିକ୍‌ ସର୍ଜରୀ ବିଭାଗର ମୁଖ୍ୟ ତଥା ୧୨ ଜଣିଆ ଡାକ୍ତରୀ ଟିମ୍‌ର ମୁଖ୍ୟ ଡାକ୍ତର ପି.କେ. ଜେନା କହିଛନ୍ତି, ‘ମା’ ପେଟରେ ଶିଶୁ କନ୍ୟା ଥିବା ବେଳେ ହାର୍ଟ ଉପଯୁକ୍ତ ଭାବେ ତିଆରି ହୋଇ ନଥିଲା। ଏଥିରେ ଅନେକ ତ୍ରୁଟି ଥିଲା, ଯଦ୍ୱାରା ହାର୍ଟ ଠିକ୍‌ ଭାବେ କାମ କରୁ ନଥିଲା । ହାର୍ଟରୁ ଠିକ୍‌ ଭାବେ ରକ୍ତ ସପ୍ଲାଏ ହୋଇପାରୁ ନଥିଲା । ହାର୍ଟ ଅକାମୀ ହୋଇଥିଲା। ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ କହିଛନ୍ତି, ହାର୍ଟ ଠିକ୍‌ ଭାବେ କାର୍ଯ୍ୟ କରୁ ନଥିବାରୁ ସନ୍ଧ୍ୟା ବେଳେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ୫ ଜଣିଆ ଡାକ୍ତରୀ ଦଳ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନଙ୍କୁ ବଞ୍ଚାଇବା ସମ୍ଭପର ହୋଇ ନଥିଲା ।

ସମ୍ବନ୍ଧିତ ଖବର