ଆଧୁନିକ ଓଡ଼ିଶା ଗଠନରେ ଓସିସିର ଅବଦାନ ପ୍ରଶଂସନୀୟ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ନିର୍ମାଣ ନିଗମର ୬୦ତମ ପ୍ରତିଷ୍ଠା ଦିବସ, ୪୫୦କୋଟି ଟଙ୍କାର ୧୮ଟି ପ୍ରକଳ୍ପ ଲୋକାର୍ପିତ ହେଲା

ଭୁବନେଶ୍ବର : ଗତ ୬୦ ବର୍ଷରେ ଓଡ଼ିଶା ନିର୍ମାଣ ନିଗମ(ଓସିସି) ଜଳ ବିଦ୍ୟୁତ, ଜଳସେଚନ, ତାପଜ ବିଦ୍ୟୁତ, ଶିଳ୍ପ, ବନ୍ଦର, ରେଲୱେ ଏବଂ ବିଭିନ୍ନ ଅନୁଷ୍ଠାନର ପ୍ରକଳ୍ପ ନିର୍ମାଣ କରିଛି। ଏହି ପ୍ରକଳ୍ପ ଦ୍ବାରା ବର୍ଷ ବର୍ଷ ଧରି ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟର ସାମାଜିକ ଅର୍ଥ‌ନୈତିକ ଏବଂ ଶିଳ୍ପ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆସିପାରିଛି। ଏହାସହ ରାଜ୍ୟରେ ଜଳ, ବିଦ୍ୟୁତ ଓ ସଂଯୋଗୀକରଣ କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇଛି। ଆଧୁନିକ ଓଡ଼ିଶା‌ ନିର୍ମାଣ ପାଇଁ ଓସିସିର ଅବଦାନ ପ୍ରଶଂସନୀୟ। ଗତ ୬୦ବର୍ଷ ଧରି ଓସିସି ସହ ସଂପୃକ୍ତ ଥିବା ପ୍ରତ୍ୟେକଙ୍କୁ ଏଥିପାଇଁ ଧନ୍ୟବାଦ। ଏହିଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓସିସିର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ୬୦ତମ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି।

ଆଜି ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ଓସିସିର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇ ୨୨ମେ, ୧୯୬୨ରେ ଏହି ସଂସ୍ଥାର ସୃଷ୍ଟି ପାଇଁ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ମନେପକାଇଥିଲେ। ୬୦ବର୍ଷ ତଳେ ଏକ ଛୋଟ ସଂସ୍ଥାରୁ ଆରମ୍ଭ ହୋଇଥିବା ଓସିସି ଏବେ ଓଡ଼ିଶାର ବଡ଼ ନିର୍ମାଣ ସଂସ୍ଥା‌ ହେବା ସହ ପ୍ଲାନିଂ, ଡିଜାଇନିଂ, ମନିଟରିଂ, ନିର୍ମାଣ, ଯାନ୍ତ୍ରିକ ଓ ଜଳବିଦ୍ୟୁତ ପ୍ରକଳ୍ପ କ୍ଷେତ୍ରରେ ଏକ ବିରାଟ ଅଭିଜ୍ଞସଂପନ୍ନ ସଂସ୍ଥା ହୋଇପାରିଛି। ମୁଁ ଆଶା କରୁଛି ଯେ, ୫-ଟିରେ ସାମିଲ୍‌ ହେବା ପରେ ଏକବିଂଶ ଶତାବ୍ଦୀରେ ଓଡ଼ିଶାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଏହି ନିଗମର ଦକ୍ଷତା ଓ ବୃତ୍ତିଗତ ଅଭିବୃଦ୍ଧି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୪୫୦କୋଟି ଟଙ୍କାର ୧୮ଟି ପ୍ରକଳ୍ପ ଲୋକାର୍ପିତ କରିବା ସହ ଓଡ଼ିଶା ନିର୍ମାଣ ନିଗମର କଫିଟେବୁଲ୍‌ ବହିକୁ ଲୋକାର୍ପିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଓସିସି ଓଡ଼ିଶାରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଓସିସି ଆଜି ଏକ ବଡ଼ ସଂସ୍ଥାରେ ପରିଣତ ହୋଇଛି। ଡିଜାଇନିଂ, ପ୍ଲାନିଂରୁ ଆରମ୍ଭ କରି ନିର୍ମାଣ କ୍ଷେତ୍ରରେ ଏକ ବୃହତ୍ତ ସଂସ୍ଥା ହୋଇପାରିଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ ଓସିସିର ଲାଭାଂଶରୁ ୧୪.୭୫କୋଟି ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ଓସିସିର ଅଧ୍ୟକ୍ଷା ଅନୁ ଗର୍ଗ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର