ତାତିଲେ ଠିକାଦାର, ଟେଣ୍ଡର ଦର ନିର୍ଦ୍ଧାରଣ ଦାବି, ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର : ପୂର୍ତ୍ତ ବିଭାଗ କୋଡ୍‌ ମୁତାବକ ପ୍ରତ୍ୟେକ ବର୍ଷ ନିର୍ମାଣ ଟେଣ୍ଡର୍‌ ଦର ନିର୍ଦ୍ଧାରଣ ହେବ। ହେଲେ ରାଜ୍ୟ ସରକାର ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶାର ଠିକାଦାରଙ୍କୁ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି। ୫ବର୍ଷ ତଳେ ଅର୍ଥାତ୍‌ ୨୦୧୪ ମସିହାରେ ଧାର୍ଯ୍ୟ ହୋଇଥିବା ବିଭିନ୍ନ ସାମଗ୍ରୀର ଦର ଏବେ ୭୦ରୁ ୮୦ ପ୍ରତିଶତ ବୃଦ୍ଧି ପାଇଥିଲେ ମଧ୍ୟ ସେହି ପୁରୁଣା ଦରରେ କାମ କରିବା ପାଇଁ ବାଧ୍ୟ କରାଯାଉଛି। ତା’ ସହ ଟେଣ୍ଡର୍‌ ମୂଲ୍ୟରୁ ୧୪.୯୯ ପ୍ରତିଶତ କମ୍‌ରେ କାମ କରିବା ପାଇଁ ମଧ୍ୟ ସର୍ତ୍ତ ରଖାଯାଉଛି। ରେଟ୍‌ ଧାର୍ଯ୍ୟ ହେଉନଥିବାରୁ ରାଜ୍ୟର ୫୦ ହଜାର ଠିକାଦାର ହାତବାନ୍ଧି ବସିଛନ୍ତି। ଏଣୁ ତୁରନ୍ତ ଏହି ଦର ପୁନଃ ନିର୍ଦ୍ଧାରଣ କରିବା ପାଇଁ ଓଡ଼ିଶା କଣ୍ଟ୍ରାକ୍ଟର୍ସ ଆସୋସିଏସନ୍‌ ଦାବି କରିଛି। ନଚେତ୍‌ ଆନ୍ଦୋଳନ କରାଯିବ ବୋଲି ଆସୋସିଏସନ୍‌ ସଭାପତି ପ୍ରଭାତ ଦାଶ ଚେତାବନୀ ‌ଦେଇଛନ୍ତି।

ସଂଘ ପକ୍ଷରୁ କୁହାଯାଇଛି ‌ଯେ ସରକାର ବିଭିନ୍ନ ସମୟରେ ଅନେକ କାମକୁ ମିଶାଇ କମ୍ପୋଜିଟ୍‌ ଟେଣ୍ଡର୍‌ କରି ଗୋଟିଏ ଠିକାଦାରକୁ କୋଟି କୋଟି ଟଙ୍କାର କାମ ଦେଇ ଦେଉଛନ୍ତି। ଟେଣ୍ଡର୍‌ ମୂଲ୍ୟର ଶତ ପ୍ରତିଶତରୁ ଅଧିକରେ ମଧ୍ୟ କାମ ଦେଉଛନ୍ତି। ବିଭାଗୀୟ ସିଡ୍ୟୁଲ୍‌ ରେଟ୍‌ ଧାର୍ଯ୍ୟ ହୋଇନଥିବାରୁ ଅଧିକାରୀମାନେ ମନମାନି କରୁଛନ୍ତି। ପୂର୍ତ୍ତ ବିଭାଗ ନିର୍ମାଣ ନିୟମ ସଂଶୋଧନ କରି ଠିକାଦାରଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ହାଇକୋର୍ଟ ମଧ୍ୟ ଆଦେଶ ଦେଇଛନ୍ତି। କିନ୍ତୁ ତାହା ଅଦ୍ୟାବଧି ପାଳନ କରାଯାଉନାହିଁ। ପୂର୍ବରୁ ଏ ନେଇ ମନ୍ତ୍ରୀ ଆଲୋଚନା କରି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ। ଏହାର ପ୍ରତିବାଦରେ ସଂଘ ନିର୍ମାଣ ସୌଧ ସାମ୍ନାରେ ୧୮ତାରିଖରୁ ଧାରଣା ଦେବା ପାଇଁ ଲିଖିତ ଭାବେ ଜଣାଇବା ପରେ ପୁଲିସ ସେଠାରେ ୧୪୪ ଧାରା ଜାରି କରିଛି। ଏଣୁ ଠିକାଦାରଙ୍କୁ ଜାଣିଶୁଣି ହଇରାଣ କରିବା ପାଇଁ ସରକାର ଯୋଜନା କରିଥିବା ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଭାଗ୍ୟଧର ଦାଶ, ଉପସଭାପତି ପ୍ରତାପ କିଶୋର ପଣ୍ଡା, ସୁନୀଲ ମହାପାତ୍ର, ଅନିଲ ମହାଳିକ, କାଳୀପ୍ରସାଦ ମିଶ୍ର ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

୭ ଦିନ ଭିତରେ ଏହି ସିଡ୍ୟୁଲ ଦର ଧାର୍ଯ୍ୟ କରିବା ସହ ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଡାଟା ବୁକ୍‌ ପ୍ରଚଳନ କରିବା, ଷ୍ଟାଣ୍ଡାର୍ଡ ବିଡିଂ ଡକ୍ୟୁମେଣ୍ଟ ଅନୁସରଣ କରିବା, ୧୪.୯୯ ପ୍ରତିଶତରୁ କମ୍‌ ମୂଲ୍ୟରେ ଟେଣ୍ଡର ନେବା ପ୍ରକ୍ରିୟାକୁ ବନ୍ଦ କରିବା, ୭ ବର୍ଷ ଧରି ପଡ଼ି ରହିଥିବା ହାଇକୋର୍ଟଙ୍କ ଆଦେଶକୁ ସରକାର ମାନିବା, ପିଏମ୍‌ଜିଏସ୍‌ୱାଇ କାମରେ ଶ୍ରମିକଙ୍କ ବୃଦ୍ଧି ମଜୁରି ବାବଦ ଦେୟ ପ୍ରଦାନ କରିବା ଆଦି ଦାବି ରହିଛି।

ସମ୍ବନ୍ଧିତ ଖବର