ରାଜ୍ୟରେ ବଢୁଛି କରୋନା ଜନିତ ମୃତ୍ୟୁ : କରୋନା ମୃତ୍ୟୁରେ ଅର୍ଧଶତକ

ମାତ୍ର ଦୁଇ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ ୧୧ହଜାରକୁ ଡେଇଁଲା, ୫୨ପ୍ରାଣ ହରାଇଲେଣି
୪୦୧ ରୋଗୀ ସୁସ୍ଥ ହେବାରେ ରେକର୍ଡ, କିନ୍ତୁ ସୁସ୍ଥତା ହାର ୭୦%ରୁ ୬୬%କୁ ଖସିଛି

ଭୁବନେଶ୍ବର : ଆଜି ରାଜ୍ୟରେ ୪ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣଙ୍କ ମୃତ୍ୟୁ ଅଣ କୋଭିଡ୍‌ ଜନିତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ମୃତକଙ୍କ ମଧ୍ୟରେ ୩ଜଣ ଗଞ୍ଜାମ ଜିଲ୍ଲାର ରହିଛନ୍ତି। ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ୬୫ବର୍ଷର ବ୍ୟକ୍ତି, ଯକ୍ଷ୍ମାରେ ପୀଡ଼ିତ ୫୮ବର୍ଷର ବ୍ୟକ୍ତି ଓ ମଧୁମେହରେ ପୀଡ଼ିତ ଥିବା ୬୩ବର୍ଷର ବ୍ୟକ୍ତି କରୋନାର ଶିକାର ହୋଇଛନ୍ତି। ଏଥିସହିତ କେବଳ ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସରକାରୀ ଭାବେ ୩୦ରେ ପହଞ୍ଚିଛି। ସେହିଭଳି ଭଦ୍ରକ ଜିଲ୍ଲାରେ ୫୮ବର୍ଷର ବ୍ୟକ୍ତି ଉଭୟ ମଧୁମେହ ଓ ଜଟିଳ କିଡ୍‌ନି ରୋଗରେ ଆକ୍ରାନ୍ତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏସବୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ୫୨ରେ ପହଞ୍ଚିଛି। ଜୁନ୍‌ ମାସରୁ ଏ ପର୍ଯ୍ୟନ୍ତ ୪୫ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଆଶ୍ବାସନାର ବିଷୟ ହେଉଛି, ଓଡ଼ିଶାରେ କ‌ରୋନା ମୃତ୍ୟୁ ହାର ୦.୬ ପ୍ରତିଶତ ରହିଛି। ଯାହାକି ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍।

ଅପରପକ୍ଷରେ କେନ୍ଦୁଝରର ୪୨ବର୍ଷର କର୍କଟ ରୋଗରେ ପୀଡ଼ିତ ଓ ଭଦ୍ରକ ଜିଲ୍ଲାର କିଡ୍‌ନି ରୋଗ ସହିତ ଅନ୍ୟ ରୋଗରେ ପୀଡ଼ିତ କରୋନା ପଜିଟିଭ୍ ମଧ୍ୟ ପ୍ରାଣ ହରାଇଛନ୍ତି। ତ‌େବେ ତାଙ୍କର ମୃତ୍ୟୁର ପ୍ରାଥମିକ କାରଣ କରୋନା ନ ଥିବାରୁ ତାଙ୍କୁ ଅଣ କୋଭିଡ୍‌ ମୃତ୍ୟୁ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ରାଜ୍ୟରେ ଏବେ ସୁଦ୍ଧା ୧୫ଜଣ ଅଣ କୋଭିଡ୍‌ରେ ମୃତ୍ୟୁବରଣ କଲେଣି।

Outlook India

ରାଜ୍ୟରେ ଗତ ୨୪ଘଣ୍ଟାରେ ୫୭୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଯାହାକି ରାଜ୍ୟରେ ଏ ପର୍ଯ୍ୟନ୍ତ ସର୍ବାଧିକ। କିଛିଦିନ ଧରି ଗଞ୍ଜାମ ଜିଲ୍ଲାରେ କରୋନା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ଜିଲ୍ଲା ଏବେ ଏକପ୍ରକାର କରୋନା କବଳରେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୬୦ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୯୬ରେ ପହଞ୍ଚିଛି। ଏହା ସମୁଦାୟ ଆକ୍ରାନ୍ତର ୨୮ ପ୍ରତିଶତ। ଏଥିରେ ୨୪ଜଣ କୋଭିଡ୍ ଯୋଦ୍ଧା ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଏହାବାଦ୍ ସୁନ୍ଦରଗଡ଼ରେ ୮୩, ଖୋର୍ଧା ୫୬, କେନ୍ଦୁଝର ୪୮, ବାଲେଶ୍ବର ୩୦, ଗଜପତି ୧୭, କଟକ ଓ ମୟୂରଭଞ୍ଜରେ ୧୪ଜଣ ଲେଖାଏ, ଜଗତସିଂହପୁର ୭, କୋରାପୁଟ ୬, ପୁରୀ ଓ ବୌଦ୍ଧରେ ୫ ଜଣ ଲେଖାଏ, ଢେଙ୍କାନାଳ ୪, କେନ୍ଦ୍ରାପଡ଼ା ଓ ସମ୍ବଲପୁର ୩ଜଣ ଲେଖାଏ, ଭଦ୍ରକ ୨, ନୟାଗଡ଼, ‌କନ୍ଧମାଳ, ଝାରସୁଗୁଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧ରେ ପହଞ୍ଚିଛି। ଗତ ୭ତାରିଖରେ ରାଜ୍ୟରେ ସଂଖ୍ୟା ୧୦ ହଜାର ପାର୍ କରିଥିବା ବେଳେ ମାତ୍ର ୨ଦିନରେ ୧୧ ହଜାର ପାର୍‌ କରିଛି। ରାଜ୍ୟରେ ୬୦ବର୍ଷରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ୫୧୭ରେ ପହଞ୍ଚିଛି। ୬୦ବର୍ଷରୁ ଅଧିକ ବ୍ୟକ୍ତି କରୋନା ପାଇଁ ସମ୍ବେଦନଶୀଳ ଥିବାରୁ ଏହି ସଂଖ୍ୟାରେ ବୃଦ୍ଧି ରାଜ୍ୟ ପାଇଁ ନିଶ୍ଚିତ ଚିନ୍ତାର କାରଣ।

ରାଜ୍ୟରେ ୪୦୧ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ୧୦୦ଜଣ ସୁସ୍ଥ ହେବା ଫଳରେ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୭୦୭ଜଣ ସୁସ୍ଥ ହୋଇ ସାରିଲେଣି। ଗଜପତି ୬୭, କଟକ ୪୨, ଯାଜପୁର ୩୨, ଦେବଗଡ଼ ୧୯, କୋରାପୁଟ ୧୮, ଖୋର୍ଧା ୧୫, ବରଗଡ଼ ଓ ଭଦ୍ରକ ୧୪ ଲେଖାଏ, ବାଲେଶ୍ବର ୧୨, କେନ୍ଦୁଝର ଓ ମାଲକାନାଗିରି ୧୦ଜଣ ଲେଖାଏ, ଜଗତସିଂହପୁର ୯, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୭ଜଣ ଲେଖାଏ, କନ୍ଧମାଳ ୬, ନୟାଗଡ଼ ଓ ସମ୍ବଲପୁର ୫ଜଣ ଲେଖାଏ, ନବରଙ୍ଗପୁର ୪, କେନ୍ଦ୍ରାପଡ଼ା ୩ ଓ ଢେଙ୍କାନାଳ ୨ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭୪୦୭ ଛୁଇଁଛି। ତେବେ ଗତ କିଛିଦନ ହେବ ରାଜ୍ୟରେ ସୁସ୍ଥ ହାର ବା ରିକଭରି ରେଟ୍‌ ଖସି ଆସିଛି। ପୂର୍ବରୁ ଏହା ପ୍ରାୟ ୭୦ ପ୍ରତିଶତ ରହୁଥିବା ବେଳେ ଏବେ ତାହା ୬୬ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର