ଓଡ଼ିଶା କୋଭିଡ୍‌-୧୯ ନିୟମାବଳୀ ୨୦୨୦ : ଜାଣନ୍ତୁ ରାଜ୍ୟ ସରକାରଙ୍କ ଏହି ନୂଆ ନିୟମରେ କି କି ବ୍ୟବସ୍ଥା ରହିଛି

କରୋନା ମହାମାରୀର ଚିକିତ୍ସା ପାଇଁ ରାଜ୍ୟ ସରକାର ୧୮୯୭ ମସିହା ମହାମାରୀ ରୋଗ ଆଇନ ଅନୁଯାୟୀ କୋଭିଡ୍‌-୧୯ ମହାମାରୀ ପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ଯାହାକୁ ‘ଓଡ଼ିଶା କୋଭିଡ୍‌-୧୯ ନିୟମାବଳୀ-୨୦୨୦’ ବୋଲି ସରକାର ଘୋଷଣା କରିଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ବତନ୍ତ୍ର ନିୟମାବଳୀରେ କରୋନା ରୋଗର ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ କେଉଁ କେଉଁ ଅଧିକାରୀ କ୍ଷମତାପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରିବେ ସେ ନେଇ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏହାସହିତ କୋଭିଡ୍‌ ହସ୍ପିଟାଲରେ କରୋନା ରୋଗୀଙ୍କୁ ଚିକିତ୍ସା ସମୟରେ କାହାର ଦାୟିତ୍ବ କ’ଣ ସେ ସମ୍ପର୍କରେ ମଧ୍ୟ ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଛି। ଏହି ନିୟମାବଳୀ ପ୍ରକାଶ ପାଇବା ଦିନଠାରୁ ଆସନ୍ତା ବର୍ଷକ ପାଇଁ ବଳବତ୍ତର ରହିବ ବୋଲି ସରକାର ଜଣାଇଛନ୍ତି।

 ରାଜ୍ୟସ୍ତରରେ କ୍ଷମତାପ୍ରାପ୍ତ ଅଧିକାରୀ
ଜନ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ (ଡିପିଏଚ୍‌)
ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ (ଡିଏଚ୍‌ଏସ୍‌)
ଡାକ୍ତରୀ ଶିକ୍ଷା ଓ ତାଲିମ୍‌ ନିର୍ଦ୍ଦେଶକ (ଡିଏମ୍‌ଇଟି)
 ଜିଲ୍ଲା ଓ ବ୍ଲକ୍‌ସ୍ତରରେ କ୍ଷମତାପ୍ରାପ୍ତ ଅଧିକାରୀ
ଜିଲ୍ଲାପାଳ, ସିଡିଏମ୍‌ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ
ମହାନଗର କମିସନର
ଉପଜିଲ୍ଲାପାଳ, ତହସିଲଦାର
ମଣ୍ଡଳ ଉନ୍ନୟନ ଅଧିକାରୀ
ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ
 ଏକାନ୍ତବାସ ବା ସଙ୍ଗରୋଧ ବ୍ୟବସ୍ଥା
କରୋନା ସଂକ୍ରମଣକୁ ପ୍ରତିହତ କିମ୍ବା ଦୂରେଇ ରଖିବା ପାଇଁ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗୋଟିଏ ଘରେ ଏକାନ୍ତ ବା ଅଲଗା ରଖିବା ହେଉଛି ସଙ୍ଗରୋଧ ବ୍ୟବସ୍ଥା।
ଏହା ଫଳରେ ସମ୍ପୃକ୍ତ ରୋଗାଗ୍ରସ୍ତ ବ୍ୟକ୍ତି ପ୍ରତ୍ୟକ୍ଷ ଓ ପରୋକ୍ଷରେ ଘରର ଅନ୍ୟ ସଦସ୍ୟମାନଙ୍କ ସହ ଆସିପାରିବେ ନାହିଁ।
ଯାହାଦ୍ବାରା ସଂକ୍ରମଣକୁ ନିୟନ୍ତ୍ରିତ କରାଯାଇପାରିବ।

ହସ୍ପିଟାଲର ଦାୟିତ୍ବ
ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକ ସ୍ବତନ୍ତ୍ର ଭାବେ ଅଲଗା ବ୍ୟବସ୍ଥା କରି ସନ୍ଦିଗ୍ଧ କରୋନା ରୋଗୀଙ୍କ ପରୀକ୍ଷା କରାଇବେ।
ଏଥିପାଇଁ ସମସ୍ତ ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କୁ ଆବଶ୍ୟକ ବ୍ୟକ୍ତିଗତ ସୁରକ୍ଷା ପୋଷାକ ଓ ଉପକରଣ ଯୋଗାଇଦିଆଯିବ।
କୋଭିଡ୍‌-୧୯ ପ୍ରଭାବିତ ଦେଶ ଓ କିମ୍ବା ରାଜ୍ୟରୁ ଆସିଥିବା ପ୍ରତ୍ୟେକ ସନ୍ଦିଗ୍ଧ ରୋଗୀଙ୍କ ଗସ୍ତ ବିବରଣୀ ଏବଂ ସେହି ବ୍ୟକ୍ତି ରୋଗାକ୍ରାନ୍ତ ସମୟରୁ ଅନ୍ୟ କାହା ସହିତ ଯୋଗାଯୋଗ କରିଥିଲେ ସେ ସମସ୍ତ ତଥ୍ୟ ଚିକିତ୍ସା କରୁଥିବା ହସ୍ପିଟାଲ (ସରକାରୀ ଓ ଘରୋଇ) ସଂଗ୍ରହ କରିବେ।
ଗତ ୧୪ ଦିନ ଭିତରେ ସମ୍ପୃକ୍ତ ବ୍ୟକ୍ତି ଯଦି ବିଦେଶ କିମ୍ବା ଅନ୍ୟ ରାଜ୍ୟରୁ ଫେରିଥାନ୍ତି ତାଙ୍କର କୌଣସି ପ୍ରକାର ଫ୍ଲୁ ଲକ୍ଷଣ ଦେଖା ନ ଗଲେ ବି ତାଙ୍କୁ ୧୪ ଦିନ ଗୃହରେ ପୃଥକବାସରେ ରହିବାକୁ ମେଡିକାଲ୍‌ କର୍ତ୍ତୃପକ୍ଷ ପରାମର୍ଶ ଦେବେ। ଏହାସହିତ ଭାରତ ସରକାରଙ୍କ ପରିବାର କଲ୍ୟାଣ ବିଭାଗ ଦ୍ବାରା ଜାରି କରାଯାଇଥିବା ସମସ୍ତ ପ୍ରକାର ନିୟମକୁ ଅକ୍ଷରେ ଅକ୍ଷରେ ଅନୁପାଳନ କରିବାକୁ ପରାମର୍ଶ ଦିଆଯିବ। ଯଦି ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୁଏ, ତାହେଲେ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଗସ୍ତ ବିବରଣୀ ପ୍ରଦାନ କରିଥିବା ବ୍ୟକ୍ତିଠାରେ ଯଦି କୋଭିଡ୍‌-୧୯ ଲକ୍ଷଣ ପରିଲକ୍ଷିତ ହୁଏ ତେବେ ତାକୁ କୋଭିଡ୍‌ ହସ୍ପିଟାଲରେ ସଙ୍ଗରୋଧରେ ରଖାଯାଇ ତାର ରକ୍ତ ଓ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ପଠାଯିବ। ଏହାସହିତ ତାର ପରିବାର ସଦସ୍ୟମାନଙ୍କୁ ଏକାନ୍ତବାସରେ ରହିବାକୁ ନିର୍ଦ୍ଦେଶ ଦିଆଯିବ। ଆବଶ୍ୟକ ପଡ଼ିଲେ ପରିବାରର କେହି ସଦସ୍ୟଙ୍କ କରୋନା ରୋଗ ଲକ୍ଷଣ ଦେଖାଯାଏ ତା ହେଲେ ସେହି ବ୍ୟକ୍ତିଙ୍କର ତତ୍କାଳ ନମୂନା ପରୀକ୍ଷା କରାଯିବ।
କୋଭିଡ୍‌-୧୯ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ମେଡିକାଲ୍‌ କର୍ମଚାରୀ ଆଉ କୌଣସି ରୋଗୀର ଚିକିତ୍ସା କରିପାରିବେ ନାହିଁ।
କରୋନା ଆକ୍ରାନ୍ତ ରୋଗୀର ନାମ, ଠିକଣା, ଟେଲିଫୋନ୍‌ ନମ୍ବର କାହାରିକୁ ପ୍ରଦାନ କରାଯିବନି କି କୌଣସି ଗଣମାଧ୍ୟମରେ ପ୍ରଚାର କିମ୍ବା ପ୍ରକାଶ କରାଯିବନି। କେବଳ ମେଡିକାଲ ସୁପରିନ୍‌ଟେଣ୍ଡେଣ୍ଟ୍‌ କିମ୍ବା ଅଧିକୃତ ଅଧିକାରୀ ଚିକିତ୍ସାଧୀନ ରୋଗୀ ସମ୍ପର୍କରେ ସମ୍ୟକ୍‌ ସୂଚନା ପ୍ରଦାନ କରିପାରିବେ।
ଯଦି କରୋନା ରୋଗୀର ପରିଚୟ ଲୁଚାଇଲେ ଏକାଧିକ ଲୋକଙ୍କ ଜୀବନ ପ୍ରତି ବିପଦ ଥାଏ, ତାହେଲେ ସେ କ୍ଷେତ୍ରରେ ସରକାରଙ୍କ ଅନୁମୋଦନ ନେଇ ସେହି ଆକ୍ରାନ୍ତ ବ୍ୟକ୍ତିର ନାମ, ଠିକଣା ପ୍ରକାଶ କରାଯାଇପାରିବ।

କୋଭିଡ୍‌ ହସ୍ପିଟାଲ୍‌
ରାଜ୍ୟ ସରକାର କିମ୍ବା କ୍ଷମତାପ୍ରାପ୍ତ ଅଧିକାରୀ ଯେ କୌଣସି ସରକାରୀ କିମ୍ବା ଘରୋଇ ହସ୍ପିଟାଲକୁ କୋଭିଡ୍‌ ହସ୍ପିଟାଲ୍‌ ଘୋଷଣା କରିପାରିବେ। ଏହି ହସ୍ପିଟାଲଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ସହିତ କରୋନା ରୋଗୀଙ୍କୁ ପୃଥକଭାବେ ଚିକିତ୍ସା କରିବା ପାଇଁ ବ୍ୟବସ୍ଥା ଉପଲବ୍ଧ ହେଉଥିବା ଦରକାର।
ପ୍ରତ୍ୟେକ କୋଭିଡ୍‌ ହସ୍ପିଟାଲ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଡିଏମ୍‌ଇଟି, ଡିପିଏଚ୍‌, ଡିଏଚ୍‌ଏସ୍‌ ଓ ପ୍ରାଧୀକୃତ ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ ସ୍ବାସ୍ଥ୍ୟସେବା ଯୋଗାଇବେ।
ଆବଶ୍ୟକ ପଡ଼ିଲେ ଅନ୍ୟ ଯେ କୌଣସି କୋଠାକୁ କୋଭିଡ୍‌-୧୯ ଚିକିତ୍ସା ସେବା ପାଇଁ ବ୍ୟବହାର କରିବାକୁ କ୍ଷମତାପ୍ରାପ୍ତ ଅଧିକାରୀ ମଧ୍ୟ ସୁପାରିସ କରିପାରିବେ।

ଦଣ୍ଡ ଓ ଜରିମାନା
କୌଣସି ବ୍ୟକ୍ତି, ସଂସ୍ଥା ଓ ଅନୁଷ୍ଟାନ ଯଦି ସରକାରଙ୍କ ଦ୍ବାରା ନିୟମାବଳୀକୁ ଅମାନ୍ୟ କରନ୍ତି ତାହଲେ ସମ୍ପୃକ୍ତ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ଆଇପିସିର ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
କ୍ଷମତାପ୍ରାପ୍ତ ଅଧିକାରୀ ଏଭଳି ଅମାନିଆ ବ୍ୟକ୍ତି ଓ ସଂସ୍ଥାଙ୍କ ବିରୋଧରେ ଜରିମାନା ଧାର୍ଯ୍ୟ କରିବାର କ୍ଷମତା ରହିଛି।

ଗଣମାଧ୍ୟମ, ନାଗରିକ ଓ ଅନୁଷ୍ଠାନମାନଙ୍କ ଦାୟିତ୍ବ
ରାଜ୍ୟ ବା ଜିଲ୍ଲାସ୍ତରରେ ଥିବା କ୍ଷମତାପ୍ରାପ୍ତ ଅଧିକାରୀଙ୍କ ବିନା ଅନୁମତିରେ କରୋନା ବା କୋଭିଡ୍‌-୧୯ ସମ୍ପର୍କିତ କିଛି ବି ଖବର ଜଣେ ବ୍ୟକ୍ତି କିମ୍ବା ଅନୁଷ୍ଠାନ କୌଣସି ବୈଦ୍ୟୁତିକ, ସାମାଜିକ କିମ୍ବା ମୁଦ୍ରିତ ଗଣମାଧ୍ୟମକୁ ଦେଇପାରିବେ ନାହିଁ। ଏପରି କଲେ ଆଇନଅନୁଯାୟୀ ଦଣ୍ଡିତ ହେବେ।
ସେହିପରି ମିଥ୍ୟା ଖବର ପ୍ରକାଶ କଲେ ସମ୍ପୃକ୍ତ ଗଣମାଧ୍ୟମ ଉପରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ।
ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ
ବିଦେଶରୁ ଫେରିଥିବା ସମସ୍ତ ବ୍ୟକ୍ତି ଟୋଲ୍‌ ଫ୍ରି ନମ୍ବର-୧୦୪ରେ ପଞ୍ଜୀକୃତ କରିବା ବାଧ୍ୟତାମୂଳକ। ଏହାବ୍ୟତୀତ ବିଦେଶରୁ ଫେରିବାର ୨୪ ଘଣ୍ଟା ଭିତରେ ଅନଲାଇନ୍‌ ପୋର୍ଟାଲ୍‌ https://covid19.odisha.gov.inରେ ନିଜ ନାମ, ଠିକଣା, ବୟସ, ଗସ୍ତ ବିବରଣୀ, ଟେଲିଫୋନ୍‌ ନମ୍ବର ପ୍ରଭୃତି ପ୍ରଦାନ କରିବେ।
ଯଦି ସମ୍ପୃକ୍ତ ବ୍ୟକ୍ତି ନିଜେ ଏହିସବୁ ବିବରଣୀ ଦେବା ଅବସ୍ଥାରେ ନ ଥାନ୍ତି, ସେ କ୍ଷେତ୍ରରେ ତାଙ୍କ ପରିବାର ସଦସ୍ୟ ବି ଗସ୍ତ ସମ୍ପର୍କିତ ସମସ୍ତ ବିବରଣୀ ସରକାରୀ ଅନଲାଇନ୍‌ରେ ପଞ୍ଜୀକରଣ କରିପାରିବେ।
ସେହି ବ୍ୟକ୍ତିଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ ୧୪ ଦିନ ପାଇଁ ସଙ୍ଗରୋଧ ରହିବା ବାଞ୍ଛନୀୟ।
ବିବରଣୀ ପ୍ରଦାନ ନ କରିବା ସ୍ଥଳେ ସମ୍ପୃକ୍ତ ବ୍ୟକ୍ତି ଫୌଜଦାରୀ ଦଣ୍ଡବିଧି ଆଇନ ଅନୁଯାୟୀ ଦଣ୍ଡିତ ହେବେ।

ବାଧ୍ୟତାମୂଳକ ନିୟମ
କ୍ଷମତାପ୍ରାପ୍ତ ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ କୋଭିଡ୍‌-୧୯ ଲକ୍ଷଣ ଦେଖାଦେଇଥିବା ରୋଗୀ ଏକାନ୍ତବାସ ନିୟମ ଅନୁପାଳନ କରିବା ବାଧ୍ୟତାମୂଳକ। ଏହାର ବ୍ୟତୀକ୍ରମ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ ଯଦି କୌଭିଡ୍‌-୧୯ ଭୂତାଣୁ ଦ୍ବାରା ପ୍ରଭାବିତ ହୋଇଥାଏ ତା ହେଲେ କ୍ଷମତାପ୍ରାପ୍ତ ଅଧିକାରୀ ସେହି ଅଞ୍ଚଳ ସମେତ ଅନ୍ୟ ସଂଲଗ୍ନ ଅଞ୍ଚଳକୁ ସିଲ୍‌ କରିପାରିବେ।
ସେସବୁ ଅଞ୍ଚଳରେ ଥିବା ସ୍କୁଲ, କଲେଜ୍‌ ଅନ୍ୟ ସରକାରୀ ଓ ଘରୋଇ ଅନୁଷ୍ଠାନକୁ
ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ।
ସେହି ଅଞ୍ଚଳର କୌଣସି ଗୋଟିଏ କୋଠାକୁ ପୃଥକବାସ ଆବାସିକ ସ୍ଥଳୀ ବୋଲି ଘୋଷଣା କରିପାରିବେ।
ସେହି ଅଞ୍ଚଳରେ ଲୋକଙ୍କ ଚଳପ୍ରଚଳ ଉପରେ ନିଷେଧାଦେଶ, ଲୋକ ଏକାଠି
ହେବା, କୌଣସି ସଭା ସମିତି, ଧାର୍ମିକ କାର୍ଯ୍ୟକଳାପ ଉପରେ ରୋକ ଲଗାଯାଇପାରିବ।
ପ୍ରଭାବିତ ଅଞ୍ଚଳରୁ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ ସେଥିପାଇଁ କ୍ଷମତାପ୍ରାପ୍ତ ଅଧିକାରୀ ସାମାଜିକ ଦୂରତା ରକ୍ଷା ପାଇଁ ଯାହା ଉଚିତ୍‌ ମନେ କରିବେ ସେହି ଅନୁଯାୟୀ ପଦକ୍ଷେପ ନେଇପାରିବେ।

ଅନ୍ୟ ରାଜ୍ୟରୁ ଫେରିଥିବା ବ୍ୟକ୍ତିଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ
ଅନ୍ୟ ରାଜ୍ୟରୁ ଫେରିଥିବା ବ୍ୟକ୍ତି ବିଶେଷ ନିଜେ ଗୃହରେ ୧୪ ଦିନ ପାଇଁ ଏକାନ୍ତବାସରେ ରହିବା ବାଞ୍ଛନୀୟ।
ଯଦି ସେହି ବ୍ୟକ୍ତିଙ୍କଠାରେ କୋଭିଡ୍‌-୧୯ ରୋଗର ଲକ୍ଷଣ ଦେଖାଦିଏ ତାହେଲେ ତୁରନ୍ତ ୧୦୪ ଟୋଲ୍‌ ଫ୍ରି ନମ୍ବର ସହ ଯୋଗାଯୋଗ କରିବା ଦରକାର।

ଫ୍ଲୁ ଲକ୍ଷଣ ଦେଖାଦେଲେ କ’ଣ କରିବେ
ଯଦି କୌଣସି ବ୍ୟକ୍ତିଙ୍କର ଫ୍ଲୁ ଲକ୍ଷଣ ଦେଖାଦିଏ ତା ହେଲେ ସେହି ବ୍ୟକ୍ତି ମଧ୍ୟ ଟୋଲ୍‌ ଫ୍ରି ନମ୍ବର ୧୦୪କୁ ଡାଏଲ କରି ତାଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିପାରିବେ।
ପଞ୍ଚାୟତ, ପୌରସଂସ୍ଥା, କଲ୍ୟାଣ ସମିତି, ହୋ‌େଟଲ ଓ ଲଜ୍‌ମାନଙ୍କ ପାଇଁ ଜାଣିବା କଥା
ପଞ୍ଚାୟତ ସ୍ତରରେ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ୱାର୍ଡ଼ ମେମ୍ବର, କର୍ପୋରେଟର୍‌, ପୌରାଞ୍ଚଳର କାଉନସିଲର୍‌ ଓ ଆବାସିକ କଲ୍ୟାଣ ସମିତି ସଦସ୍ୟ ବିଗତ ୧୪ ଦିନ ଭିତରେ କୌଣସି ବ୍ୟକ୍ତି ବିଦେଶରୁ ଆସିଲେ କିମ୍ବା ବିଦେଶୀଙ୍କ ଆଗମନ ସମ୍ପର୍କରେ ତୁରନ୍ତ ଟୋଲ୍‌ ଫ୍ରି ନମ୍ବର-୧୦୪କୁ ସୂଚନା ପ୍ରଦାନ କରିବେ।
ସେହି ବ୍ୟକ୍ତିଙ୍କ ନାମ, ଠିକଣା, ଫୋନ୍‌ ନମ୍ବର ଓ ବୟସ ବିଷୟରେ ସବିଶେଷ ସୂଚନା ସରକାରଙ୍କୁ ପ୍ରଦାନ କରାଯିବ।
ହୋଟେଲ, ଲଜ୍‌ଗୁଡ଼ିକ ମଧ୍ୟ ସମାନଭାବେ କୌଣସି ବିଦେଶ କିମ୍ବା ଅନ୍ୟରାଜ୍ୟରୁ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ୧୦୪ ନମ୍ବରୁ ଜଣାଇବେ।
ଏହି ସୂଚନା ସମ୍ପୃକ୍ତ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳରେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ପ୍ରଦାନ କରିବା ବାଞ୍ଛନୀୟ।
ସରପଞ୍ଚ କିମ୍ବା ପୌରାଞ୍ଚଳ ହୋଇଥିଲେ କାଉଲସିଲର ବାହାରୁ ଆସିଥିବା ବ୍ୟକ୍ତିବିଶେଷଙ୍କୁ ୧୪ ଦିନ ଘରେ ଏକାନ୍ତବାସରେ ରଖିବା ପାଇଁ ପରାମର୍ଶ ଦେବେ।
ଯଦି ସେହି ବ୍ୟକ୍ତିଙ୍କୁ ଏକାନ୍ତବାସରେ ରହିବା ପାଇଁ ସୁବିଧା ନ ଥିବ ତେବେ ପଞ୍ଚାୟତ ଓ ସହରାଞ୍ଚଳ ଓ୍ବାର୍ଡ଼ ସ୍ତରରେ ଖୋଲାଯାଇଥିବା ସଙ୍ଗରୋଧ ଶିବିରରେ ରଖାଯିବ।

ଅଧିକାରୀଙ୍କ ପାଇଁ ସୁରକ୍ଷା
କୋଭିଡ୍‌-୧୯ ନିୟମାବଳୀ ୨୦୨୦ ଲାଗୁ କରୁଥିବା କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ ଆଇନଗତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ।
ଯଦି ସମ୍ପୃକ୍ତ ଅଧିକାରୀ କିମ୍ବା କର୍ମଚାରୀ ତାଙ୍କ କର୍ତ୍ତବ୍ୟରେ ଅବହେଳା କରିଥିବା ନେଇ ପ୍ରମାଣିତ ହୁଏ, ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।

ସମ୍ବନ୍ଧିତ ଖବର