ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରାଯାଉ, କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲା ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌

ଓଡ଼ିଶା ସଂସ୍କୃତି ଓ ପର୍ଯ୍ୟଟନର ବିକାଶରେ ସହାୟକ ହେବ : ଜେ କେ ମହାନ୍ତି

ଭୁବନେଶ୍ବର : ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ ପ୍ରସ୍ତାବ ଦେଇଛି ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌’। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ର ଅଧ୍ୟକ୍ଷ ତଥା ହାରୋର ଅଧ୍ୟକ୍ଷ ଜେ କେ ମହାନ୍ତି। ସାରା ଦେଶ ଓ ବିଦେଶରେ ପାଳନ ହେଉଥିବା ଏହି ଉତ୍ସବ ଦିନ ଜାତୀୟ ଛୁଟି ଘୋଷଣା କରାଗଲେ ଏହା ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶରେ ସହାୟକ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଜାତୀୟ ଛୁଟି ଘୋଷଣା ପ୍ରସ୍ତାବ ପ୍ରସଙ୍ଗରେ ଶ୍ରୀ ମହାନ୍ତି ଯୁକ୍ତି ଦର୍ଶାଇଛନ୍ତି ଯେ, ପୁରୀର ରଥଯାତ୍ରା ବିଶ୍ବ ପ୍ରସିଦ୍ଧ। ସାରା ଦେଶ ଓ ବିଦେଶରୁ ଲକ୍ଷାଧିକ ଲୋକ ଏହି ଉତ୍ସବ ଦେଖିବାକୁ ଆସନ୍ତି। ସମୟକ୍ରମେ ରଥଯାତ୍ରା ଆଉ ପୁରୀ କିମ୍ବା ଓଡ଼ିଶା ଭିତରେ ସୀମିତ ରହିନାହିଁ। ଏହା କେବଳ ଓଡ଼ିଆମାନଙ୍କ ପର୍ବ ହୋଇ ମଧ୍ୟ ରହିନାହିଁ। ଦେଶର ଅଧିକାଂଶ ପ୍ରମୁଖ ସହରରେ ଏହି ପର୍ବ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ଦେଖାଯାଉଛି। ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଲୋକ ଏଥିରେ ଭାଗ ନେଉଛନ୍ତି। ସବୁଠି ମହାପ୍ରଭୁ ଜଗନ୍ନାଥଙ୍କୁ ରଥରେ ଦେଖିବାକୁ ଓ ରଥ ଟାଣିବାକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବି‌େଶଷରେ ସବୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି। ତେଣୁ ଏହି ପବିତ୍ର ଦିନକୁ ଜାତୀୟ ଛୁଟି ଘୋଷଣା କଲେ ସମସ୍ତେ ମହାପ୍ରଭୁଙ୍କ ରଥଯାତ୍ରାରେ ଭାଗ ନେଇପାରନ୍ତେ। ଓଡ଼ିଶା ତଥା ଭାରତୀୟ ସଂସ୍କୃତି ଓ ଧାର୍ମିକ ଭାବନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ରଥଯାତ୍ରା ଆହୁରି ଲୋକପ୍ରିୟ ହୋଇପାରନ୍ତା। ଆମ ସଂସ୍କୃତି ଓ ପର୍ଯ୍ୟଟନ ମଧ୍ୟ ରଥଯାତ୍ରା ମାଧ୍ୟମରେ ଆହୁରି ବିକଶିତ ହୋଇପାରନ୍ତା।

ଶ୍ରୀ ମହାନ୍ତି ତାଙ୍କ ଚିଠିରେ ଆହୁରି ଦର୍ଶାଇଛନ୍ତି ଯେ, ପ୍ରତି ବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ବିତୀୟାରେ ରଥଯାତ୍ରା ପାଳନ ହୁଏ। ପୁରୀର ଐତିହାସିକ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳନ ହୋଇଆସୁଛି। ବିଶ୍ବ ଭ୍ରାତୃତ୍ବକୁ ପ୍ରଚାର କରିବାରେ ଓ ଭଗବାନଙ୍କ ସହ ଭକ୍ତକୁ ନିକଟତର କରିବାରେ ଏହି ଯାତ୍ରା ଏକ ଅନନ୍ୟ ଉଦାହରଣ। ମହାପ୍ରଭୁ ନିଜେ ମନ୍ଦିର ବାହାରକୁ ଆସି ରଥାରୁଢ଼ ହୋଇ ସବୁ ଧର୍ମ, ସବୁ ଜାତିର ଲୋକଙ୍କୁ ଦର୍ଶନ ଦେବା ଏକ ବିରଳ ତଥା ଅଦ୍ବିତୀୟ ପରମ୍ପରା।

ତେଣୁ ରଥଯାତ୍ରାର ବି‌େଶଷତ୍ବ ଏବଂ ଭାରତୀୟ ତଥା ହିନ୍ଦୁ ସଂସ୍କୃତିର ଏହି ଅନନ୍ୟ ବିଭବକୁ ବିଚାରକୁ ନେଇ ଏହି ଦିନକୁ ଜାତୀୟ ଛୁଟି ଭାବେ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ପଦକ୍ଷେପ ନେବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କର ମଧ୍ୟ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଛି।

ସମ୍ବନ୍ଧିତ ଖବର