ରାୟଗଡ଼ାର ସ୍ବାଦିଷ୍ଟ ଆତକୁ ମିଳୁନି ବଜାର: ଓଡ଼ିଶାରେ ହତାଦର, ଆନ୍ଧ୍ରରେ ଆଦର

ପଡୋଶୀ ରାଜ୍ୟକୁ ଚାଲି ଯାଉଛି ଶହ ଶହ କ୍ବିଣ୍ଟାଲ୍ ଆତ

ରାୟଗଡ଼ା: ପାହାଡ଼ିଆ ଇଲାକାରୁ ଉତ୍ପାଦନ ହେଉଛି ଶହ ଶହ କ୍ବିଣ୍ଟାଲ୍ ଆତ (ସୀତାଫଳ)। ବିକ୍ରି ପାଇଁ ବଜାର ସୁବିଧା ନଥିବାରୁ ଶୋଷଣର ଶିକାର ହେଉଛନ୍ତି ଆଦିବାସୀ। ରାୟଗଡ଼ାରେ ଉଚିତ୍ ଦର ମିଳୁନଥିବା ବେଳେ  ପଡୋଶୀ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗରେ ଆତ ଭଲ ଦରରେ ବିକ୍ରି ହେଉଛି। ବାହାର ରାଜ୍ୟ ବ୍ୟବସାୟୀ ଶାଗମାଛ ଦରରେ କିଣି ନେଇ ଉଚ୍ଚାଦରରେ ବିକ୍ରି କରି ଲାଭବାନ ‌ହେଉଛନ୍ତି। ଏପଟେ କ୍ଷତି ଦର୍ଶାଇ ଆତ ବଜାରୀକରଣରୁ ଦୂରେଇ ରହିଛି ଓରମାସ୍ ଓ ଧରିଣୀପେନୁ।

ରାୟଗଡ଼ା ଜିଲ୍ଲାର ରାୟଗଡ଼ା ଓ କୋଲନରା ବ୍ଲକରୁ ଉତ୍ପାଦିତ ହେଉଛି ଆତ। ସ୍ବତନ୍ତ୍ର ଭାବେ ଜିଲ୍ଲାରେ ଆତ ଚାଷ ହେଉନଥିଲେ ମଧ୍ୟ ଏହି ଦୁଇ ବ୍ଲକର ଜଙ୍ଗଲ ଅଞ୍ଚଳରେ ଥିବା ଗଛରୁ ବାର୍ଷିକ ଶହେ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଆତ ଉତ୍ପାଦନ ହୋଇଥାଏ। ସ୍ଥାନୀୟ ଆଦିବାସୀ ଆତ ସଂଗ୍ରହ କରିବା ପରେ ବିକ୍ରି ପାଇଁ ବଜାରକୁ ଆଣିଥାନ୍ତି। ଅକ୍ଟୋବର ପହିଲାରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଆତ ବଜାରରେ ଉପଲବ୍ଧ ରହିଥାଏ। ପାହାଡ଼ିଆ ଅଞ୍ଚଳରୁ ଉତ୍ପାଦିତ ଆତର ଚାହିଦା ଭଲ ରହିଥିବାରୁ ପଡୋଶୀ ରାଜ୍ୟର ବ୍ୟବସାୟୀ ଦୁଇ ବ୍ଲକର ବିଭିନ୍ନ ଗ୍ରାମ ବୁଲି ପୂର୍ବରୁ ଆଦିବାସୀଙ୍କୁ ଅଗ୍ରୀମ ଟଙ୍କା ଦେଇଥାନ୍ତି। ଫଳରେ ଉତ୍ପାଦିତ ଆତର ସିଂହଭାଗ ବାହାର ରାଜ୍ୟକୁ ଚାଲାଣ ହୋଇଥାଏ। ଉନ୍ନତମାନର ଆତକୁ ବାହାର ରାଜ୍ୟ ବ୍ୟବସାୟୀ ନେବା ପରେ ଛୋଟ ଏବଂ ମଧ୍ୟମ ଧରଣର ଆତ ବିକ୍ରି କରିବା ପାଇଁ ଆଦିବାସୀ ବଜାରକୁ ଆଣିଥାନ୍ତି। ଝୁଡ଼ିରେ ଭର୍ତ୍ତି ହୋଇଥିବା ଆତ ଶହେ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ବେଳେବେଳେ ଏହା ୫୦ରୁ ୭୦ ଟଙ୍କାରେ ମଧ୍ୟ ମିଳିଥାଏ।

ରାୟଗଡ଼ାରୁ ରାମନାଗୁଡ଼ା, ରାୟଗଡ଼ାରୁ ଆନ୍ଧ୍ର ସୀମାନ୍ତ କେରେଡା ପର୍ଯ୍ୟନ୍ତ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଆତର ପସରା ଧରି ଆଦିବାସୀ ବିକ୍ରି କରିଥାନ୍ତି। ୨୦୨୦ ମସିହାରେ ଆତର ବଜାରୀକରଣ ପାଇଁ ଓରମାସ ଓ ଧରିଣୀପେନୁ ପଦକ୍ଷେପ ନେଇଥିଲା। ଆଦିବାସୀଙ୍କ ନିକଟରୁ କିଣା ଯାଇଥିବା ଆତ ଭୁବନେଶ୍ବର, କଟକ ସମେତ ରାୟପୁର, ଆନ୍ଧ୍ରପ୍ରଦେଶ ମାର୍କେଟକୁ ବିକ୍ରି ପାଇଁ ପଠାଯାଇଥିଲା। ହେଲେ ପରିବହନ ସମସ୍ୟା ଏବଂ ଆତ ବଜାରରେ ପହଞ୍ଚିବା ପୂର୍ବରୁ ନଷ୍ଟ ହୋଇଯିବା କାରଣରୁ ଓରମାସକୁ ବ୍ୟବସାୟୀ ଆତର ମୂଲ୍ୟ ପ୍ରଦାନ କରିନଥିଲେ। ଓରମାସ୍ କ୍ଷତି ସହିଥିବା ବେଳେ ଆଦିବାସୀଙ୍କୁ କିନ୍ତୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିଥିଲା। କ୍ଷତି କାରଣରୁ ଓରମାସ ଏବଂ ଧରିଣୀପେନୁ ୨୦୨୧ ଏବଂ ୨୦୨୨ ରେ ଆତର ବଜାରୀକରଣ ଉପରେ ଦୃଷ୍ଟି ଦେଇନାହାନ୍ତି।

ଧରିଣୀପେନୁ ସିଇଓ ନିକୁଞ୍ଜ ପ୍ରଧାନଙ୍କ କହିବାନୁଯାୟୀ, ରାୟଗଡ଼ାରୁ ଉତ୍ପାଦିତ ହେଉଥିବା ଆତ ସଠିକ୍ ସମୟରେ ତୋଳା ଯାଉନି। ଆତ ପରିପକ୍ବତା ହେବା ପୂର୍ବରୁ ଆଦିବାସୀ ତୋଳି ନେଉଥିବାରୁ ସଂଗ୍ରହର ଦିନକ ପରେ କଳା ପଡି ଯାଉଛି। ଯାହାକୁ ବାହାର ବ୍ୟବସାୟୀ ଗ୍ରହଣ କରୁନାହାନ୍ତି। ବଜାରୀକରଣ ପାଇଁ ଉନ୍ନତମାନର ଆତ ପହଞ୍ଚୁନଥିବାରୁ ଚଳିତ ବର୍ଷ ବିଭାଗ ଏହି ଦିଗରେ କୌଣସି ପଦକ୍ଷେପ ନେଇପାରିନି। ତେବେ ଚଳିତ ବର୍ଷ ଆତ ବଜାରରେ ଭଲ ଦରରେ ଆଦିବାସୀ ବିକ୍ରି କରିଥିବା ଏବଂ ଶୋଷଣର ଶିକାର ହୋଇନଥିବା ଶ୍ରୀ ପ୍ରଧାନ କହିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏପରି କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ବଜାରରେ ଉଚିତ୍ ଦର ମିଳୁନଥିବାରୁ ପ୍ରତିଦିନ ଉତ୍ପାଦନକାରୀ ଆତ ବିକ୍ରି ପାଇଁ ଘଣ୍ଟା ଘଣ୍ଟା ଧରି ବଜାରରେ ବସି ରହୁଛନ୍ତି। ଆଦିବାସୀ ମହିଳା ଝୁଡ଼ିରେ ଆତ ଭର୍ତ୍ତି କରି ବିକ୍ରି ପାଇଁ ରାୟଗଡ଼ା ସହରର ଗଳି କନ୍ଦିରେ ବୁଲୁଛନ୍ତି। ଯେଉଁଦିନ ଭଲ ଗ୍ରାହକ ମିଳନ୍ତି ଝୁଡ଼ି ପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି ହୁଏ। ନଚେତ୍ ଶାଗମାଛ ଦରରେ ବିକ୍ରି କରିବାକୁ ପଡେ ବୋଲି ଆଦିବାସୀ ମହିଳା ରାମି ମିଣିଆକା କହିଛନ୍ତି।

ସମ୍ବନ୍ଧିତ ଖବର