ନାବାଳିକା ଯୌନ ଶୋଷଣ ରୋକିବାକୁ ପଦକ୍ଷେପ : ଘରେ ଥାଇ ଏତଲା ଦେଇ ପାରିବେ ପୀଡ଼ିତା

‘ସାଇବର୍‌କ୍ରାଇମ୍‌ ରିପୋର୍ଟିଂ ପୋର୍ଟାଲ୍‌’ ଆରମ୍ଭ, ପରାମର୍ଶବଳୀ ଜାରି କଲା କ୍ରାଇମ୍‌ବ୍ରାଞ୍ଚ, ଗୋପନ ରହିବ ନାମ, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

କଟକ : ଯୌନ ଶୋଷଣର ଶିକାର ହେଉଥିବା ନାବାଳିକା ଏଣିକି ଘରେ ରହି ବି ଅଭିଯୋଗ ଦେଇ ପାରିବେ। ଏତଲାର ପଞ୍ଜିକରଣ କିମ୍ବା ମାମଲାର ସ୍ଥିତି ଜାଣିବା ପାଇଁ ସେମାନଙ୍କୁ ଆଉ ବାରମ୍ବାର ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଏଥିପାଇଁ ଆରମ୍ଭ ହୋଇଛି ‘ସାଇବର୍‌କ୍ରାଇମ୍‌ ରିପୋର୍ଟ ପୋର୍ଟାଲ’। ପୋର୍ଟାଲ୍‌ରେ ଟ୍ରାକିଂ ନମ୍ବର ବ୍ୟବହାର କରି ଅନ୍‌ଲାଇନ୍‌ରେ ମାମଲା ସମ୍ପର୍କରେ ଥାନା ପୁଲିସ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ସେ ସମ୍ପର୍କରେ ପୀଡ଼ିତା ଜାଣିପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଉକ୍ତ ପୋର୍ଟାଲ୍‌କୁ ସେଣ୍ଟ୍ରାଲାଇଜ୍ଡ କରାଯାଇଛି। ଦେଶର ଯେକୌଣସି ରାଜ୍ୟରୁ ପୀଡ଼ିତା ଏଥିରେ ଅଭିଯୋଗ କରିପାରିବେ। ଯେତେବେଳେ ଜଣେ ପୀଡ଼ିତା ଏଥିରେ ଅଭିଯୋଗ କରିବେ, ଉକ୍ତ ଅଭିଯୋଗପତ୍ର ତୁରନ୍ତ ସମ୍ପୃକ୍ତ ରାଜ୍ୟର ଘଟଣା ଘଟିଥିବା ଥାନାକୁ ପଠାଇ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ବ୍ୟବସ୍ଥା ଆରମ୍ଭ ପରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଏଣିକି ଅନ୍‌ଲାଇନ୍‌ରେ ଫଟୋ କିମ୍ବା ଭିଡିଓ ଭାଇରାଲ୍‌ ହେଉଥିବା ପୀଡ଼ିତା ଚୁପ୍‌ ନରହି ତୁରନ୍ତ ପୋର୍ଟାଲ୍‌ ମାଧ୍ୟମରେ ଅନ୍‌ଲାଇନ୍‌ ଅଭିଯୋଗପତ୍ର ଦାଖଲ କରିବାକୁ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଆଜି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

କେନ୍ଦ୍ର ସରକାରଙ୍କ ନିର୍ଭୟା ଫଣ୍ଡ ପକ୍ଷରୁ ନ୍ୟାସ୍‌ନାଲ୍‌ ମିଶନ ଫର୍‌ ଦି ସେଫ୍ଟି ଅଫ୍‌ ଓମ୍ୟାନ୍‌ ମାଧ୍ୟମରେ ‘ସାଇବର୍‌କ୍ରାଇମ୍‌ ରିପୋର୍ଟ ପୋର୍ଟାଲ’ ଆରମ୍ଭ ହୋଇଛି। ପୋର୍ଟାଲ୍‌ ଲିଙ୍କ୍‌ https://cybercrime.gov.in/cybercitizen/home.htm ମାଧ୍ୟମରେ ଅନ୍‌ଲାଇନ୍‌ରେ ଭାଇରାଲ୍‌ ହୋଇଥିବା ନାବାଳିକାଙ୍କ ଯୌନ ଶୋଷଣ ଭିଡିଓ କିମ୍ବା ଫଟୋ, ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମର ସମ୍ପର୍କିତ ଆପତ୍ତିଜନକ ତଥ୍ୟ ବିରୋଧରେ ଅଭିଯୋଗ ଦାଖଲ କରିପାରିବେ। ପୋର୍ଟାଲ୍‌ରେ ଥିବା ‘ରିପୋର୍ଟ ଏବଂ ଟ୍ରାକ୍‌’ ଅପ୍‌ସନ କ୍ଲିକ୍‌ କରି ସେଠାରେ ମୋବାଇଲ୍‌ ନମ୍ବର ମାଧ୍ୟମରେ ପ୍ରଥମେ ପୀଡ଼ିତା କିମ୍ବା ଅଭିଯୋଗକାରୀ ପଞ୍ଜିକରଣ କରିବାକୁ ପଡ଼ିବ। ପରେ ମୋବାଇଲ୍‌ ନମ୍ବରକୁ ଏକ ଓଟିପି(ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାଡ୍‌) ଆସିବା। ଭେରିଫିକେସନ୍‌ ପରେ ଅଭିଯୋଗକାରୀ ପୋର୍ଟାଲ୍‌ରେ ଅଭିଯୋଗ ପଞ୍ଜିକରଣ କରିପାରିବ। ରିପୋର୍ଟ ଦାଖଲ ସମୟରେ ପର୍ଯ୍ୟାପ୍ତ ପ୍ରମାଣ ପୋର୍ଟାଲ୍‌ରେ ଥିବା ଅପ୍‌ଲୋଡ୍‌ ଅପ୍‌ସନ୍‌ରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଯଦ୍ୱାରା ପୁଲିସକୁ ଘଟଣାର ତଦନ୍ତ କରିବାକୁ ସହଜ ହୋଇପାରିବ।

ଆପତ୍ତିଜନକ ଫଟୋ କିମ୍ବା ଭିଡ଼ିଓଗୁଡ଼ିକ ପୋଷ୍ଟ ହୋଇଥିବା ନିର୍ଦ୍ଦିଷ୍ଟ ଓ୍ଵବ୍‌ସାଇଟ୍‌ ଆଡ୍ରେସ୍‌, ଇ-ମେଲ୍‌ ଆଡ୍ରେସ୍‌, ହ୍ଵାଟସ୍‌ ଆପ୍‌ ନମ୍ବର ପୋର୍ଟାଲ୍‌ରେ ପୀଡ଼ିତା ଅପ୍‌ଲୋଡ଼ କରିବାର ବ୍ୟବସ୍ଥା ରହିଛି। ତଦନ୍ତ ପ୍ରକ୍ରିୟାରେ ଏସବୁ ବିଶେଷ ସହାୟକ ହୋଇପାରିବ। ଅନ୍ୟପଟେ କୌଣସି ପୀଡ଼ିତା ନିଜ ନାମ ଗୋପନ ରଖିବା ଚାହିଁଲେ, ସେ ସୁବିଧା ମଧ୍ୟ ପୋର୍ଟାଲ୍‌ ପକ୍ଷରୁ ଯୋଗାଇ ଦିଆଯାଇଛି। ସମ୍ପୃକ୍ତ ପୀଡ଼ିତା ଜଣକ କେବଳ ନିଜ ଅଭିଯୋଗ ସମ୍ପର୍କରେ ପୂର୍ଣ୍ଣାଙ୍ଗ ତଥ୍ୟ ଦାଖଲ ଉଲ୍ଲେଖ କରିବାକୁ ପଡ଼ିବ। କେଉଁ ରାଜ୍ୟର ନିର୍ଦ୍ଦିଷ୍ଟ ଭାବେ କେଉଁ ଥାନା ଅଞ୍ଚଳରେ ଘଟଣା ଘଟିଛି, ସେ ସମ୍ପର୍କରେ ନାମ ଗୋପନ ରଖିଥିବା ସ୍ପଷ୍ଟ ଭାବରେ ଦର୍ଶାଇବା ବାଧ୍ୟତାମୂଳକ। ଅନ୍ୟପଟେ ପଞ୍ଜିକରଣ ପରେ ଏକ ଟ୍ରାକିଂ ନମ୍ବର ପୀଡ଼ିତା ବା ଅଭିଯୋଗକାରୀଙ୍କୁ ଯୋଗାଇ ଦିଆଯିବ। ଉକ୍ତ ଟ୍ରାକିଂ ନମ୍ବର ବ୍ୟବହାର କରି ପୋର୍ଟାଲ୍‌ରେ ଥିବା ‘ଚେକ୍‌ ଷ୍ଟାଟସ୍‌’ ଅପସନ୍‌ ମାଧ୍ୟମରେ ଅଭିଯୋଗର ଷ୍ଟାଟସ୍‌ ଯାଞ୍ଚ କରାଯିବାର ସୁବିଧା ରଖାଯାଇଛି।

କିନ୍ତୁ ଅନ୍‌ଲାଇନ୍‌ରେ ଅଭିଯୋଗ ଦାଖଲ କରିବାର ବ୍ୟବସ୍ଥା ହୋଇଥିବାରୁ ଅନେକ ଦୁର୍ବୃତ୍ତ ମିଛ ରିପୋର୍ଟ ଦାଖଲ କରିବାର ଆଶଙ୍କା ରହିଛି। କାହାକୁ ଭୟଭୀତ କିମ୍ବା ପ୍ରତିଶୋଧ ନେବାକୁ ଏହାକୁ ବ୍ୟବହାର କରିପାରନ୍ତି। ତେଣୁ ପୋର୍ଟାଲ୍‌ ପକ୍ଷରୁ ଅନ୍‌ଲାଇନ୍‌ରେ ଦାଖଲ କରାଯାଉଥିବା ସମସ୍ତ ରିପୋର୍ଟ ଯାଞ୍ଚ କରାଯିବ। କୌଣସି ରିପୋର୍ଟ ମିଥ୍ୟା କିମ୍ବା ଭିତ୍ତିହୀନ ବୋଲି ଜଣାପଡ଼ିଲେ ସମ୍ପୃକ୍ତ ଅଭିଯୋଗକାରୀ କିମ୍ବା ପୀଡ଼ିତା କୁହାଯାଉଥିବା ନାବାଳିକାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଏହି ପୋର୍ଟାଲ୍‌ରେ ଅଭିଯୋଗ ଦାଖଲ କରିବା ବାଦ୍‌ ଫେସ୍‌ବୁକ, ୟୁଟ୍ୟୁବ୍‌, ଟୁଇଟର୍‌, ଇନ୍‌ଷ୍ଟାଗ୍ରାମ୍‌ରେ କୌଣସି ଆପତ୍ତିଜନକ କିମ୍ବା ଉତ୍ତେଜନାମୂଳକ ଭିଡ଼ିଓ ଓ ଫଟୋ ହଟାଇବା ପାଇଁ ସମ୍ପୃକ୍ତ ସୋସିଆଲ୍‌ ମିଡିଆ ଓ୍ଵବ୍‌ସାଇଟ୍‌ରେ ଅପ୍‌ସନ ରହିଛି। ତାକୁ ମଧ୍ୟ ପୀଡ଼ିତା ବ୍ୟବହାର କରିପାରିବେ ବୋଲି ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର