ଭୁବନେଶ୍ବର : ଅତି ପ୍ରଳୟଙ୍କରୀ ଝଡ଼ବାତ୍ୟା ଫନି ଉପକୂଳ ଓଡ଼ିଶାରେ ବିପର୍ଯ୍ୟୟ ସୃଷ୍ଟି କରିବାର ମାସେ ୧୮ ଦିନ ବିତିଗଲାଣି। ଗତ ମାସ ୧୫ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ବାଜ୍ଙ୍କ ନେତୃତ୍ବରେ ୧୧ଜଣିଆ କେନ୍ଦ୍ରୀୟ ଦଳ କ୍ଷୟକ୍ଷତିର କ୍ଷେତ୍ରସ୍ତରୀୟ ଆକଳନ କରିଥିଲେ। ପୁନର୍ବାର ଆଜି ଶ୍ରୀ ଭରଦ୍ବାଜ୍ଙ୍କ ନେତୃତ୍ବରେ କେନ୍ଦ୍ରୀୟ ଦଳ ପୁନର୍ବାର ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କ ଦାବି ମୁତାବକ ପ୍ରାୟ ୫୨୦୦ କୋଟି ଟଙ୍କାର ସହାୟତା ଶୀଘ୍ର ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଦାବି କରିଛନ୍ତି। ଏହାର ଉତ୍ତରରେ କେନ୍ଦ୍ରୀୟ ଦଳ କହିଛନ୍ତି ଯେ ଫନି ବାତ୍ୟା ପୁନରୁଦ୍ଧାର, ପୁନର୍ନିମାଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଓଡ଼ିଶାକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରୀୟ ପ୍ରତିନିଧି ଦଳ ଆଶ୍ବାସନା ଶୁଣାଇଛନ୍ତି।
ଗତକାଲି କେନ୍ଦ୍ରୀୟ ଦଳ ପୁରୀ ଜିଲ୍ଲା ଗସ୍ତ କରି ବାତ୍ୟା କ୍ଷୟକ୍ଷତି ଆକଳନ ସାଙ୍ଗକୁ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଆଜି ସନ୍ଧ୍ୟା ୬ଟାରେ ରାଜ୍ୟ ସଚିବାଳୟରେ ମୁଖ୍ୟ ସଚିବ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଫନି ପୁନରୁଦ୍ଧାର, ରିଲିଫ, ପୁନର୍ନିମାଣ ସଂପର୍କରେ ଆଲୋଚନା କରିଥିଲେ। ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅତିରିକ୍ତ ସଚିବ ଶ୍ରୀ ଭରଦ୍ବାଜ୍ କହିଲେ, ବାତ୍ୟାର ମାତ୍ର କିଛି ଦିନ ପରେ ଆମେ ଆସିଥିଲୁ। ଏହା ଫଳରେ ସେତେବେଳର କ୍ଷୟକ୍ଷତି ଏବଂ ବର୍ତମାନର ପୁନରୁଦ୍ଧାର କାର୍ଯ୍ୟର ସଠିକ୍ ଅନୁଧ୍ୟାନ ନିମନ୍ତେ ସୁବିଧା ମିଳିଛି। ବାତ୍ୟା ପରବର୍ତୀ ପୁନରୁଦ୍ଧାର ଏବଂ ପୁନଃଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଏ ସମସ୍ତ କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।
ମୁଖ୍ୟ ସଚିବ କହିଲେ ଯେ ଏହା ପୂର୍ବରୁ କେନ୍ଦ୍ରୀୟ ଦଳ ଆସି ବାତ୍ୟା ବିପର୍ଯ୍ୟୟର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଇତି ମଧ୍ୟରେ ରାଜ୍ୟ ସରକାର ପ୍ରାୟ ୫୨୦୦ କୋଟି ଟଙ୍କାର ବାତ୍ୟା କ୍ଷୟକ୍ଷତି ସମ୍ବଳିତ ସ୍ମାରକପତ୍ର କେନ୍ଦ୍ର ସରକାରଙ୍କୁ ଦେଇ ସାରିଛନ୍ତିି। ଏନ୍ଡିଆରଏଫ୍ ନିୟମାବଳୀ ଅନୁଯାୟୀ ଏହି ପରିମାଣର ସହାୟତା ମିଳିବା ଆବଶ୍ୟକ। ଏ ନେଇ ଅଧିକ ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଦଳ ଆସିଛନ୍ତିି। ଦଳର ପ୍ରତିନିଧିମାନେ ପୁରୀ ଯାଇ କ୍ଷେତ୍ରୀୟ ଅନୁଧ୍ୟାନ କରିଛନ୍ତି। ଏହି ଦଳ ଗୃହ ମନ୍ତ୍ରଣାଳୟରେ ଅଧୀନରେ ଗଠିତ କମିଟିକୁ ରିପୋର୍ଟ ପ୍ରଦାନ କରିବେ। ତଦନୁଯାୟୀ ଓଡ଼ିଶାକୁ ବାତ୍ୟା କ୍ଷୟକ୍ଷତି ସହାୟତା ମିଳିବ। ଏହି ସହାୟତା ଶୀଘ୍ର ପ୍ରଦାନ କରିବାକୁ ସେ କେନ୍ଦ୍ରୀୟ ଦଳଙ୍କୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା କମିଟି ଗୃହ, ଅର୍ଥ, କୃଷି ମନ୍ତ୍ରଣାଳୟ ପ୍ରତିନିଧିମାନଙ୍କୁ ନେଇ ଗଠିତ।
କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ସହିତ ହୋଇଥିବା ଆଲୋଚନାରେ ଉନ୍ନୟନ କମିଶନର ଅସିତ ତ୍ରିପାଠୀ, କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀଙ୍କ ସମେତ ସଂପୃକ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/fani-f.jpg)