ରେଳମନ୍ତ୍ରୀଙ୍କୁ ଭେଟିଲା ଗୃହ କମିଟି: ୭୨୦୦ କୋଟିର ଦାବି ରଖିଲା ଓଡ଼ିଶା

ଅଧିଗ୍ରହଣ ତ୍ବରାନ୍ବିତ କଲେ ଟଙ୍କା ଅଭାବ ରହିବ ନାହିଁ: ଗୋୟଲ

ନୂଆଦିଲ୍ଲୀ: ଓଡ଼ିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ରେଳବାଇ ଗୃହ କମିଟି ଆଜି ସଂଧ୍ୟାରେ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛି।। ଓଡ଼ିଶାର ଦାବି ସଂପର୍କରେ କମିଟି ସଦସ୍ୟମାନେ ବିଶଦ ଆଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲ ପ୍ରତିଶ୍ରୁତି ଦେଇଥିଲେ ଯେ ରାଜ୍ୟ ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରନ୍ତୁ, ଅର୍ଥର ଅଭାବ ରହିବ ନାହିଁ। ଦେଢ଼ ଘଣ୍ଟା ଧରି କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ କମିଟିର ସଦସ୍ୟମା‌ନଙ୍କର ଆଲୋଚନା ହୋଇଥିଲା। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ଥିଲେ। ୨୦୨୦-୨୧ ରେଳ ବଜେଟରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପ୍ରସଙ୍ଗ ନେଇ ସୋମବାର ଗୃହ କମିଟି ବୈଠକରେ ଆଲୋଚନା ପରେ ସଦସ୍ୟମାନେ ଆଜି ନୂଆଦିଲ୍ଲୀ ଗସ୍ତ କରିଥିଲେ। ଆଜି ବାଚସ୍ପତିଙ୍କ ନେତ୍ୟତ୍ବରେ ସଦସ୍ୟମାନେ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ବେଳେ ଅଭିଯୋଗର ଲମ୍ବା ତାଲିକା ଉପସ୍ଥାପନ କରିଥିଲେ। ଜଣାଇଥିଲେ ଯେ ରାଜ୍ୟର ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରାଯିବା ଦରକାର। ଯେଉଁସବୁ ଅଞ୍ଚଳକୁ ରେଳ ଯୋଗାଯୋଗ ନାହିଁ, ସେଠାରେ ରେଳ ଚଳାଚଳର ବ୍ୟବସ୍ଥା କରିବା ଉଚିତ୍। ବିଶେଷକରି ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ପୁରୀ‌-କୋଣାର୍କ (୩୫ କିମି), ବାଙ୍ଗିରିପୋଷି-ଗୋରୁମହିଷାଣି, ତାଳଚେର-ଗୋପାଳପୁର ଭାୟା ନରସିଂହପୁର (୨୪୫ କିମି), ଯାଜପୁର କେନ୍ଦୁଝରରୋଡ-ଧାମରା ପୋର୍ଟ ଭାୟା ଯାଜପୁର ଆର୍‌ଡି (୯୫ କିମି), ଜୁନାଗଡ଼-ନବରଙ୍ଗପୁର-ଆମ୍ବାଗୁଡ଼ା (୧୪୫ କିମି), ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର (୧୩୬ କିମି), ବାଦାମପାହାଡ଼-କେନ୍ଦୁଝର (୭୦ କିମି), ପାରାଦୀପ ପୋର୍ଟ-ଧାମରା ପୋର୍ଟ (୫୦ କିମି) ରେଳପଥ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ସେହିଭଳି ଚମ୍ପୁଆ-ଆନନ୍ଦପୁର-ଯାଜପୁରରୋଡ଼-ଧାମରା, ରାଜଆଠଗଡ଼-ତାପଙ୍ଗ ବାଇପାସ-ଭୁବନେଶ୍ବର (୫୯ କିମି), ଭଦ୍ରାଚଳମ୍‌ ରୋଡ଼ (ଆନ୍ଧ୍ରପ୍ରଦେଶ)-ମାଲକାନଗିରି-ଜୟପୁର-ଜୁନାଗଡ଼, ଲାଞ୍ଜିଗଡ଼ରୋଡ଼-ତାଳଚେର-ବିମଳାଗଡ଼, ‌‌ଗୋପାଳପୁର-ସିଙ୍ଗାପୁରରୋଡ଼ ନ୍ୟୁ ବିଜି ଲାଇନ୍‌, କ୍ଷୁଦ୍ର ଲିଙ୍କ୍‌ରୋଡ୍‌ ଆଦି ପାଇଁ ଅର୍ଥ ବରାଦ କରିବା ଲାଗି କମିଟି ପ୍ରସ୍ତାବ ଦେଇଥିଲା। ଏହାବ୍ୟତୀତ କ୍ଷୁଦ୍ର ଲିଙ୍କ୍‌ରୋଡ଼ ପ୍ରକଳ୍ପରେ ବାରସୁଆଁ-ବାଂଶପାଣି, ନୟାଗଡ଼ ରେଳ ଲିଙ୍କ୍ (୪୦ କିମି), ଯାଜପୁର-କେନ୍ଦୁଝରରୋଡ, ଯାଜପୁର (୩୦ କିମି), ବାରିପଦା-ଯାଜପୁର-କେନ୍ଦୁଝର ରୋଡ ତଥା ବରସୁଆଁ-ବାଂଶପାଣି-ନାରାୟଣଗଡ଼କୁ ସାମିଲ କରିବା ପାଇଁ ବି ପ୍ରସ୍ତାବ ଦିଆଯାଇଥିଲା।

ଗୃହ କମିଟି ଯେଉଁ ସ୍ମାରକପତ୍ର ଦେଇଥିଲେ, ସେଥିରେ କୁହାଯାଇଥିଲା ଯେ ଓଡ଼ିଶାରେ ରେଳ ଷ୍ଟେସନଗୁଡ଼ିର ଆଧୁନିକୀକରଣ କାର୍ଯ୍ୟକ୍ରମରେ ଭୁବନେଶ୍ବର ରେଳଷ୍ଟେସନ ପାଇଁ ଦୁଇଟି ପ୍ଲାଟଫର୍ମ ମଂଜୁର କରାଯାଉ। ଭୁବନେଶ୍ବର ନୂଆ ଷ୍ଟେସନର ଆଧୁନିକୀକରଣ ସହିତ ରେଳ ମନ୍ତ୍ରଣାଳୟ ଦ୍ବାରା ରାଜ୍ୟରେ ଚିହ୍ନଟ କରାଯାଇଥିବା ୧୧ଟି ଷ୍ଟେସନ ଯଥା ପୁରୀ, ଭଦ୍ରକ, ବ୍ରହ୍ମପୁର, କଟକ, ଯାଜପୁର, କେନ୍ଦୁଝର ରୋଡ୍, ଖୋର୍ଦ୍ଧା ରୋଡ୍‌, ରାୟଗଡ଼ା, ସମ୍ବଲପୁର, ବାଲେଶ୍ବର, ଝାରସୁଗୁଡ଼ା ଓ ରାଉରକେଲା ଷ୍ଟେସନର ଆଧୁନିକୀକରଣ କରାଯାଉ। ଗୃହ କମିଟି ରାଜ୍ୟରେ ରେଳ ସମ୍ପର୍କିତ ଉଦ୍ୟୋଗ ପ୍ରତିଷ୍ଠା କରାଯିବାକୁ ରେଳମନ୍ତ୍ରୀଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲା। ଗଞ୍ଜାମର ଶୀତଳାପଲ୍ଲୀରେ ରେଳ ୱାଗନ କାରଖାନା ନିର୍ମାଣ , କଣ୍ଟାବାଞ୍ଜି ଓ ବନ୍ଧମୁଣ୍ଡାରେ କଙ୍କ୍ରିଟ୍‌ ସ୍ଲିପର୍‌ ପ୍ଲାଣ୍ଟ୍‌ ତଥା କେବିକେ ଜିଲ୍ଲାଗୁଡ଼ିକରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଜିଲ୍ଲା ମୁଖ୍ୟାଳୟ ଗୁଡ଼ିକରେ ମାଲବୁହା ସେଡ୍‌ର ବ୍ୟବସ୍ଥା କରିବା ତଥା ପରିତ୍ୟକ୍ତ ଓ ଭାଙ୍ଗି ପଡ଼ିଥିବା ମାଲବୁହା ସେଡ୍‌ଗୁଡ଼ିକର ଉନ୍ନତୀକରଣ ପାଇଁ‌ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କେରଜାଙ୍ଗ, ରେଢ଼ାଖୋଲ, ନୟାଗଡ଼, ମାଳତିପାଟପୁର, ହରିଦାସପୁର, ଚାରବାଟିଆ, ବଡ଼ବରଧା, ଝାରସୁଗୁଡ଼ା, କୋରାପୁଟ ଓ ନାରାୟଣପୁର ଆଦିରେ ଗୁଡ୍‌ ସେଡସ୍‌ ସ୍ଥାପନ କରିବାକୁ କୁହାଯାଇଥିଲା। ସମ୍ବଲପୁର ସହର, ରେଙ୍ଗାଲି, ନିର୍ଗୁଣ୍ଡି, ଭଦ୍ରକ, ଜଗନ୍ନାଥପୁର, ନୂଆପଡ଼ା ରୋଡ୍, କେରଜାଙ୍ଗ, ଜୟପୁର ଓ କେସିଙ୍ଗାରେ ଥିବା ଗୁଡ୍‌ ସେଡସ୍‌ଗୁଡ଼ିକର ଉନ୍ନତୀକରଣ କରିବାକୁ ଦାବି କରାଯାଇଥିଲା। କଳିଙ୍ଗନଗର, ଅନୁଗୁଳ, ରାଉରକେଲା, ଚୌଦ୍ବାର, ଧାମରା, ଗୋପାଳପୁର ଓ ପାରାଦୀପରେ ମଲ୍‌ଟି ମୋଡାଲ୍ ଲଜିଷ୍ଟିକ୍ସ ପାର୍କ ସ୍ଥାପନ କରିବା ଲାଗି ରେଳମନ୍ତ୍ରୀଙ୍କ ନିକଟରେ ସଦସ୍ୟମାନେ ଦାବି କରିଥିଲେ।

ରାଜ୍ୟରେ ଜାରି ରହିଥିବା ୮ଟି ବଡ଼ ପ୍ରକଳ୍ପ ବିଷୟରେ ମଧ୍ୟ ସ୍ମାରକପତ୍ରରେ ବିବରଣୀ ପ୍ରଦାନ କରାଯାଇଥିଲା। ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର (୨୮୯ କିମି), ହରିଦାସପୁର-ପାରାଦୀପ (୮୨ କିମି), ଅନୁଗୁଳ-ଡୁବୁରି-ସୁକିନ୍ଦାରୋଡ୍‌ (୧୦୪ କି.ମି.), ତାଳଚେର-ବିମଳାଗଡ଼ (୧୫୪ କି.ମି.), ଜଳେଶ୍ବର-ଦିଘା(୪୧ କି.ମି.) ଖୋର୍ଦ୍ଧା ବାଇପାସ (୧.୬୧ କି.ମି.) ଜୟପୁର-ନବରଙ୍ଗପୁର (୩୮ କି.ମି.) ଓ ଜୟପୁର-ମାଲକାନଗିରି (୧୩୦ କି.ମି.) ପ୍ରକଳ୍ପର କାର୍ଯ୍ୟ ମନ୍ଥରଗତିରେ ଚାଲିଥିବା କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ରାଜ୍ୟରେ ୨୩ଟି ଏକ୍ସପ୍ରେସ ଓ ସୁପରଫା‌ଷ୍ଟ ଟ୍ରେନ୍‌ ଓ ୧୩ଟି ଇଣ୍ଟରସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଇବା, ୮ଟି ପାସେଞ୍ଜର ଟ୍ରେନ୍‌ ଆରମ୍ଭ କରିବା ତଥା ୨୬ଟି ଟ୍ରେନ୍‌ର ସଂପ୍ରସାରଣ କରିବା, ସାତଟି ଷ୍ଟେସନ୍‌ରେ ମେମୁ ଟ୍ରେନ୍‌ ଚଳାଚଳ ପାଇଁ ମଧ୍ୟ ଦାବି ଉପସ୍ଥାପନ କରାଯାଇଥିଲା। ସ୍ମାରକପତ୍ରରେ ରାଜ୍ୟଦ୍ବାରା ରେଳ ବିକାଶକୁ ନେଇ ‌ବଜେଟ୍‌‌ରେ ୭,୨୦୦ କୋଟି ଟଙ୍କାର ବ୍ୟବସ୍ଥା କରିବା ସଂପର୍କରେ ସଦସ୍ୟମାନେ ମନ୍ତ୍ରୀଙ୍କ ନିକଟରେ ଦାବି ରଖିଥିଲେ।

ସମ୍ବନ୍ଧିତ ଖବର