ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ – କେନ୍ଦ୍ର କୋଇଲା ମନ୍ତ୍ରୀ ଆଲୋଚନା : କୋଇଲା ରୟାଲଟି ବୃଦ୍ଧି ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ

ଏମସିଏଲ ଅଞ୍ଚଳରେ ପାରିପାର୍ଶ୍ବିକ ବିକାଶ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ବର : କୋଇଲା ରୟାଲଟି କେନ୍ଦ୍ର ସରକାର ତୁରନ୍ତ ବୃଦ୍ଧି କରନ୍ତୁ। ଏହାସହ କେନ୍ଦ୍ର ସରକାର କୋଇଲା ଉପରେ ଆଦାୟ କରୁଥିବା ସେସ୍ ଟିକସରୁ ଓଡ଼ିଶାକୁ ଅଂଶ ଦେବାକୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଆଗରେ ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏମସିଏଲର କୋଇଲା ଉତ୍ପାଦନ ବୃଦ୍ଧି ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଜି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଆଲୋଚନା କରିଛନ୍ତି। ଆରପିଡିଏସି ବୈଠକର ନିଷ୍ପତ୍ତି ଅନୁଯାୟୀ, ଏମସିଏଲ କୋଇଲା ଖଣି ଅଞ୍ଚଳରେ ପାରିପାର୍ଶ୍ବିକ ବିକାଶ ପାଇଁ ଅର୍ଥ ଖର୍ଚ୍ଚ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ଯୋଶୀ କହିଥିଲେ, ପାରିପାର୍ଶ୍ବିକ ବିକାଶ ବାବଦରେ ଏମସିଏଲକୁ ଜମି ଅଧିଗ୍ରହଣ, ରାସ୍ତା ନିର୍ମାଣ ନେଇ ରାଜ୍ୟ ସରକାର ସହାୟତା କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। କୋଇଲା ରୟାଲଟି ବୃଦ୍ଧି ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ଏମସିଏଲର କୋଇଲା ଉତ୍ପାଦନ ବୃଦ୍ଧି ପାଉନି। ଚାହିଦା ମୁତାବକ କୋଇଲା ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି। ଓଡ଼ିଶାର ୨୪ଟି ଖଣିର ଅବଧି ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ। ଏହି ସମୟ ମଧ୍ୟରେ ଶିଳ୍ପଗୁଡ଼ିକୁ କଞ୍ଚାମାଲ ସାଧାରଣ ଉଦ୍ୟୋଗ ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୋଇଲା ରୟାଲଟି ବୃଦ୍ଧି କରିବାକୁ ଜୋର ଦେଇଥିଲେ। କୋଇଲା ଖନନ ହେଉଥିବା ଅଞ୍ଚଳରେ ବ୍ୟାପକ ଭାବେ ପାରିପାର୍ଶ୍ବିକ ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏ ନେଇ ଆରପିଡିଏସି ସ୍ତରରେ ସୁପାରିସ କରାଯାଇଥିବା ନିଷ୍ପତ୍ତିଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ, କୋଇଲା ରୟାଲଟି ବୃଦ୍ଧି କରିବାକୁ ବହୁ ଦିନରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଦାବି କରିଆସୁଛନ୍ତି। ଶେଷଥର ପାଇଁ ୨୦୧୫ରେ କୋଇଲା ରୟାଲଟି ସଂଶୋଧନ ହୋଇଥିଲା। ଏ ନେଇ କେନ୍ଦ୍ର ମନ୍ତ୍ରୀ କିଛି ଠୋସ୍ ପ୍ରତିଶ୍ରୁତି ଦେଇନାହାନ୍ତି। ଏହାବ୍ୟତୀତ ଓଡ଼ିଶା ଖଣି ନିଗମର ଗୋଟିଏ କୋଇଲା ଖଣିର ଲିଜ୍ ଓଏମସିକୁ ନ ଦେଇ ଅନ୍ୟ ସାଧାରଣ ଉଦ୍ୟୋଗକୁ ଦେବା ପାଇଁ ଅନୁରୋଧ କରାଗଲା। ସେହିପରି ଟାଟା କମ୍ପାନି ପାଇଥିବା କ୍ରୋମାଇଟ୍ ଖଣିର ଲିଜ ଅବଧି ୨୦୨୦ରେ ସରୁଛି। ଟାଟାକୁ ପ୍ରଦାନ କରାଯାଇଥିବା ସମ୍ପୃକ୍ତ କ୍ରୋମାଇଟ୍ ଖଣିର ଲିଜ୍ ଏଣିକି ସାଧାରଣ ଉଦ୍ୟୋଗକୁ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଉଭୟ କଥାରେ କେନ୍ଦ୍ର ମନ୍ତ୍ରୀ ରାଜି ହୋଇଥିବା ନେଇ ଶ୍ରୀ ମଲ୍ଲିକ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ଆଲୋଚନା ସମୟରେ ଭାରତ ସରକାରଙ୍କ କୋଇଲା ଓ ଖଣି ମନ୍ତ୍ରଣାଳୟର ଅଧିକାରୀଙ୍କ ସମେତ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର