ନବରଙ୍ଗପୁର: ନବରଙ୍ଗପୁର ଓ କୋଷାଗୁମୁଡ଼ା ବ୍ଲକରେ ରହିଛନ୍ତି ହସ୍ତତନ୍ତ ବୁଣାକାର। ଏହି ବୁଣାକାରଙ୍କ ଲୁଗାର ଚାହିଦା ରାଜ୍ୟ ଓ ରାଜ୍ୟ ବାହାରେ ରହିଛି। ତେବେ ବୁଣାକାରଙ୍କ ବୃତ୍ତି ବଞ୍ଚାଇ ରଖିବାକୁ ନା ଓଡ଼ିଶାରେ ମିଳୁଛି କଞ୍ଚାମାଲ ନା ବିକ୍ରିବଟା ପାଇଁ ରହିଛି ବଜାର ବ୍ୟବସ୍ଥା। ଉତ୍ପାଦିତ ଲୁଗା ବିକ୍ରିବଟା ପାଇଁ ପଡ଼ୋଶୀ ଛତିଶଗଡ଼ ଉପରେ ନିର୍ଭର କରୁଛନ୍ତି ବୁଣାକାର ପରିବାର। ନିଜ ଇଛାଶକ୍ତି ବଳରେ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି।
କୋଷାଗୁମୁଡ଼ା ବ୍ଲକର ମୁଣ୍ଡାଗୁଡ଼ା ଗାଁରେ ରହୁଛନ୍ତି ୪୦ ତନ୍ତୀ ପରିବାର। ବିଭିନ୍ନ ରଙ୍ଗ ଓ ବାନ୍ଧ ଦିଆ ଡିଜାଇନର ଶାଢ଼ୀ, ଟାୱାଲ, ଦୁପଟା, ଡ୍ରେସ କପଡ଼ା ବୁଣି ବାହାର ରାଜ୍ୟରେ ବିକ୍ରି କରୁଛନ୍ତି। ଏମାନେ ବୁଣୁଥିବା ସୁନ୍ଦର ଧୋତିର ଅଧିକ ଚାହିଦା ଛତିଶଗଡ଼ ଅଞ୍ଚଳରେ ରହିଛି। ବୁଣୁଥିବା ଲୁଗାଗୁଡ଼ିକ ପାରମ୍ପରିକ ଡିଜାଇନ୍ର ହୋଇଥିବାରୁ ବିଶେଷ ଭାବେ ଗଣ୍ଡ ସମ୍ପ୍ରଦାୟର ଲୋକେ ଏହାକୁ କିଣୁଛନ୍ତି। ଶାଢ଼ୀ ଗୁଡିକ ୬ ହଜାରରୁ ୧୫ ହଜାର ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଆଲ ରଙ୍ଗ ଦିଆ ସୂତା କୋଟପାଡ଼ରୁ ଆଣୁଛନ୍ତି ବୁଣାକାର। ଯେଉଁ ରଙ୍ଗ ଛାଡ଼େ ନାହିଁ ଓ ଶାଢ଼ୀର ଚମକ ଅଧିକ ରହିଥାଏ। ଚର୍ମ ରୋଗରୁ ମଧ୍ୟ ଦୂରେଇ ରଖେ। ଆଲ ରଙ୍ଗଦିଆ ଶାଢ଼ୀର ଦାମ ଅଧିକ ରହିଥାଏ। ଏହାର ଚାହିଦା ଦିଲ୍ଲୀ ବଜାରରେ ଅଧିକ ରହିଛି। ଓରମାସ ପକ୍ଷରୁ ବିଭିନ୍ନ ପ୍ରଦର୍ଶନୀ ମେଳା, ଜିଲାସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ବିକ୍ରି ପାଇଁ ସୁଯୋଗ ଦିଆଯାଉଛି ବୁଣାକାର ପରିବାରକୁ। ତେବେ ନବରଙ୍ଗପୁରରେ ସୂତା ମିଳୁନଥିବାରୁ କୋରାପୁଟ ଜିଲ୍ଲାର କୋଟପାଡ଼ ଓ ବରଗଡ଼ରୁ ଆଣିବାକୁ ପଡ଼ୁଛି।
ଓଡ଼ିଶାରେ ମିଳୁନି କଞ୍ଚାମାଲ, ନାହିଁ ବଜାର ସୁବିଧା
ନବରଙ୍ଗପୁରର ବୁଣାକାର ପରିବାର ଅବହେଳିତ
ବିକ୍ରିବଟା ପାଇଁ ଦିଲ୍ଲୀ, ଛତିଶଗଡ଼ ଉପରେ ନିର୍ଭରଶୀଳ
ସୁନ୍ଦର ମାନି ଧୋତି ଛତିଶଗଡ଼ର ଜଗଦଲପୁରରେ ବିକ୍ରି କରୁଛନ୍ତି। ୫୦ କିମି ଦୂରରେ ଜଗଦଲପୁର ଥିବାରୁ ବଜାରୀକରଣ ପାଇଁ ବୁଣାକାର ପରିବାରକୁ ସହଜ ହୋଇଥାଏ। ବୁଣାକାରଙ୍କୁ କୋରାପୁଟ ବୁଣାକାର ସୋସାଇଟି ପକ୍ଷରୁ ଥରେ ମାତ୍ର ତାଲିମ ପ୍ରଦାନ କରାଯାଇଛି। ବଜାର ଚାହିଦାକୁ ଦୃଷ୍ଟିରେ ରଖି ସମ୍ବଲପୁର, ବରଗଡ଼ ଭଳି ଜିଲ୍ଲାରୁ ତାଲିମଦାତା ଆସି ନୂଆ ଡିଜାଇନ୍ ଉପରେ ତାଲିମ ଦେଲେ ଭଲ ହୁଅନ୍ତା ବୋଲି ବୁଣାକାର କହିଛନ୍ତି। ଅନ୍ୟପକ୍ଷରେ ବ୍ଲକ କିମ୍ବା ଜିଲ୍ଲା ସଦର ମହକୁମାରେ ବୁଣାକାରଙ୍କ ପାଇଁ ଷ୍ଟଲ୍ ଏବଂ ହସ୍ତତନ୍ତ ବୁଣାକାରଙ୍କ ପାଇଁ ଏକ ଗୋଷ୍ଠୀ ସାଧନ କେନ୍ଦ୍ର ଖୋଲାଗଲେ ବିକ୍ରିବଟା ହୋଇପାରନ୍ତା। ମୁଣ୍ଡାଗୁଡ଼ା ଭଳି ନବରଙ୍ଗପୁର ଜିଲ୍ଲାର ସାନ ମସିଗାଁ, ବଡ଼ମସିଗାଁ, ଭାଟିଗାଁ, ବରାଗାଁ, ଚଟାହାଣ୍ଡି, ମେଦନା ଗ୍ରାମରେ ବୁଣାକାର ପରିବାର ଲୁଗା ବୁଣି ନିଜ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି। ଜିଲ୍ଲାରେ ଏହି ସମସ୍ତ ତନ୍ତୀ ପରିବାରକୁ ପର୍ଯ୍ୟାୟକ୍ରମେ ହସ୍ତତନ୍ତ ବିଭାଗ ପକ୍ଷରୁ ନୂଆ ଡିଜାଇନ୍ର ତାଲିମ ପ୍ରଦାନ ସହ ଆବଶ୍ୟକ କଞ୍ଚାମାଲ ଯୋଗାଇଦେବା ପାଇଁ ଦାବି ହେଉଛି।