ଓଡ଼ିଶାର ୪ଟି କୋଲ ବ୍ଲକକୁ ଏମସିଏଲକୁ ଆବଣ୍ଟିତ କରିବାକୁ ରାଜ୍ୟ ସରକାରଙ୍କ ଦାବି

ଭୁବନେଶ୍ୱର: ଓଡ଼ିଶାରେ ଥିବା ୩ଟି କୋଇଲା ବ୍ଲକ ରାମ୍ପିଆ, ଡିପ ସାଇଡ୍‌ ଅପ ରାମ୍ପିଆ, ଘୋଗରପାଲି ଓ ଡିପ୍‌ ଏକ୍ସଟେନସନ ଅଫ ଘୋଗରପାଲିକୁ କେନ୍ଦ୍ର କୋଇଲା ମନ୍ତ୍ରାଳୟ କୋଲ ଇଣ୍ଡିଆର ଶାଖା କମ୍ପାନି େଓ୍ଵଷ୍ଟର୍ଣ୍ଣ କୋଲଫିଲ୍ଡସ ଲିଃ(ଡବ୍ଲୁସିଏଲ)କୁ ଆବଣ୍ଟିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ନିଷ୍ପତ୍ତିକୁ ଓଡ଼ିଶା ସରକାର ବିରୋଧ କରିବା ସହ ଏହି ୪ଟି ବ୍ଲକକୁ ଏମସିଏଲକୁ ଦେବା ପାଇଁ ଦାବି କରିଛନ୍ତି ।
କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଏକ ପତ୍ର ଲେଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ଦର୍ଶାଇଛନ୍ତି ଯେ ଉଭୟ ଡବ୍ଲୁସିଏଲ ଓ ଏମସିଏଲର ମୂଳ କମ୍ପାନି କୋଲଇଣ୍ଡିଆ ହୋଇଥିଲେ ମଧ୍ୟ ଡବ୍ଲୁସିଏଲର ମୁଖ୍ୟାଳୟ ନାଗପୁରଠାରେ ଅବସ୍ଥିତ, କିନ୍ତୁ ଏମସିଏଲର ମୁଖ୍ୟାଳୟ ଓଡ଼ିଶାରେ ଅବସ୍ଥିତ । ଏମସିଏଲ ପୂର୍ବରୁ ହିଁ ଓଡ଼ିଶାରେ ଅନେକ କୋଇଲା ଖଣି ପରିଚାଳନା କରୁଛି । ଏହାର ମୁଖ୍ୟାଳୟ ଓଡ଼ିଶାରେ ଥିବାରୁ ଏହି କମ୍ପାନି ସ୍ଥାନୀୟ ପ୍ରଶାସନ ସହ ମିଶି ଏହି ନୂଆ କୋଇଲା ବ୍ଲକ ଗୁଡ଼ିକ ପାଇଁ ଜମି ଅଧିଗ୍ରହଣ ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ଵିତ କରିପାରିବ । ଏଣୁ ଏସବୁ କୋଲ ବ୍ଲକଗୁଡ଼ିକୁ ଏମସିଏଲକୁ ଦେଲେ ସେଗୁଡ଼ିକ ବିକାଶ ନିର୍ବିଘ୍ନରେ ହୋଇପାରିବ ଓ ସ୍ଥାନୀୟ ଲୋକଙ୍କ ପୁନର୍ବାସ ଓ ଥଇଥାନ ମଧ୍ୟ ଭଲଭାବରେ ହୋଇପାରିବ । ଏହାଛଡ଼ା ସରକାର କୋଲ ଇଣ୍ଡିଆର ଏକ ନୂଆ ଶାଖା କମ୍ପାନି (ସବସୀଡାରୀ) ଗଠନ କରି ଏସବୁ ବ୍ଲକକୁ ଆବଣ୍ଟିତ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର