ହକି ବିଶ୍ବକପ୍ ପାଇଁ ଝାରସୁଗୁଡ଼ା ଏୟାରପୋର୍ଟକୁ ଅଧିକ ବିମାନ ଚଳାଚଳ ଦାବି, କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ବର : ହକି ବିଶ୍ବକପ ଆସନ୍ତା ବର୍ଷ ଜାନୁଆରି ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ସରକାର ଓ ହକି ଇଣ୍ଡିଆ ଜୋରସୋରରେ ପ୍ରସ୍ତୁତି ଜାରି ରଖିଛନ୍ତି । ଏହି ବିଶ୍ବକପ ବେଳେ ଦେଶର ଅନ୍ୟ ସ୍ଥାନ ଓ ବିଦେଶରୁ ଅନେକ ଦର୍ଶକ ଆସିବାର ସମ୍ଭାବନା ଥିବାରୁ ରାଜ୍ୟକୁ ଅଧିକ ସଂଖ୍ୟକ ଫ୍ଲାଇଟ୍ ଚଳାଚଳ ପାଇଁ ଦାବି କରିଛନ୍ତି ଓଡ଼ିଶା ସରକାର ।

ମୁଖ୍ୟ ସଚିବ ସୁରେଶ ମହାପାତ୍ର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବନସଲଙ୍କୁ ଏକ ପତ୍ର ଲେଖି ରାଜ୍ୟରେ ଥିବା ଝାରସୁଗୁଡ଼ା ଏୟାରପୋର୍ଟକୁ ଅଧିକ ସଂଖ୍ୟକ ବିମାନ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି । ଏହା ସହିତ ରାଉରକେଲା ଏୟାରପୋର୍ଟକୁ କାର୍ଯ୍ୟକ୍ଷମ କରିବାକୁ ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ସେ ପ୍ରସଂଶା କରିଛନ୍ତି ।

ରାଉରକେଲା ଏୟାରପୋର୍ଟର ବିକଳ୍ପ ଭାବେ ଝାରସୁଗୁଡ଼ା ଏୟାରପୋର୍ଟକୁ ଅଧିକ ସଂଖ୍ୟକ ବିମାନ ଚଳାଚଳ ପାଇଁ ସେ ଦାବି କରିଛନ୍ତି । ଝାରସୁଗୁଡ଼ାରୁ ରାଉରକେଲା ସଡ଼କ ପଥରେ ଓ ରେଳପଥରେ ଉତ୍ତମ ସଯୋଗ ରହିଛି । ଏଣୁ ଏହି ଏୟାରପୋର୍ଟକୁ ଅଧିକ ବିମାନ ଚଳାଚଳ ହେଲେ ଦର୍ଶକମାନେ ସହଜରେ ରାଉରକେଲା ପହଞ୍ଚିପାରିବେ ।

ଅନ୍ୟପକ୍ଷରେ ସ୍ପାଇସ ଜେଟ୍ ଝାରସୁଗୁଡ଼ାକୁ ନିଜର ସିଡ୍ୟୁଲଡ ଫ୍ଲାଇଟ୍ ବାତିଲ କରିବାକୁ ନେଇ ଶ୍ରୀ ମହାପାତ୍ର ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିବା ସହ ଚିନ୍ତା ପ୍ରକଟ କରିଛନ୍ତି ।

ସମ୍ବନ୍ଧିତ ଖବର