ସାମୁଦ୍ରିକ ସୁରକ୍ଷା ପାଇଁ ନୂଆ ବାଟାଲିୟନ୍‌ ଦିଅ

ଭୁବନେଶ୍ୱର : ଉପକୂଳ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡିଶାପାଇଁ ଏକ କୋଷ୍ଟାଲ ଇଣ୍ଡିଆ ରିଜର୍ଭ ବାଟାଲିୟନ (ସିଆଇଆରବି) ମଞ୍ଜୁର ସକାଶେ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଦିଆଯାଇଛି ।

ଗୃହ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ମର୍ମରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରିଛନ୍ତି । ଏହି ବାଟାଲିୟନ ପ୍ରତିଷ୍ଠା ହେଲେ ଉପକୂଳ ସୁରକ୍ଷା ଦାୟିତ୍ୱରେ ଥିବା ୧୮ଟି ସାମୁଦ୍ରିକ ଥାନାକୁ ସେମାନେ ସହାୟତା ଯୋଗାଇଦେବେ। ରାଜ୍ୟର ୪୮୦ କିଲୋମିଟର ବ୍ୟାପି ବେଳାଭୂମିର ସୁରକ୍ଷାଲାଗି ଥିବା ସାମୁଦ୍ରିକ ଥାନା ଗୁଡିକ ରାଜ୍ୟ ସାମୁଦ୍ରିକ ପୁଲିସ୍‌ (ଷ୍ଟେଟ୍‌ ମେରାଇନ୍‌ ଫୋର୍ସ) ଦ୍ୱାରା ଚାଲୁଥିବାବେଳେ ଏଥିପାଇଁ ଅଧିକ ସୁରକ୍ଷାବଳ ଆବଶ୍ୟକ ବୋଲି ବରିଷ୍ଠ ଅଧିକାରୀମାନେ ମତ ଦେଉଛନ୍ତି ।

ଦେଶର ଅନ୍ୟ କେତେକ ଉପକୂଳବର୍ତ୍ତୀ ରାଜ୍ୟଗୁଡିକ ଲାଗି ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି) ଢାଞ୍ଚାରେ ସିଆଇଆରବି ମଞ୍ଜୁର ହୋଇଥିବାବେଳେ ଅନୁରୂପ ଭାବେ ଓଡିଶାରେ ଗୋଟିଏ ବାଟାଲିୟନ ଆବଶ୍ୟକ ଥିବା ଗୃହ ବିଭାଗର ଅଧିକାରୀମାନେ କହୁଛନ୍ତି । ଏଥି ସହିତ ରାଜ୍ୟ ପାଇଁ ଆଉ ଦୁଇଟି ସାମୁଦ୍ରିକ ଥାନା ମଞ୍ଜୁର ପାଇଁ ମଧ୍ୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି ।

ରାଜ୍ୟର ସାମୁଦ୍ରିକ ଥାନା ଗୁଡିକରେ ଅନେକ ସମସ୍ୟା ରହୁଛି । ସମୁଦ୍ର ଉପକୂଳରେ ଅବିଭକ୍ତ ବାଲେଶ୍ୱର, କଟକ,ପୁରୀ ଓ ଗଞ୍ଜାମ ଜିଲ୍ଲାର ବ୍ୟାପକ ଅଞ୍ଚଳ ଥିବାବେଳେ ଏଠାରେ ୪୮୦ କିଲୋମିଟର ଦୈର୍ଘ୍ୟର ମୁକୁଳା ବେଳାଭୂମିକୁ ନିୟନ୍ତ୍ରଣ କରିବାପାଇଁ ଯେତେ ସଂଖ୍ୟକ ସାମୁଦ୍ରିକ ଥାନା ଆବଶ୍ୟକ ତାହା ନାହିଁ। ଏହି ଦୃଷ୍ଟିରୁ ବାଲେଶ୍ୱର ଓ ପୁରୀ ଜିଲ୍ଲାରେ ଆଉ ଗୋଟିଏ କରି ନୂଆ ସାମୁଦ୍ରିକ ଥାନା ପ୍ରତିଷ୍ଠା କରିବାପାଇଁ ନିରାପତ୍ତା ଦୃଷ୍ଟିରୁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି । ଉପକୂଳ ସୁରକ୍ଷାଲାଗି ଇଣ୍ଟରସେପ୍ଟର ବୋଟ୍‌ ମୁତୟନ ହୋଇଥିବାବେଳେ ରାଜ୍ୟର କୌଣସି ସାମୁଦ୍ରିକ ଥାନାରେ କିନ୍ତୁ ଜେଟି ସୁବିଧା ନାହିଁ । ଆବଶ÷କତାକୁ ଦୃଷ୍ଟିରେ ରଖି ଅତି କମ୍‌ରେ ୩ଟି ଜେଟି ନିର୍ମାଣ ପାଇଁ ରାଜ୍ୟ ସରକାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ବାଲେଶ୍ୱରର ଭୁଷୁଣ୍ଡେଶ୍ୱର, ପୁରୀର ସିପସରୁବାଲି ଓ ଖୋରଧାର ମାଲୁଦ ଠାରେ ଏହି ଜେଟି ନିର୍ମାଣ ଲାଗି ପ୍ରସ୍ତାବ ଦିଆଯାଇଛି ।

କେନ୍ଦ୍ରୀୟ କର୍ତ୍ତୃପକ୍ଷ ଯୋଗାଇଥିବା ଇଣ୍ଟରସେପ୍ଟର ବୋଟ୍‌ ପାଇଁ ଘଣ୍ଟାକୁ ୧୦୦ ଲିଟର ଇନ୍ଧନ ଖର୍ଚ୍ଚ ହେଉଥିବା ଦୃଷ୍ଟିରୁ ଏ ବାବଦରେ ୧୮ଟି ସାମୁଦ୍ରିକ ଥାନା ବାର୍ଷିକ ପ୍ରାୟ ୪୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାଛଡା ଏହି ଇଣ୍ଟରସେପ୍ଟର ବୋଟ୍‌ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ବାର୍ଷିକ ପ୍ରାୟ ୨କୋଟି ଟଙ୍କା ବ୍ୟୟ ହେଉଛି । ଏହି ବୋଟ ଗୁଡିକର ଇନ୍ଧନ ଓ ରକ୍ଷଣାବେକ୍ଷଣ ବାବଦ ବ୍ୟୟଭାରକେନ୍ଦ୍ର ସରକାର ବହନ କରିବାପାଇଁ ଓଡିଶା ପକ୍ଷରୁ ଅନୁରୋଧ କରାଯାଇଛି । ଏହାଛଡା ବିଭିନ୍ନ ଋତୁରେ ପ୍ରତିକୂଳ ପରିସ୍ଥିତିରେ ସମୁଦ୍ର ମଧ୍ୟକୁ ପଇଁତରା ପାଇଁ ଯିବାଲାଗି ଭିନ୍ନ ଭିନ୍ନ ଆକାରର ବୋଟ୍‌ ମଞ୍ଜୁର ହୋଇଥିଲେ ମଧ୍ୟ ଏଯାବତ୍‌ ତାହା ମିଳିନାହିଁ ।

ସମ୍ବନ୍ଧିତ ଖବର