ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧୦୦% ଚାଉଳ ଯୋଗାଇଦେବା ପାଇଁ ଓଡ଼ିଶାର ଦାବି

କେନ୍ଦ୍ରମନ୍ତ୍ରୀ ଗୋୟଲଙ୍କୁ ପତ୍ର ଲେଖିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ହିତାଧିକାରୀମାନଙ୍କୁ ୧୦୦ ପ୍ରତିଶତ ଚାଉଳ ଯୋଗାଇଦେବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ପତ୍ର ଲେଖିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ଭାତ ଓଡ଼ିଶା ଲୋକମାନଙ୍କର ମୁଖ୍ୟ ଖାଦ୍ୟ ହୋଇଥିବାବେଳେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟକୁ ଗହମ ଯୋଗାଇଦେବ । ଯଥାର୍ଥ ନୁହେଁ ବୋଲି ମନେହୁଏ ଓ ଏହା ହିତାଧିକାରୀଙ୍କ ଅସନ୍ତୋଷର କାରଣ ହେଉଛିା କେନ୍ଦ୍ର ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତପ୍ରତିଶତ ଚାଉଳ ନଦେଇ ମାସିକ ଆବଣ୍ଟନର ୮୬ ପ୍ରତିଶତ ଚାଉଳ ଓ ୧୪ ପ୍ରତିଶତ ଗହମ ଦେଉଛନ୍ତିା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୯୩.୧୮ ଲକ୍ଷ ହିତାଧିକାରୀ ପରିବାରଙ୍କ ୩ .୨୫୪ କୋଟି ହିତାଧିକାରୀ ମୁଖ୍ୟତଃ ଗ୍ରାମାଞ୍ଚଳରେ ବସବାସ କରିଥାଆନ୍ତି, ଯେଉଁଠାରେ ପର୍ଯ୍ୟାପ୍ତ ସଂଖ୍ୟକ ଅଟାକଳ ନଥିବାରୁ ଲୋକମାନେ ହଇରାଣ ହେଉଛନ୍ତି ଏବଂ ଏହା ଖାଦ୍ୟ ସୁରକ୍ଷାର ନିର୍ଦ୍ଦେଶନାମା ପୂରଣ କରୁନାହି ।

ପୂର୍ବରୁ ଅନେକବାର ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ହିତାଧିକାରୀଙ୍କ ଚାହିଦା ଅନୁଯାୟୀ ଗହମ ବଦଳରେ ଚାଉଳ ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଛିା ଅପର ପକ୍ଷରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ ଏବଂ ତେଲେଙ୍ଗାନା ଭଳି ରାଜ୍ୟକୁ କେନ୍ଦ୍ର ସରକାର ଶତ ପ୍ରତିଶତ ଚାଉଳ ଯୋଗାଇ ଦେଉଛନ୍ତିା ପଞ୍ଜାବ ଓ ରାଜସ୍ଥାନ ଭଳି ମୁଖ୍ୟ ଗହମ ବ୍ୟବହାରକାରୀ ରାଜ୍ୟକୁ ଶତପ୍ରତିଶତ ଗହମ ଯୋଗାଇ ଦେଉଛନ୍ତି ।

ସେହିପରି ହରିୟାନା ରାଜ୍ୟକୁ କେନ୍ଦ୍ର ପକ୍ଷରୁ ୬୭ ପ୍ରତିଶତ ଗହମ ଓ ବାକି ୩୩ ପ୍ରତିଶତ ସେହି ରାଜ୍ୟ ଦ୍ୱାରା ସଂଗୃହୀତ ହେଉଥିବା ଅନ୍ୟ ଖାଦ୍ୟଶସ୍ୟ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଇ ଦିଆଯାଉଛି । ହିତାଧିକାରୀଙ୍କ ହିତ ଦୃଷ୍ଟିରୁ ଚାଉଳ ଓ ଗହମର ଅନୁପାତକୁ ପରିବର୍ତ୍ତନ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବଙ୍କୁ ୨୦୨୨ ଫେବୃଆରୀ ୧୮ ତାରିଖରେ ପତ୍ର ଲେଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ପରିପ୍ରେକ୍ଷୀରେ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଉପରବର୍ଣ୍ଣିତ ରାଜ୍ୟ ଭଳି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୧୦୦ ପ୍ରତିଶତ ଚାଉଳ ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି ।

 

ସମ୍ବନ୍ଧିତ ଖବର