ଭୁବନେଶ୍ୱର : ଛଅ ମାସ କି ବର୍ଷେ ନୁହେଁ। ଇତିମଧ୍ୟରେ ୩ବର୍ଷ ବିତିଗଲାଣି। କୋଇଲା ରୟାଲ୍‌ଟି ବଢାଇବା ସଂକ୍ରାନ୍ତ ଫାଇଲକୁ କେନ୍ଦ୍ର ସରକାର ଏମିତି ମାଡ଼ି ବସିଛନ୍ତି ଯେ ତା’ ଉପରେ କୌଣସି ପଦକ୍ଷେପ ନେବାକୁ ନାରାଜ। ଗତ ସାଢେ ଚାରିବର୍ଷ ପାଖାପାଖି ଏନ୍‌ଡିଏ ସରକାର ଶାସନ କଲେଣି। ଅଥଚ ଥରୁଟିଏ ବି କୋଇଲା ରୟାଲଟି ବୃୃଦ୍ଧି କ୍ଷେତ୍ରରେ କେନ୍ଦ୍ର ପଦକ୍ଷେପ ନେଇନାହିଁ।

Advertisment

ପ୍ରତି ୩ ବର୍ଷରେ ରୟାଲଟି ସଂଶୋଧନ କରାଯିବା ସଂପର୍କରେ ରାଜ୍ୟ ସରକାରମାନେ ଦାବି କରି ଆସୁଛନ୍ତି। ୨୦୧୨ ମେ’ ୧୦ ତାରିଖରେ ଶେଷ ଥର ପାଇଁ ଉପା ସରକାର ସମୟରେ କୋଇଲା ରୟାଲଟି ସଂଶୋଧନ ହୋଇଥିଲା। ଏହି କ୍ରମରେ ୨୦୧୫ ମସିହାରୁ କୋଇଲା ରୟାଲଟି ବୃଦ୍ଧି ପ୍ରସ୍ତାବ ରାଜ୍ୟ ସରକାର ଦେଇଛନ୍ତି। ହେଲେ ଇତିମଧ୍ୟରେ ପୁଣି ତିନି ବର୍ଷ ବିତିବାକୁ ବସିଛି, ଅଥଚ କେନ୍ଦ୍ର ଏଭଳି ଏକ ପ୍ରସଙ୍ଗ ଉପରେ କୌଣସି ପଦକ୍ଷେପ ନେଇନାହାନ୍ତି। ପରିଣାମ ହେଲା, ରାଜ୍ୟ ବିପୁଳ ଆର୍ଥିକ କ୍ଷତି ସହୁଛି। ସବୁଠାରୁ ବଡ଼ କଥା ହେଲା, କୋଇଲା ପ୍ରଦୂଷଣର ବୋଝ ମୁଣ୍ଡାଉଛି ଓଡ଼ିଶା। ଅଥଚ କେନ୍ଦ୍ର ସରକାର ଏ କ୍ଷେତ୍ରରୁ ଅତିରିକ୍ତ ଲେଭି ଆଦାୟ କରୁଛନ୍ତି।

‘କ୍ଲିନ୍‌ ଏନଭାର୍ଣ୍ଣମେଣ୍ଟ ସେସ୍‌’ ଆଦାୟ କରାଯାଉଛି। ଏସବୁରେ କିନ୍ତୁ ରାଜ୍ୟ ସରକାରଙ୍କର ଭାଗ ନାହିଁ।

ଆସନ୍ତା ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। କୋଇଲା ଉତ୍ପାଦନ କ୍ଷେତ୍ରରେ ଆଗୁଆ ଅଞ୍ଚଳ ବୋଲି କୁହାଯାଉଥିବା ଅନୁଗୁଳ ଓ ଝାରସୁଗୁଡା ସେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏପରି ପରିସ୍ଥିତିରେ କୋଇଲା ରୟାଲଟି ବୃଦ୍ଧି ନେଇ ରାଜ୍ୟ ସରକାର କେତେ ଚାପ ସୃଷ୍ଟି କରିବେ, ତାହା ଏବେ ଚ୍ୟାଲେଞ୍ଜର ବିଷୟ ହୋଇଛି।

ଉଲ୍ଲେଖଯୋଗ୍ୟ, ୨୦୧୫ ମେ’ ମାସରୁ କୋଇଲା ରୟାଲ୍‌ଟି ସଂଶୋଧନ ନେଇ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ପ୍ରତି ତିନିବର୍ଷରେ ଥରେ ରୟାଲ୍‌ଟି ସଂଶୋଧନ ହେବା କଥା। ହେଲେ ପ୍ରସ୍ତାବ ଦିଆଯିବାର ଆଉ ତିନି ବର୍ଷ ବିତିଗଲାଣି, କେନ୍ଦ୍ର ଉପରେ ଏହାର କୌଣସି ପ୍ରଭାବ ନାହିଁ। ରାଜ୍ୟ ସରକାର ନୀତି ଆୟୋଗଙ୍କୁ ମଧ୍ୟ ଅନୁରୋଧ କରି କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉତ୍‌ଥାପନ କରିବାକୁ କହିଥିଲେ। କିଛି ମାସ ତଳେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏ ନେଇ ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରୟାଲ୍‌ଟି ବୃଦ୍ଧି ପାଇଁ ସଂପର୍କରେ ଜଣାଇବା ସହିତ ଏହି ପ୍ରସଙ୍ଗକୁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ନିକଟରେ ଉପସ୍ଥାପନ ଲାଗି ଅନୁରୋଧ କରିଥିଲେ। ସେ ସମୟରେ ଶ୍ରୀ କୁମାର ଏହା ଉପରେ ଅନୁକୂଳ ମନ୍ତବ୍ୟ ପୋଷଣ କରିଥିଲେ। ସେହିପରି ବଜେଟ୍‌ ପ୍ରସ୍ତୁତି ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ମଧ୍ୟ ଅନୁରୂପ ଅନୁରୋଧ କରାଯାଇଥିଲା। ସରକାର ଆଶା କରିଥିଲେ, କେନ୍ଦ୍ର ଏହା ଉପରେ ତତ୍କାଳ ପଦକ୍ଷେପ ନେବ। ହେଲେ ଯେ କୌଣସି ମୁହୂର୍ତରେ କେନ୍ଦ୍ର ସରକାର ନିର୍ବାଚନକୁ ଯାଇପାରନ୍ତି। ହେଲେ ଓଡ଼ିଶାର ସ୍ୱାର୍ଥ ସଂପର୍କିତ ଏହି ପ୍ରସଙ୍ଗ ଉପରେ କେନ୍ଦ୍ର ପଦକ୍ଷେପ ନେବନି?

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଅଧିକ ପରିମାଣର କୋଇଲା ମହଜୁଦ ରହିଛି। କୋଇଲା ଖଣି ଖନନ, ଲୋକଙ୍କୁ ବିସ୍ଥାପନ, ପରିବେଶ ପ୍ରଦୂଷଣ ଏବଂ ଜଙ୍ଗଲ ହ୍ରାସ ଭଳି ଅନେକ ସମସ୍ୟାର ସାମ୍ନା କରୁଛନ୍ତି ରାଜ୍ୟ ବାସୀ ଓ ସରକାର। ୨୦୧୨ ମସିହାରେ ହୋଇଥିବା ସଂଶୋଧନ ଆଧାରରେ ରାଜ୍ୟ ସରକାର ଏବେ ମାତ୍ର ୧୪% ରୟାଲ୍‌ଟି ପାଉଛନ୍ତି।

କମ୍‌ ଗ୍ରେଡ୍‌ର କୋଇଲାରୁ ମିଳୁଥିବା ରୟାଲ୍‌ଟି ପୂର୍ବରୁ ସଂଶୋଧିତ ହୋଇଥିବା ରୟାଲ୍‌ଟି ଠାରୁ ଢେର୍‌ କମ୍‌ ମିଳୁଛି। ଓଡ଼ଶାରେ ଅଧିକ ପରିମାଣର କମ୍‌ ଗ୍ରେଡ୍‌ର କୋଇଲା ଥିବା କାରଣରୁ ରାଜ୍ୟ ସରକାର ସେଥିରୁ ଅଧିକ ରୟାଲ୍‌ଟି ପାଇପାରୁନାହାନ୍ତି।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୃୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ୍‌ଙ୍କୁ ଭେଟି ପ୍ରାଥମିକତା ଭିିତ୍ତିରେ କୋଇଲା ରୟାଲ୍‌ଟି ସଂଶୋଧନ ପାଇଁ କହିଥିଲେ।

ହେଲେ ବାସ୍ତବତା ହେଲା, କେନ୍ଦ୍ର ସରକାର ପ୍ରତି ଟନ୍‌ କୋଇଲାରୁ ଅତିରିକ୍ତ ଲେଭି ଆକାରରେ ୨୯୫ ଟଙ୍କା କରି ଆଦାୟ କରୁଛନ୍ତି। ଏହି ଟଙ୍କା ରାଜ୍ୟ ନିକଟକୁ ଆସିବା କଥା। ସେହିଭଳି ୨୦୧୬-୧୭ ବଜେଟ୍‌ରେ କେନ୍ଦ୍ର ସରକାର ଗୋଟିଏ ଟନ୍‌ କୋଇଲା ଉପରେ ୪୦୦ ଟଙ୍କାର ‘କ୍ଲିନ୍‌ ଏନଭାର୍ଣ୍ଣମେଣ୍ଟ ସେସ୍‌’ ଲଗାଇଥିବା ବେଳେ ସେଥିରୁ ରାଜ୍ୟ ସରକାରଙ୍କୁ କିଛି ମିଳୁନାହିଁ।

ନ୍ୟାସନାଲ୍‌ କ୍ଲିନ୍‌ ଏନର୍ଜି ଫଣ୍ଡ (ଏନ୍‌ସିସିଏଫ୍‌)ରୁ ୬୦ ପ୍ରତିଶତ ଅର୍ଥ ପାଇବା ପାଇଁ କୋଇଲା ଭିତ୍ତିକ ରାଜ୍ୟମାନେ ଦାବି କରିଆସୁଛନ୍ତି। ଏହିସବୁ ଦାବିଗୁଡ଼ିକ ପ୍ରତି କେନ୍ଦ୍ର ସରକାର କିନ୍ତୁ କର୍ଣ୍ଣପାତ କରୁନାହାନ୍ତି। ଏହାଦ୍ୱାରା ଓଡ଼ିଶା ଭଳି କୋଇଲାଭିିତ୍ତିକ ରାଜ୍ୟ ଆର୍ଥିକ କ୍ଷତି ସହିତ କୋଇଲା ଖନନ ଯୋଗୁ ପ୍ରଦୂଷଣର ବୋଝ ବୋହି ଚାଲୁଛନ୍ତି।