ଆନ୍ଧ୍ର ଶ୍ରମିକଙ୍କୁ ଭରସା, ଅଧିକ ୫ ହଜାର ଗ୍ୟାଙ୍ଗ ମଗାଗଲା

ମିଳୁନାହାନ୍ତି କୁଶଳୀ ଶ୍ରମିକ, ସେଲ୍‌ରୁ ଆସିବ ୬୦ ହଜାର ବିଦ୍ୟୁତ୍‌ ଖୁଣ୍ଟି

ଭୁବନେଶ୍ବର: ବାତ୍ୟା ଫନିର ତିନିଦିନ ପରେ ପୁରୀ, ଭୁବନେଶ୍ବର ଅନ୍ଧକାରମୟ। ଏହା ଲୋକଙ୍କ ଦୁଃଖ ଦୁର୍ଦଶା ବଢ଼ାଇ ଦେଇଛି। ବାତ୍ୟାକାଳୀନ ବିପର୍ଯ୍ୟୟ ତୁଳନାରେ ପରବର୍ତୀ ବିପର୍ଯ୍ୟୟ ବଳି ପଡ଼ିଛି। ବିଜୁଳି ସଙ୍କଟ ଲାଗି ରହିବା ପଛରେ ପ୍ରମୁଖ କାରଣ ସାଜିଛି ରାଜ୍ୟରେ କୁଶଳୀ ଶ୍ରମିକଙ୍କ ଅଭାବ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଜୁଳି ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଆଣିବା ପାଇଁ ଆବଶ୍ୟକ ୧୦ ହଜାର କୁଶଳୀ ଶ୍ରମିକ। କିନ୍ତୁ ବର୍ତମାନ ସୁଦ୍ଧା ଉପଲବ୍ଧ ହୋଇଛନ୍ତି ୪ ହଜାର। ମାଛ, ଅଣ୍ଡା ଭଳି ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭରଶୀଳ ହେଉଛି ଓଡ଼ିଶା। ସେଠାରୁ କୁଶଳୀ ଶ୍ରମିକ ବା ଗ୍ୟାଙ୍ଗ ଆସିଲେ ବିଜୁଳି ସଙ୍କଟ ଖୁବଶୀଘ୍ର ଦୂର ହେବ େବାଲି ଶକ୍ତି ବିଭାଗ ଆଶା ରଖିଛି।

ଆଜି କେନ୍ଦ୍ର କ୍ୟାବିନେଟ୍‌ ସଚିବ ପ୍ରଦୀପ କୁମାର ସିହ୍ନାଙ୍କ ସହିତ ଭିଡିଓ ଯୋଗାଯୋଗ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବାତ୍ୟା ପରବର୍ତୀ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ପରେ ଗଣମାଧ୍ୟମରେ ସେ କଥା ବୟାନ କଲା‌ ବେଳେ ବିଜୁଳି ସଙ୍କଟ ପାଇଁ କୁଶଳୀ ଶ୍ରମିକଙ୍କ ସଙ୍କଟ ବଡ଼ ସମସ୍ୟା ବୋଲି ପ୍ରତୀୟମାନ ହୋଇଥିଲା। ଏହି ସଙ୍କଟ ଦୂର କରିବା ପାଇଁ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନାରୁ କୁଶଳୀ ଶ୍ରମିକ ବା ଗ୍ୟାଙ୍ଗ ଆଣିବା ପାଇଁ ସେ କ୍ୟାବିନେଟ୍‌ ସଚିବଙ୍କ ସହଯୋଗ ଲୋଡ଼ିଥିଲେ। ଟ୍ରେନ ଯାତ୍ରା ସ୍ବାଭାବିକ ହୋଇଥିବାରୁ ସେମାନେ କିପରି ଯଥାଶୀଘ୍ର ପ୍ରଭାବିତ ଅଞ୍ଚଳରେ ପହଞ୍ଚିପାରିବେ ସେ ନେଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଚାହିଁଥିଲେ। କେବଳ ସେତିକି ନୁହେଁ, ସେହି ଶ୍ରମିକମାନଙ୍କ ପାଇଁ ଟ୍ରେନ୍‌ ଯାତ୍ରା ଦେୟମୁକ୍ତ କରିବାକୁ ଅନୁରୋଧ କରିଥିଲେ ଶ୍ରୀ ପାଢ଼ୀ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ୧ ଲକ୍ଷ ୫୬ ହଜାର ନୂଆ ବିଦ୍ୟୁତ୍‌ ଖୁଣ୍ଟି ଲାଗିବ। ନଷ୍ଟ ହୋଇଥିବା ଗ୍ରୀଡ୍‌ ଓ ଉଚ୍ଚ କ୍ଷମତା ସଂପନ୍ନ ଟ୍ରାନ୍ସଫର୍ମର ପୁନଃସ୍ଥାପନ କରାଯିବ। ଏସବୁ କାର୍ଯ୍ୟ ପାଇଁ ସମୟ ଲାଗିବ। ଏଣୁ ବିଜୁଳି ପୁନରୁଦ୍ଧାର କେବେ ହେବ ସେ କଥା ନିର୍ଦିଷ୍ଟ ଭାବେ କହିହେବ ନାହିଁ ବୋଲି ମୁଖ୍ୟ ସଚିବ କହିଥିଲେ। ତେବେ ପାନୀୟଜଳ ସମସ୍ୟା ଅନେକାଂଶରେ ଦୂର ହୋଇଥିବା ସେ ସୂଚନା ଦେଇଥିଲେ।

ମୋବାଇଲ୍‌ ଫୋନ୍‌ ଓ ଡାଟା ଯୋଗାଯୋଗ ଅଚଳ ଅନ୍ୟ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଫଳରେ ରିଲିଫ ଓ ପୁନରୁଦ୍ଧାର ପରିଚାଳନାରେ ଅସୁବିଧା ଦେଖାଦେଇଛି। ତେଣୁ ଏହି ସଂଯୋଗର ପୁନରୁଦ୍ଧାର କରିବାକୁ ସଂପୃକ୍ତ କମ୍ପାନି ଓ ନିଗମମାନଙ୍କୁ ନିର୍ଦେଶ ଦେବାକୁ ମୁଖ୍ୟ ସଚିବ କ୍ୟାବିନେଟ୍‌ ସଚିବଙ୍କୁ ଅନୁରୋଧ କରିଥିଲେ। ମୋବାଇଲ୍‌ କମ୍ପାନିମାନେ ସେମାନଙ୍କର ମାଷ୍ଟର ସେଣ୍ଟରକୁ ଜେନେରେଟର ସାହାଯ୍ୟରେ ଚଳାଇବା ସହିତ ଅଧିକ ଟ୍ରକ୍‌ ଉପ‌ର ଟାୱାର ଓଡ଼ିଶାକୁ ପଠାଇବା ପାଇଁ ସେ ଦାବି କରିଥିଲେ। ପୂର୍ବରୁ ଆଜ୍‌ବେଷ୍ଟସ୍‌ ଘର ଥିବା ପରିବାରମାନଙ୍କୁ ଏସ୍‌ଇସିସି ତାଲିକାରେ ସାମିଲ କରାଯାଇନଥିଲା। ଫନି ବାତ୍ୟା ଯୋଗୁଁ ସେମାନେ ବାସହୀନ ହୋଇପଡ଼ିଥିବାରୁ ସେମାନଙ୍କୁ ଗ୍ରାମୀଣ ଗୃହ ଯୋଗାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସେ ପ୍ରସ୍ତାବ ଦେଇଥି‌େଲ। ଇଣ୍ଟରନେଟ୍‌ ସେବା ଉପଲବ୍ଧ ନ ଥିବାରୁ ଅନ୍‌ଲାଇନ୍‌ରେ ଆଡ୍‌ଭାନ୍ସଡ୍‌ ଜେଇଇ ପାଇଁ ଦରଖାସ୍ତ କରିହେଉ ନାହିଁ। ବିଶେଷ କରି ଆଇଆଇଟି, ଭୁବନେଶ୍ବରରେ ଦରଖାସ୍ତ ପାଇଁ ପରୀକ୍ଷାର୍ଥୀମାନେ ସିଧାସଳଖ ସେହି ପ୍ରତିଷ୍ଠାନକୁ ଆସି ଆବେଦନ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର