ଓଡ଼ିଶାର ବିକାଶ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶାର ବିକାଶ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ସାମଗ୍ରିକ ସୂଚକାଙ୍କରେ ରାଜ୍ୟ ୧୪ ନମ୍ବର ରହିଛି। ଏଭଳି ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ କମିଟି। ଆଜି ପିସିସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଏଭଳି ଅଭିଯୋଗ କରି କହିଥିଲେ, ରାଜ୍ୟ ସରକାର ଅନେକ କ୍ଷେତ୍ରରେ ସଫଳତାକୁ ନେଇ ପୁରସ୍କାର ପାଉଥିଲେ ବି ସାରା ଭାରତବର୍ଷରେ ଓଡ଼ିଶା ପଛରେ ରହିଛି। ଶିକ୍ଷା ଓ ମାନବ ସମ୍ବଳ ବିକାଶରେ ରାଜ୍ୟ ୧୨ ନମ୍ବରରେ ଥିବା ବେଳେ ଉତ୍ତର ପୂର୍ବାଞ୍ଚଳ ପାହାଡ଼ିଆ ରାଜ୍ୟ ତୁଳନାରେ ଓଡ଼ିଶା ୧୪ ନମ୍ବର। ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। ସ୍ବାସ୍ଥ୍ୟକ୍ଷେତ୍ରରେ ରାଜ୍ୟ ୧୬ ନମ୍ବରରେ ଥିବା ବେଳେ ପାହାଡ଼ିଆ ରାଜ୍ୟ ତୁଳନାରେ ଓଡ଼ିଶା ୨୫ ନମ୍ବର। ସାଧାରଣ ଭିତ୍ତିଭୂମିରେ ରାଜ୍ୟ ୧୮ ନମ୍ବରରେ ଥିବା ବେଳ‌େ ପାହାଡ଼ିଆ ରାଜ୍ୟ ତୁଳନାରେ ୨୭ ନମ୍ବର। ବିଭିନ୍ନ ଯୋଜନା ପାଇଁ ସରକାର ହଜାର ହଜାର କୋଟି ଖର୍ଚ୍ଚ କରୁଛନ୍ତି। ଅଥଚ ଏହାର ସୁଫଳ ରାଜ୍ୟବାସୀଙ୍କୁ କାହିଁକି ମିଳୁନାହିଁ ବୋଲି ଶ୍ରୀ ନାୟକ ପ୍ରଶ୍ନ ଉଠାଇଥିଲେ।

ସେ ଦର୍ଶାଇଥିଲେ, କୃଷି ‌କ୍ଷେତ୍ରରେ ରାଜ୍ୟର ସ୍ଥିତି ଉଦ୍‌ବେଗଜନକ। ୧୪ ନମ୍ବର ସ୍ଥାନରେ ଓଡ଼ିଶା ରହିଥିବା ବେଳେ ହଜାର ହଜାର କୃଷକ ଆତ୍ମହତ୍ୟା କରୁଛନ୍ତି। ଆଳୁ ମିସନ ଫେଲ, ମଣ୍ଡିରେ ଧାନ ଗଦା ହୋଇ ପଡ଼ିରହିଛି। ସାମଗ୍ରିକ ସୂଚକାଙ୍କରେ ରାଜ୍ୟ ୧୪ ନମ୍ବରରେ ରହିଛି। ଯଦି ସରକାର କୋଟି କୋଟି ଖର୍ଚ୍ଚ କରୁଛନ୍ତି, ପୁରସ୍କାର ପାଉଛନ୍ତି, ସମ୍ବର୍ଦ୍ଧିତ ହେଉଛନ୍ତି ତେବେ ଏଭଳି ସ୍ଥିତି କାହିଁକିର ଉତ୍ତର ରଖନ୍ତୁ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରଜନୀ ମହାନ୍ତି, ପଦ୍ମାକର ଗୁରୁ, ନିଶିକାନ୍ତ ମିଶ୍ର, ନରେଶ ମହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର