ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବ ରାଜ୍ୟ ବିକାଶ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ। ଚନ୍ଦ୍ରଶେଖରପୁରସ୍ଥିତ ରେଲ ସଭାଗୃହରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ନିତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ୮ଶହରୁ ଅଧିକ ପ୍ରତିନିଧି ଏଥିରେ ଯୋଗଦେବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପ୍ରେସ୍ କ୍ଲବ୍ ଅଫ ଓଡ଼ିଶା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସୂଚନା କମିସନର୍ ଜଗଦାନନ୍ଦ କହିଲେ, ଓଡ଼ିଶାର ବିକାଶର ଢାଞ୍ଚା ଓ ଏଥିରେ ଥିବା ସମସ୍ୟାକୁ ବୁଝିବା, ତୃଣମୂଳସ୍ତରରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ସଫଳ ରୂପାୟନକୁ ନିଶ୍ଚିତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏହି ସମ୍ମିଳନୀରେ ସାମାଜିକ ସଂଗଠନ, ଗୋଷ୍ଠୀସ୍ତରୀୟ ସଂଗଠନ, ସରକାରୀ ଅଧିକାରୀ, ଶିକ୍ଷାନୁଷ୍ଠାନ ଓ କର୍ପୋରେଟ ସଂସ୍ଥା ଏକାଠି ହୋଇ ରାଜ୍ୟର ବିକାଶ ଦିଗରେ ତର୍ଜମା କରିବେ। ରାଜ୍ୟ ଜନଜାତି ସଶକ୍ତୀକରଣ ଓ ବିକାଶ, ବୃଷ୍ଟିପୃଷ୍ଟ କୃଷି, ନିଯୁକ୍ତି ଓ ସ୍ଥାନାନ୍ତର, ଦକ୍ଷତା ଓ ସ୍ୱାବଲମ୍ବୀ ବିକାଶ, ଖାଦ୍ୟ ଓ ପୁଷ୍ଟି ନିରାପତ୍ତା, ସ୍ୱାସ୍ଥ୍ୟ, ଜଳ ପରିମଳ ଓ ପରିଚ୍ଛନ୍ନତା, ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତନ ଭଳି ୧୯ଟି ପ୍ରସଙ୍ଗରେ ଆଲୋଚନା ହେବ। ରାଜ୍ୟର ତୃଣମୂଳସ୍ତରରେ ବିକାଶମୂଳକ କାର୍ଯ୍ୟରେ ଉଦାହରଣ ସୃଷ୍ଟି କରିଥିବା ଅନେକ ସଫଳ କାହାଣୀ ସମ୍ବଳିତ ଏକ ପୁସ୍ତିକା ସମ୍ମିଳନୀରେ ଲୋକାର୍ପଣ କରାଯିବ ବୋଲି ଶ୍ରୀ ଜଗଦାନନ୍ଦ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସୁଦର୍ଶନ ଦାସ, ବିକାଶ ପତି, ଭାରତୀ ଚକ୍ର, ଅସୀମା ଚୌଧୁରୀ, ସୁଦତ୍ତା ଖୁଣ୍ଟିଆ, ପ୍ରମିଳା ସ୍ୱାଇଁ ଓ ସନ୍ଦୀପ ପଟ୍ଟନାୟକ ଉପସ୍ଥିତ ଥିଲେ।