ପୁଲିସ ଡିଜିଙ୍କ ଦ୍ବାରା ଭୋଟ ଗଣତି ସୁରକ୍ଷା ସମୀକ୍ଷା : ନିୟୋଜିତ ହେବେ ୮୧ କଂପାନି ସିଏପିଏଫ୍, ୧୭୨ ପ୍ଲାଟୁନ ଏସ୍ଏପି

କଟକ : ମେ’ ୨୩ ତାରିଖ ଭୋଟ ଗଣତି ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ରାଜ୍ୟର ୨୧ଟି ଲୋକସଭା ଏବଂ ୧୪୬ଟି ବିଧାନସଭା ଆସନ ପାଇଁ ୬୨ଟି ସ୍ଥାନରେ ଭୋଟ ଗଣତି ହେବାକୁ ଯାଉଥିବା ବେଳେ ଏଥିପାଇଁ ୮୧ କଂପାନି ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ (ସିଏପିଏଫ୍) ଏବଂ ୧୭୨ ପ୍ଲାଟୁନ ଷ୍ଟେଟ ଆର୍ମଡ ପୁଲିସ (ଏସଏପି) ମୁତୟନ ବ୍ୟବସ୍ଥା କରାଯାଇଛି। ନିର୍ବାଚନ କମିସନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୋଟ ଗଣତି କେନ୍ଦ୍ର ନିକଟରେ ପୁଲିସ ନିୟନ୍ତ୍ରଣ କକ୍ଷ ଖୋଲା ଯିବା ସହ ଭିଏଚଏଫ୍ ଏବଂ ପିଏ ବ୍ୟବସ୍ଥା କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଭୋଟ ଗ୍ରହଣ କେନ୍ଦ୍ରରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ଏବଂ ପିଇବା ପାଣି ସୁବିଧା କରିବାକୁ ମଧ୍ୟ ଅଧିକାରୀ ମାନଙ୍କୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟା‌ରିକେଡିଂ ବ୍ୟବସ୍ଥା, ସମ୍ବେଦନଶୀଳ କେନ୍ଦ୍ରରେ ପର୍ଯ୍ୟାପ୍ତ ପୁଲିସ ମୁତୟନ, ଟ୍ରାଫିକ ନିୟନ୍ତ୍ରଣ, ସିସିଟିଭି କ୍ୟାମେରା ଲଗାଯିବା, ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା, ଫଳାଫଳ ଘୋଷଣା ଏବଂ ବିଜୟ ଉତ୍ସବ ସମୟରେ ପୁଲିସର ସତର୍କତା, ଇଭିଏମର ସୁରକ୍ଷା, ଗଣତି କେନ୍ଦ୍ରରେ ମେଟାଲ ଡିଟେକ୍ଟର ବ୍ୟବସ୍ଥା, କେନ୍ଦ୍ରରେ ମୋବାଇଲ ଫୋନ ଉପରେ କଟକଣା, ଫଳାଫଳ ପ୍ରକାଶ ପରେ କୌଣସି ପ୍ରକାର ହିଂସାକାଣ୍ଡ ଉପରେ ସତର୍କ ନଜର, ନକ୍ସଲ ପ୍ରଭାବିତ ଅଞ୍ଚଳରେ ଏସଓଜି ମୁତୟନ ଏବଂ ଗଣତିର ଭିଡିଓ ରେକର୍ଡିଂ ବ୍ୟବସ୍ଥାକୁ ଠିକରେ କାର୍ଯ୍ୟକାରୀ କରିବାକୁ ଡିଜି ଶ୍ରୀ ଶର୍ମା ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଏଡିଜି ଅପରେସନ, ଏଡିଜି ମଡର୍ଣ୍ଣାଇଜେସନ, ଏଡିଜି ଲ’ ଆଣ୍ଡ ଅର୍ଡର, ଆଇଜି ପର୍ସନେଲ ଏବଂ ଆଇଜି ହେଡକ୍ବାର୍ଟରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁଲିସ କମିସନର, ବିଭିନ୍ନ ରେଞ୍ଜର ଆଇଜି, ଡିଆଇଜି, ଏସପି ଓ ଡିସିପି ମାନଙ୍କ ସହିତ ଡିଜି ଶ୍ରୀ ଶର୍ମା ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର