ଗୌରହରି ଦାସ

Advertisment

୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୩୫ ବର୍ଷ ବା ତହିଁରୁ କମ୍‌ ବୟସର ଲେଖକଲେଖିକାଙ୍କ ପାଇଁ ଯୁବ ପୁରସ୍କାର ପ୍ରଚଳନ ପ୍ରସ୍ତାବ ଉଠିବାବେଳେ ଏକାଡେମୀ ସାଧାରଣ ପରିଷଦର ଅନେକ ସଭ୍ୟ ନାସିକା କୁଞ୍ଚନ କରି ଏହି ବୟସସୀମାକୁ ଅନ୍ତତଃ ୪୦ ବର୍ଷକୁ ବଢ଼େଇବାଲାଗି ଦାବି କରିଥିଲେ। ମାତ୍ର ତତ୍‌କାଳୀନ ସଭାପତି ଶ୍ରୀ ସୁନୀଲ ଗଙ୍ଗୋପାଧ୍ୟାୟ ଏଥିରେ ରାଜି ହୋଇ ନ ଥିଲେ। ସେ ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ ଯେ ୩୫ ବର୍ଷ ବୟସ ଭିତରେ ପୃଥିବୀର ବହୁ ଲୋକ ବହୁ ବଡ଼ ବଡ଼ କାମ କରିଯାଇଛନ୍ତି। ଗ୍ରୀକ୍‌ ବୀର ଆଲେକଜାଣ୍ଡାର ୩୦ ବର୍ଷ ବେଳକୁ ବିଶ୍ବବିଜୟୀ ଆଖ୍ୟା ପାଇସାରିଥିଲେ, ମାର୍ଟିନ୍‌ ଲୁଥର କିଙ୍ଗ (ଜୁନିଅର) ତାଙ୍କର ବିଖ୍ୟାତ ଭାଷଣ ‘ମୋର ବି ଗୋଟେ ସ୍ବପ୍ନ ଅଛି’ (ଆଇ ହାଭ ଏ ଡ୍ରିମ୍‌) ଜରିଆରେ ଆମେରିକାରେ ଆଲୋଡ଼ନ ସୃଷ୍ଟି କଲାବେଳକୁ ୩୪ ବର୍ଷ ବୟସର ଥିଲେ ଏବଂ ୩୫ ବର୍ଷ ବୟସରେ ସେ ନୋବେଲ ପୁରସ୍କାର ପାଇଥିଲେ। ବିବେକାନନ୍ଦ ୩୯ ବର୍ଷ ବଞ୍ଚିଥିଲେ ଏବଂ ଚିକାଗୋ ଧର୍ମସଭାରେ ଭାଷଣ ଦେଇ ସଭିଙ୍କୁ ଚମତ୍କୃତ କଲାବେଳକୁ ତାଙ୍କୁ ମାତ୍ର ୩୧ ବର୍ଷ ବୟସ ହୋଇଥିଲା। ଅଦ୍ବୈତ ଦର୍ଶନର ପ୍ରତିଷ୍ଠାତା ଆଦି ଶଙ୍କରାଚାର୍ଯ୍ୟ ଏ ପୃଥିବୀରେ କମ୍‌ ବର୍ଷ ବଞ୍ଚିଥିଲେ; ତାଆରି ଭିତରେ ସେ ସମଗ୍ର ଭାରତକୁ ଚାରିଥର ପ୍ରଦକ୍ଷିଣ କରିବା ସହ ବ୍ରହ୍ମସୂତ୍ରର ଭାଷ୍ୟ ରଚନା କରିଦେଇଯାଇଥିଲେ। ଶ୍ରୀ ଗଙ୍ଗୋପାଧ୍ୟାୟ ଆଉ କିଛି ଭାରତୀୟ ଉଦାହରଣ ସହ ଫରାସୀ କବି ରାମ୍ବୋ, ଇଂରେଜୀ କବି କିଟ୍‌ସ ଓ ଶେଲିଙ୍କର ଉଦାହରଣ ମଧ୍ୟ ଦେଇଥିଲେ।
ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ବରରେ ଅନୁଷ୍ଠିତ ହେଲା। ସବୁବର୍ଷ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ, ଜାନୁଆରି ୧୨ ତାରିଖରେ ଭାରତର ଭିନ୍ନ ଭିନ୍ନ ସହରରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ହୁଏ। ପରଦିନ ପୁରସ୍କୃତ ଯୁବ ଲେଖକଲେଖିକାମାନେ ତାଙ୍କ ସାରସ୍ବତ ଯାତ୍ରା ସମ୍ବନ୍ଧରେ ସଂକ୍ଷିପ୍ତ ଭାଷଣ ଦେଇଥାନ୍ତି। ଏଥର ପ୍ରାୟ ୨୨ ଜଣଙ୍କର ଭାଷଣ ଶୁଣିବାର ଅବକାଶ ଜୁଟିଥିଲା ଓ ସେସବୁ ଶୁଣିବାପରେ ଗଙ୍ଗୋପାଧ୍ୟାୟଙ୍କ ଯୁକ୍ତିର ଯାଥାର୍ଥ୍ୟ ବୁଝି ହୋଇଥିଲା।
ଅନ୍ତର୍ବୋଧ (ଇନ୍‌ଟ୍ୟୁସନ୍‌) ଓ ବିଜ୍ଞାନ ସହ ସୃଜନର ସମ୍ବନ୍ଧ ସଂପର୍କରେ ତାମିଲନାଡୁର ଯୁବ ଲେଖକ ଲୋକେଶ ରଘୁରାମନଙ୍କ ସଂକ୍ଷିପ୍ତ ବକ୍ତବ୍ୟ ଅର୍ଥପୂର୍ଣ୍ଣ ଥିଲା। ସେ ଏକ ଲୋକକଥାରୁ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ‘‘ଥରେ ଗୋଟେ ଅଞ୍ଚଳରେ ଅନାବୃଷ୍ଟି ଓ ମରୁଡ଼ି ପଡ଼ିଲା। ଲୋକେ ତ୍ରାହି ତ୍ରାହି ଡାକିଲେ। ବର୍ଷାକୁ ସଭିଙ୍କ ଅପେକ୍ଷା। ଏମିତି ସମୟରେ ଜଣେ ବୁଢ଼ାଲୋକଙ୍କୁ ସେ ଅଞ୍ଚଳରେ ଆସି ଚାରିଆଡ଼େ ଘୂରି ବୁଲିବାର ଦେଖାଗଲା ଯିଏ ଗୋଟେ ଛତା ମୁ‌େଣ୍ଡଇ ଚାଲୁଥିଲେ। ଲୋକମାନେ ଭାବିଲେ ଏ ବୁଢ଼ାଟି ମୂର୍ଖ। ବର୍ଷାର ନାମ-ଗନ୍ଧ ନାହିଁ ଅଥଚ ସେ ଛତା ମୁଣ୍ଡେଇ ଚାଲୁଛି! କିଛି ଲୋକ ତାଙ୍କୁ ପଚାରିଲେ, ‘ତୁମେ କୋଉଠୁ ଆସିଲ? ଏଠି ତ ବୁନ୍ଦାଏ ବର୍ଷା ନାହିଁ। ତୁମେ ଛତା ମୁଣ୍ଡେଇ ଚାଲୁଛ କାହିଁକି?’ ଲୋକ ଜଣକ କିଛି ଉତ୍ତର ନ ଦେଇ ତାଙ୍କ ରାସ୍ତାରେ ଚାଲିଗଲେ। ମାତ୍ର ପରଦିନ ସେହି ଅନାବୃଷ୍ଟି ଅଞ୍ଚଳରେ ପ୍ରବଳ ବର୍ଷା ବର୍ଷିଲା।’ ଲୋକେଶ ଏକଥା କହିସାରି ଯୋଡ଼ିଥିଲେ, ଏହି କଥାକୁ ଆମେ ଅବିଶ୍ବାସ୍ୟ କଥାଟେ ବୋଲି ଭାବିବା, ମାତ୍ର ବିଜ୍ଞାନ ଦୃଷ୍ଟିରୁ ଆମେ ଯଦି ଆମାଜନ୍‌ ଅରଣ୍ୟ କଥା ଭାବିବା ତାହାହେଲେ ଏହି ବୁଢ଼ାଲୋକର ଅନ୍ତର୍ବୋଧ ସହ ବିଜ୍ଞାନର ସମ୍ବନ୍ଧ ଦେଖିବା। ଆମାଜନ୍‌ ଅରଣ୍ୟରେ ନାନାପ୍ରକାର ଛତୁ ବଢ଼େ। ତା’ ଭିତରୁ ଗୋଟାଏ ପ୍ରକାର ଛତୁ ବଢ଼ି ଠିକ୍‌ ଛତା ପରି ଦିଶେ। ଯେତେବେଳେ ସାରା ଅରଣ୍ୟ ସେଇ ଛତା-ଛତୁରେ ଭରିଯାଏ ସେତେବେଳେ ବର୍ଷା ହୁଏ। ଏହାର କାରଣ ଏହି ଛତୁଗୁଡ଼ିକରୁ ପଟାସିୟମ୍‌ ନିର୍ଗତ ହୋଇ ବର୍ଷା କରାଇଥାଏ। ‌ଛତା ଯୋଗୁଁ ବର୍ଷା ଆସିବା କଥାଟା ଅବିଶ୍ବାସ୍ୟ ଲୋକକଥା ହୋଇଥିବାବେଳେ ଛତୁ ଯୋଗୁଁ ବର୍ଷା ହେବା ବିଜ୍ଞାନ ଆଧାରିତ ବାସ୍ତବତା। ସୁତରାଂ ସାହିତ୍ୟରେ ଅନ୍ତର୍ବୋଧ ଓ ବିଜ୍ଞାନ ହାତ ଧରାଧରି ହୋଇ ଚାଲିବାର ବିବରଣୀ ଅସମ୍ଭବ ନୁହେଁ। ସେହି ୩୪ ବର୍ଷୀୟ ତାମିଲ ଯୁବକ ଜଣକ ପ୍ରାଚୀନ ପୁରାଣରୁ ଗୋଟିଏ କବିତାର ଧାଡ଼ି ଉଦ୍ଧାର କରି କହିଥିଲେ, ‘‘ପୃଥିବୀରେ ମାତ୍ର ଦୁଇଟି ଜିନିଷ ଅନ୍ଧାର ଦୂର କରିଥାଏ। ପ୍ରଥମଟି ହେଉଛି ସୂର୍ଯ୍ୟ - ଯାହା ବାହାରର ଅନ୍ଧାର ଦୂର କରିଥାଏ ଏବଂ ଦ୍ବିତୀୟଟି ହେଉଛି ମାତୃଭାଷା - ଯାହା ଆମ ଭିତରର ଅନ୍ଧାରକୁ ଦୂର କରିଥାଏ।’’
ଏହି ଯୁବଲେଖକଙ୍କର ଦୃଷ୍ଟିଭଙ୍ଗୀ ଶ୍ରୋତାମାନଙ୍କୁ ଆନ୍ଦୋଳିତ କରିଥିବାବେଳେ ତେଲୁଗୁ ଯୁବଲେଖକ ରମେଶ କାର୍ତ୍ତିକ ନାୟକଙ୍କର ସଂଘର୍ଷର କଥା ଅଧିକାଂଶଙ୍କୁ ମୁଗ୍ଧ କରିଥିଲା। ବନ୍‌ଜାରା ବା ଯାଯାବର ସଂପ୍ରଦାୟର ଏହି ଯୁବକ ଜଣକ ପିଲାଦିନୁ ନିଜ ଘରେ ପାରିବାରିକ ଅଶାନ୍ତି ଦେଖି ଦେଖି ବଢ଼ିଛନ୍ତି। ବାହାର ଲୋକ ତାଙ୍କ ସଂପ୍ରଦାୟର ଲୋକଙ୍କୁ ପୁଣି ଅପରାଧୀ ବୋଲି ଗଣନ୍ତି। ଘରର ଦୁଃସ୍ଥିତି ଯୋଗୁଁ ସେ ଥରେ ଘରୁ ପଳେଇ ଯାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ, ମାତ୍ର ସଂପର୍କୀୟ ଜଣେ ମହିଳା ଠିକଣା ସମୟରେ ପହଞ୍ଚି ତାଙ୍କୁ ବଞ୍ଚେଇଦେଲେ। ଏହାପରେ ସେ ଜେରକ୍ସ ଦୋକାନ ଓ ତା’ପରେ ଜଣେ ଏୟାରକଣ୍ଡିସନର ମେକାନିକ୍‌ର ହେଲ୍‌ପର ଭାବେ କାମ କରି ଗୁଜୁରାଣ ମେଣ୍ଟାଇଥିଲେ। ଅଖ୍ୟାତ ଦୁର୍ଗମ ଜାଗରଣପଲ୍ଲୀ ଥଣ୍ଡା ଗାଁରେ ଜନ୍ମ ହୋଇଥିବା ଏଇ ଲେଖକ କହିଥିଲେ, ସାହିତ୍ୟ ଏକାଡେମୀର ଏହି ପୁରସ୍କାର କେବଳ ତାଙ୍କୁ ନୁହେଁ, ଗରବୋଲି ଭାଷା କହୁଥିବା ତାଙ୍କ ଅଞ୍ଚଳର ଅନେକଙ୍କୁ ବଡ଼ ସ୍ବପ୍ନ ଦେଖିବାଲାଗି ଉତ୍ସାହ ଦେଇଛି। ଏଥର ପୁରସ୍କୃତ ଲେଖକଲେଖିକାଙ୍କ ଭିତରୁ ୩ ଜଣ ଆସାମରୁ ଆସିଥିଲେ। ଅହମିୟା ଓ ବୋଡ଼ୋ ଭାଷାର ଲେଖକ ତ ଆସାମରୁ ଆସିବା କଥା, ମାତ୍ର ବଙ୍ଗଳା ଭାଷାର ପୁରସ୍କୃତ ଲେଖିକା ସୁତପା ଚକ୍ରବର୍ତ୍ତୀଙ୍କ ଜନ୍ମ ମଧ୍ୟ ଆସାମରେ। ଆସାମର ବଙ୍ଗାଳୀ ଲେଖକମାନଙ୍କ ମଧ୍ୟରେ ଏକାଡେମୀ ପୁରସ୍କାର ପାଇବା କ୍ଷେତ୍ରରେ ସେ ହେଲେ ପ୍ରଥମ ଲେଖିକା। ସେ ତାଙ୍କ ବକ୍ତବ୍ୟରେ କହିଥିଲେ, ‘‘ବଙ୍ଗଳା ମୋର ମାତୃଭାଷା‌; ମାତ୍ର ମୋତେ ଉଡ଼ିବାଲାଗି ଆକାଶଟିଏ ଦେଇଛି ଆସାମ।’’
ଗୁଜୁରାଟୀ ଭାଷାର ଯୁବଲେଖିକା ରିଙ୍କୁ ରାଠୋଡ଼ଙ୍କ ସଂକ୍ଷିପ୍ତ ବକ୍ତବ୍ୟ ଥିଲା ଖୁବ୍‌ ରୋମାଞ୍ଚକର। ନଦୀନାଳଘେରା ଓଡ଼ିଶା ମାଟିରେ ଭାଷଣ ଦେଉଥିବା ରିଙ୍କୁଙ୍କର ପ୍ରଥମ ବାକ୍ୟ ଥିଲା ‘‘ସମୁଦ୍ରକୁ ଛାଡ଼ି ମରୁଭୂମି ଦିଗରେ ବୋହୁଥିବା ଗୋଟେ ନଈର ନାଆଁ ରିଙ୍କୁ ରାଠୋଡ଼’’। ଗୁଜରାଟର ତାଙ୍କ ଗାଁ ନବାଗାମ ସବୁଠୁ ପଛୁଆ ଅଞ୍ଚଳ। ସେଠି ସୂର୍ଯ୍ୟାଲୋକ ସିନା ଆଗେ ପଡ଼େ, ମାତ୍ର ଶିକ୍ଷାର ଆଲୋକ ପଡ଼ିଛି ଖୁବ୍‌ ବିଳମ୍ବରେ। ଗୋଟେ ଝାଟିମାଟି ଘରେ ତାଙ୍କର ଜନ୍ମ, ଗାଈ ମଇଁଷିଙ୍କ ମେଳରେ ମୁଣ୍ଡ ଉପରେ ଗୋବର ଟୋକେଇ ଧରି ଗାଈ ଚରଉ ଚରଉ ସେ ଅନେକ କ୍ଷେତ ବୁଲିଛନ୍ତି। ସେ କହିଥିଲେ, ‘ବଞ୍ଚିବା ପାଇଁ ଯଦି ମୋତେ ସଂଘର୍ଷ କରିବାକୁ ପଡ଼ି ନ ଥାନ୍ତା ତାହାହେଲେ ମୁଁ କବିତା ପାଖରେ ପହଞ୍ଚି ପାରି ନ ଥାନ୍ତି।’ ନିରକ୍ଷରତା ସହ ଅଭ୍ୟସ୍ତ ତାଙ୍କ ପରିବାର ଲୋକ ରିଙ୍କୁ ପରି ଗୋଟେ ଝିଅକୁ ପାଠ ପଢ଼ାଇବାକୁ ଆଦୌ ଚାହୁ ନ ଥିଲେ। ମାତ୍ର ବିଧିର ନିର୍ଦ୍ଦେଶ ଭିନ୍ନ ଥିଲା। ରିଙ୍କୁ ଗଜଲ ଲେଖନ୍ତି। ସେ ତାଙ୍କ ଗଜଲରୁ ଯେଉଁ କେତୋଟି ଧାଡ଼ି ଆବୃତ୍ତି ‌କରିଥିଲେ, ତାହା ହେଲା- ‘ଜିନ୍ଦଗୀ କୁଛ ଇସ୍‌ ତରହ ବହତୀ ରହୀ/କି ନଦୀ କେ ଭାଗ୍ୟ ମେଁ ସିର୍‌ଫ ରେତ୍‌ (ବାଲି) ହୀ ରହୀ/ ଜମୀଁ ସେ ଉପର୍‌ ଉଠ୍‌ ନା ସକେ/ ହମାରା ସାହାରା ବସ୍‌ କ୍ଷେତ୍‌ ହୀ ରହି।’ ସରକାରୀ ଚାକିରି ଯୋଗୁଁ ଏବେ ସହରରେ ରହୁଥିବା ରିଙ୍କୁ ବ୍ୟଙ୍ଗ କରି କହିଥିଲେ, ‘ଆଗେ ଖଣ୍ଡିଆଖାବରା ହେଉଥିଲେ ଗାଁର ମାଟି ଲଗେଇଦେଲେ ଘା ଭଲ ହେଇଯାଉଥିଲା। ଆଜି ସହରର ମହଙ୍ଗା ମଲମ ସୁଦ୍ଧା ଘା ଶୁଖେଇପାରୁ ନାହିଁ।’ ରିଙ୍କୁଙ୍କର ଶେଷ ବାକ୍ୟଟି ମନ ଭିତରେ ଗାର ଟାଣିଦେଇଥିଲା। ସେ କହି‌ଥିଲେ, ‘ମୁଁ ଏମିତି ଏକ ନଈ ଯିଏ ଜାଣେନା ସମୁଦ୍ର ସାଙ୍ଗେ ଭେଟ ହେବ କି ନାହିଁ। ହୁଏତ ମଝି ବାଟରେ ମୁଁ ହଜିଯାଇପାରେ। ଏହାସତ୍ତ୍ବେ ମୋର ଶବ୍ଦ କିଛି ଅବଶେଷ ଭାବେ ରହିଯିବ।’
ଇଂରେଜୀ ଭାଷାରେ ପୁରସ୍କୃତ କେ. ବୈଶାଳୀଙ୍କର ଜୀବନ କାହାଣୀ ବାସ୍ତବରେ ଖୁବ୍‌ ମର୍ମସ୍ପର୍ଶୀ। ସମକାମୀ ବୈଶାଳୀଙ୍କୁ ମଦ୍ୟପ ବାପା ସବୁବେଳେ ଗାଳିମାଡ଼ କରୁଥିଲେ। ପିଲାଦିନୁ ଲେଖିବା ଓ ପଢ଼ିବା ନେଇ ତାଙ୍କର ସମସ୍ୟା ଥିଲା। କାରଣ ସେ ଉଭୟ ‘ଡିସ୍‌ଲେକ୍ସିଆ’ ଓ ‘ଡିସ୍‌ଗ୍ରାଫିଆ’ ରୋଗର ଶିକାର। ନିଜକୁ ଖୋଲାଖୋଲି ସମକାମୀ ଘୋଷଣା କରୁଥିବା ବୈଶାଳୀ ଏକାଡେମୀ ପୁରସ୍କାର ପାଇବା କ୍ଷେତ୍ରରେ ପ୍ରଥମ ‘ଏଲ୍‌ଜିବିଟି’ ଲେଖିକା। କୋଙ୍କଣୀ ଭାଷାରେ ପୁରସ୍କୃତ ଲେଖକ ଅଦ୍ବୈତ ସାଲଗାଓଁକରଙ୍କର ଭାଷା ଗୋଆର ଆଞ୍ଚଳିକ ଭାଷା ପେଦନୀ। ଏ ଭାଷାଭାଷୀଙ୍କୁ ଗୋଆର ମୁଖ୍ୟସ୍ରୋତର ଲୋକେ ଥଟ୍ଟା କରନ୍ତି, ଗାଳିଗୁଲଜ କରନ୍ତି। ଅଦ୍ବୈତ ପିଲାଦିନେ ଗାଈ ଚରାଉଥିଲେ। ସେହିଦିନୁ ଥଟ୍ଟାଟାପରା ସହ ଅଭ୍ୟସ୍ତ ଅଦ୍ବୈତ କହିଥିଲେ, ପ୍ରତିଟି ମଣିଷ ପରି ପ୍ର‌ତ୍ୟେକ ଭାଷାର ମଧ୍ୟ ଆତ୍ମସମ୍ମାନ ଅଛି। ତାକୁ ଭୂଲୁଣ୍ଠିତ କରିବାର ଅଧିକାର କାହାର ନାହିଁ। ସେ ମୁକ୍ତକଣ୍ଠରେ କହିଥିଲେ, ଏକାଡେମୀର ଏ ପୁରସ୍କାର ଉପରେ ଅଧିକାର ଲେଖକ ଅଦ୍ବୈତର ନୁହେଁ, ପିଲାଦିନର ଗାଈଚରାଳି ଅଦ୍ବୈତର।
ପଞ୍ଜାବର ଯୁବକବି ରଣଧୀର ସିଂହଙ୍କ ପରିବାରର କେହି ଆଗରୁ ପାଠ ପଢ଼ି ନ ଥିଲେ। ରଣଧୀର ବିଶ୍ବାସ କରନ୍ତି ‘ଜୀବନ କବିତା ନୁହେଁ ସତ; ମାତ୍ର କବିତା ବିନା ଜୀବନ ଜୀବନ ନୁହେଁ।’ ରାଜସ୍ଥାନୀ ଲେଖିକା ସୋନାଲି ସୁଥର ଈଶ୍ବରବିଶ୍ବାସୀ। ବହିପଢ଼ା ପାଠକୁ ନେଇ କବିତା ଲେଖାଯାଏ ନାହିଁ, ନିଜର ଅନୁଭବକୁ ନେଇ କବିତା ଲେଖାଯାଏ ବୋଲି ତାଙ୍କର ଦୃଢ଼ ମତ। ମରାଠୀ ଯୁବଲେଖକ ଦେବୀଦାସ ମହାଦେବ ବୃତ୍ତିରେ ଜଣେ ଦରଜି। ତାଙ୍କ ବାପା ବି ଦରଜି ଥିଲେ। ସେ ଏହି ବୃତ୍ତିରେ ଥିବା ମଣିଷମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ କେବଳ ନିକଟରୁ ଦେଖିନାହାନ୍ତି, ସେସବୁ ଅଙ୍ଗେ ନିଭେଇଛନ୍ତି। ସେହି ଅନୁଭୂତିକୁ ନେଇ ସେ ଲେଖିଛନ୍ତି ତାଙ୍କର ଉପନ୍ୟାସ - ‘ଉସବଣ’, ଯାହାର ଅର୍ଥ ସିଲେଇ ଖୋଲିଯିବା। ମୈଥିଳୀ ଲେଖିକା ରିଙ୍କି ଝା ତାଙ୍କ ବକ୍ତବ୍ୟର ପ୍ରଥମ ଧାଡ଼ି ମାଧ୍ୟମରେ ଅନ୍ୟମନସ୍କ ଶ୍ରୋତାଙ୍କୁ ସଚେତନ କରିଦେଇଥି‌େଲ। ‘‘ଆଜି ମୁଁ ଯୋଉ ମଞ୍ଚ ଉପରେ ଛିଡ଼ା ହୋଇଛି ତାହା ମୋ ପାଇଁ ଗୋଟେ ବଡ଼ ସ୍ବପ୍ନ। ଏ ସ୍ବପ୍ନ ପୂରଣ ପରେ ମୋର ସଭିଙ୍କୁ କହିବାକୁ ଇଚ୍ଛା ହେଉଛି- ସମସ୍ତେ ସ୍ବପ୍ନ ଦେଖିବା ଜରୁରି। ପିଲାଦିନୁ ନାରୀ ପ୍ରତି ସମାଜର ପାତରଅନ୍ତର ନୀତି ତାଙ୍କୁ କ୍ଷୁବ୍‌ଧ କରିଆସିଛି। ସେ କହନ୍ତି ମୁଁ କୌଣସି ବିପ୍ଳବୀ ନୁହେଁ କି ମୋ କବିତା ମାଧ୍ୟମରେ ସମାଜକୁ ବଦଳେଇ ଦେବାର ଆସ୍ଫାଳନ ମୁଁ କରୁନାହିଁ। ମାତ୍ର ମୋର ବିଶ୍ବାସ ଧୀରେ ଧୀରେ ମିଥିଳା ପରିବର୍ତ୍ତନକୁ ସ୍ବୀକାର କରିବ ଏବଂ ଦିନେ ସତକୁ ସତ ପରିବର୍ତ୍ତନ ଆସିବ। ଡୋଗ୍‌ରୀ ଭାଷାର ଲେଖିକା ହୀନା ଚୌଧୁରୀଙ୍କର ସରଳ ବକ୍ତବ୍ୟ ଅନେକଙ୍କୁ ସ୍ପର୍ଶ କରିଥିଲା। ଜାମ୍ମୁରେ ଜନ୍ମ ହୋଇଥିବା ହୀନା କହିଥିଲେ, ‘ମୋ ମାତୃଭାଷାର ସାମର୍ଥ୍ୟ ମୁଁ ଆଜି ଅନୁଭବ କରୁଛି। ରେଳଗାଡ଼ିରେ ବସିବା ମୋର ସ୍ବପ୍ନ ଥିଲା, ମୋର ସାହିତ୍ୟ ମୋତେ ଉଡ଼ାଜାହାଜରେ ଏଠିକି ନେଇଆସିଛି। ଅହମିୟା ଲେଖିକା ନବଜ୍ୟୋତି ଶର୍ମାଙ୍କର ଗୋଟିଏ ବାକ୍ୟ ତାଙ୍କ ଚିନ୍ତାଧାରାର ପରିଚୟ ଦେଇଥିଲା। ସେ କହିଥିଲେ, କେବଳ ଯେ ସମୟ ମଣିଷକୁ ବଦଳେଇ ଦିଏ ତାହା ନୁହେଁ, ମଣିଷ ପାଖେ ମଧ୍ୟ ସମୟକୁ ବଦଳେଇଦେବାର ସାମର୍ଥ୍ୟ ଅଛି। ଓଡ଼ିଆ ଭାଷାର ଲେଖକ ସଂଜୟ କୁମାର ପଣ୍ଡାଙ୍କ ଘର ଭଦ୍ରକ ଜିଲ୍ଲାର ରକ୍ତତୀର୍ଥ ଇରମ, ଯାହା ଦ୍ବିତୀୟ ଜାଲିଆନଵାଲାବାଗ ଭାବେ ପରିଚିତ। ପିଲାଦିନୁ ଇରମର ରକ୍ତାକ୍ତ ଇତିହାସ ଶୁଣି ଶୁଣି ସେ ବଡ଼ ହୋଇଛନ୍ତି।
୨୦୨୪ ବର୍ଷ ପା‌ଇଁ ପୁରସ୍କୃତ ଏହି ଯୁବ ଲେଖକଲେଖିକାମାନଙ୍କ କଥାରୁ ଜଣାପଡୁଥିଲା ଯେ ସେମାନେ କେବଳ ଅତୀତ ସମ୍ପର୍କରେ ସଚେତନ ନୁହନ୍ତି, ଭବିଷ୍ୟତର ଖସଡ଼ା ଲେଖିବା ଦିଗରେ ମଧ୍ୟ ସମର୍ଥ। ସେମାନେ ସଂଘର୍ଷ କ’ଣ ବୁଝନ୍ତି ଏବଂ ପ୍ରତିକୂଳ ପରିସ୍ଥିତି ସହ ସଂଗ୍ରାମ ଜାରି ରଖିଛନ୍ତି। ସେମାନେ ଯେତିକି କଳ୍ପନାବିଳାସୀ, ସେତିକି ମାଟିମନସ୍କ। ହିନ୍ଦୀ କବି ଗୌରବ ପାଣ୍ଡେୟଙ୍କ ବକ୍ତୃତା ଏକଥାଟି ସ୍ପଷ୍ଟ କରିଦେଇଥିଲା। ସେ କହିଥିଲେ, ‘ମୋ ପାଖରେ ଏମିତି କବିତା ନାହିଁ ଯିଏ କ୍ରାନ୍ତି ଆଣିଦେବ କି ଆତତାୟୀ ରାଜାର ମୁଣ୍ଡ କାଟିଦେବ। କୌଣସି ଅମର କବିତାର କବି ହେବା ପାଇଁ ମଧ୍ୟ ମୁଁ ଆଶା ରଖୁନାହିଁ। କାରଣ ମୁଁ ମାଟିର କବି, ମୋ କବିତା ମାଟିର କବିତା।’
ମାଟିର କବିତା ଲେଖୁଥିବା ଓ ସମୁଦ୍ରରୁ ମରୁଭୂମି ଆଡ଼କୁ ମୁହାଁଇବାର ସାହସ ରଖୁଥିବା ଏଇ ତରୁଣ ନଦୀମାନଙ୍କର ବକ୍ତବ୍ୟ ଭିତରେ ଏହି ଲେଖକ ଭବିଷ୍ୟତ ଭାରତର ସେହି ଚିତ୍ର ଦେଖିପାରୁଥିଲା ଯାହାର ଚେହେରା ଖୁବ୍‌ ଉତ୍ସାହଜନକ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୭୭୨୮୮