ସରକାରଙ୍କ ପକ୍ଷପାତିତାର ପ୍ରତିବାଦ : ସମୂହ ଛୁଟିରେ ଯିବେ ଡିପ୍ଲୋମା ଇଂଜିନିୟର

ଭୁବନେଶ୍ୱର : ଡିପ୍ଲୋମା ଇଂଜିନିୟରମାନଙ୍କ ପ୍ରତି ସରକାରଙ୍କ ପକ୍ଷପାତ ଓ ଅନ୍ୟାୟ ପ୍ରତିବାଦରେ ଓଡ଼ିଶା ଡିପ୍ଲୋମା ଇଂଜିନିୟର୍ସ ସେବା ସଂଘ ଆନ୍ଦୋଳନ ଜୋର୍‌ଦାର୍‌ କରିବାକୁ ଘୋଷଣା କରିଛି। ଡିପ୍ଲୋମା ଇଂଜିନିୟରମାନେ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ୪୪ ଦିନ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି। ୮,୫୦୦ ସେବାରତ ଡିପ୍ଲୋମା ଇଂଜିନିୟର ଏହି ଆନ୍ଦୋଳନରେ ସାମିଲ୍‌ ହେବେ। ସମୂହ ଛୁଟି ସମ୍ପର୍କରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଇଛି। ଏହା ଦ୍ୱାରା ଯେକୌଣସି ପ୍ରକାର ଅସୁବିଧା ଦେଖା ଦେବ, ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆଜି ଓଡେଶା ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର କର୍ମକର୍ତ୍ତାମାନେ କହିଛନ୍ତି। ଏହି ସମ୍ମିଳନୀରେ ସଂଘର ସଭାପତି ପ୍ରଦୀପ କୁମାର ପାତ୍ର, ସାଧାରଣ ସଂପାଦକ ସୁଚିତ୍ର ମୋହନ ରାଉଳ, ଉପଦେଷ୍ଟା ନରେନ୍ଦ୍ର କୁମାର ନାୟକ ଓ ନିର୍ମଳ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଡିପ୍ଲୋମା ଇଂଜିନିୟରମାନଙ୍କ ମୂଳ ନିଯୁକ୍ତି ପଦବିକୁ ସହକାରୀ ଯନ୍ତ୍ରୀ କରାଯିବା, ସେମାନଙ୍କ ପଦୋନ୍ନତି ହାର ଶତକଡ଼ା ୩୩ ଭାଗ ପରିବର୍ତ୍ତେ ୫୦ ଭାଗ କରିବା, ସମସ୍ତ ଜିପିଟିଏମାନଙ୍କୁ ଏକକାଳୀନ କନିଷ୍ଠ ଯନ୍ତ୍ରୀ କରିବା, ୩୧୪ କନିଷ୍ଠ ଯନ୍ତ୍ରୀ-୨ଙ୍କୁ ନିୟମିତ ନିଯୁକ୍ତି ଦେବା, ପଞ୍ଚାୟତିରାଜ ବିଭାଗର ସମସ୍ତ କନିଷ୍ଠ ଯନ୍ତ୍ରୀଙ୍କ ସହକାରୀ ଯନ୍ତ୍ରୀ ପଦବିକୁ ଉନ୍ନିତ କରିବା, ଖଣି ଓ ଭୂତତ୍ତ୍ୱ ବିଭାଗ ସମେତ ଅନ୍ୟ ଅଣଇଂଜିନିୟର ବିଭାଗର ଡିପ୍ଲୋମା ଇଂଜିନିୟର କ୍ୟାଡର ପୁନର୍ଗଠନ କରିବା, ୨୦ ବର୍ଷ ପୂରଣ କରିଥିବା କନିଷ୍ଠ ଯନ୍ତ୍ରୀ/ସହକାରୀ ଯନ୍ତ୍ରୀଙ୍କୁ ଆର୍‌ଏସିପିରେ ୫୪୦୦ ଟଙ୍କା ଗ୍ରେଡ୍‌ ଦରମା ପ୍ରଦାନ, ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗରେ ସେବାରତ ସମସ୍ତ ଡିପ୍ଲୋମା ଇଂଜିନିୟରଙ୍କ ନିମିତ୍ତ ଏକକ କ୍ୟାଡର ରୁଲ୍‌ ପ୍ରଚଳନ ଏବଂ ଡିଗ୍ରି ଓ ଡିପ୍ଲୋମା ଉଭୟ କ୍ୟାଡର୍‌ର ନୋଡାଲ ବିଭାଗ ଜଳସମ୍ପଦ କରିବା ଆଦି ଦାବି ବାରମ୍ବାର କରାଯାଇଥିଲେ ମଧ୍ୟ ଏସବୁ ପୂରଣ ନ ହେବାରୁ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର