କ୍ୟାଡର ପୁନର୍ଗଠନ ଦାବିରେ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା ସଂଘର ବିକ୍ଷୋଭ

ଭୁବନେଶ୍ୱର : କ୍ୟାଡର ପୁନର୍ଗଠନ ଦାବି ନେଇ ଆଜି ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଭାପତି ପ୍ରଦୀପ କୁମାର ପାତ୍ର ଓ ସଂପାଦକ ସଚିତ୍ର ମୋହନ ରାଉଳଙ୍କ ନେତୃତ୍ୱରେ ଡିପ୍ଲୋମା ଇଞ୍ଜିନିୟରମାନେ ରାଜରାସ୍ତାକୁ ଓହ୍ଲାଇଥିଲେ।

ସଂଘର ଦାବି ଅନୁଯାୟୀ, ୨୦୧୦ ମସିହାରେ ଉଭୟ ଡିଗ୍ରି ଓ ଡିପ୍ଲୋମା ଯନ୍ତ୍ରୀଙ୍କ କ୍ୟାଡର ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ରହିଥଇଲା। ୨୦୧୩ ମସିହାରେ ଏହା କାର୍ଯ୍ୟକାରୀ ହୋଇଥିଲା। ଡିଗ୍ରି ଇଞ୍ଜିନିୟରମାନେ ଏହାର ସୁବିଧା ସୁଯୋଗ ନେଇଥିବା ବେଳେ ଡିପ୍ଲୋମା ଇଞ୍ଜିନିୟରମାନଙ୍କ ପ୍ରତି ଉଦ୍ଦେଶ୍ୟମୂଳକ ଭାବେ ଦରମା ଓ ପଦୋନ୍ନତି କ୍ଷେତ୍ରରେ ଚଞ୍ଚକତା କରାଯାଇଛି। ଗତ ୫ବର୍ଷ ହେବ ସରକାରଙ୍କୁ ସଂଘ ପକ୍ଷରୁ ଅବଗତ କରାଯାଉଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ। ଏହାର ପ୍ରତିବାଦରେ ସଂଘ ଅଧୀନରେ ଥିବା ୮ହଜାର ଡିପ୍ଲୋମା ଇଞ୍ଜିନିୟର ଗତ ଡିସେମ୍ବର ମାସରୁ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରି ଆସୁଛନ୍ତି। ଆଜି ଡିପ୍ଲୋମା ଇଞ୍ଜିନିୟରମାନେ ରାଜଧାନୀରେ ପ୍ରତିବାଦ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯଦି ଏଥିରେ କୌଣସି ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର