୫ ଡାକ୍ତରଙ୍କୁ ନିଲମ୍ବନ ଘଟଣା : ୭ରୁ ରାଜ୍ୟବ୍ୟାପୀ କଳାବ୍ୟାଜ୍‌ ପିନ୍ଧିବେ ଡାକ୍ତର

ଭୁବନେଶ୍ୱର : ଗତମାସ ୩୦ତାରିଖରେ କାର୍ଯ୍ୟରେ ଅବହେଳା ଯୋଗୁଁ ରାଜ୍ୟ ସରକାର ୫ଜଣ ଡାକ୍ତରଙ୍କୁ ନିଲମ୍ବନ କରିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ରାଜ୍ୟ ମେଡିକାଲ ସେବା ସଂଘ ବା ଓମ୍‌ସା। ନିଲମ୍ବନକୁ ବିରୋଧ କରି ଆସନ୍ତା ୭ତାରିଖରୁ କାର୍ଯ୍ୟରତ ଡାକ୍ତରମାନେ କଳାବ୍ୟାଜ୍‌ ପରିଧାନ କରିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଓମ୍‌ସା ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ସଭାପତି ଡା.ନିରାକାର ଭଟ୍ଟଙ୍କ ନେତୃତ୍ୱରେ ଏହି ବୈଠକରେ ଡାକ୍ତରଙ୍କୁ ନିଲମ୍ବନ କରିବା ଘଟଣାକୁୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଆସନ୍ତା ୬ତାରିଖରୁ ଜଗତସିଂହପୁରରେ କାର୍ଯ୍ୟରତ ଡାକ୍ତରମାନେ କଳାବ୍ୟାଜ୍‌ ପରିଧାନ କରିବେ। ୭ତାରିଖରୁ ରାଜ୍ୟବ୍ୟାପୀ ଡାକ୍ତର କଳାବ୍ୟାଜ୍‌ ପିନ୍ଧିବେ ବୋଲି ନିଷ୍ପତ୍ତି ନିଆଯାଇଛି।

ଏହାସହ ଡାକ୍ତରଙ୍କ ପଦୋନ୍ନତି ନେଇ ଦେଖା ଦେଇଥିବା ସମସ୍ୟା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଗତବର୍ଷ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ କ୍ୟାଡର୍‌ ପୁନର୍ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଏହାକୁ ନେଇ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣୁ ରାଜ୍ୟ ସରକାର ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ କୁହାଯାଇଥିଲା। ଆସନ୍ତା ୧୩ତାରିଖରେ ସଂଘର ଆଉ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲ ସଭାପତି ଡା.ନିରାକାର ଭଟ୍ଟ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରୋଗୀ ସେବା ଓ ନିରାମୟ ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଅବହେଳା ଓ ବିନା ଅନୁମତିରେ ଅନୁପସ୍ଥିତ ରହୁଥିବା ଅଭିଯୋଗରେ ତାଳଚେରର ଜଣେ ଓ ଜଗତସିଂହପୁରର ୪ଜଣଙ୍କୁ ମିଶାଇ ୫ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଥିଲା।

ସମ୍ବନ୍ଧିତ ଖବର