ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ପୂର୍ବ ସରକାରଙ୍କ ଦ୍ବାରା ଆଗତ ଓ ପାରିତ ହୋଇଥିବା ଲେଖାନୁଦାନ ଅଟକଳ ଜୁଲାଇ ୩୧ ଅର୍ଥାତ୍ ଆଜି ରାତି ୧୨ଟା ପର୍ଯ୍ୟନ୍ତ ବୈଧ ଅଛି। କିନ୍ତୁ ୨୦୨୪-୨୫ ବଜେଟ୍‌ର ପୂର୍ଣ୍ଣାଙ୍ଗ ବ୍ୟୟ ମଞ୍ଜୁରୀ ବିଧେୟକ ‌ଗୃହରେ ଅନୁମୋଦନ ହୋଇନଥିବାରୁ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ସରକାରଙ୍କ ଆବଶ୍ୟକୀୟ ଖର୍ଚ୍ଚ ଭରଣା କରିବାକୁ ୯୫ହଜାର କୋଟି ଟଙ୍କାର ଏକ ଲେଖାନୁଦାନ ବିନିଯୋଗ ବିଧେୟକ ଗୃହରେ ଉପସ୍ଥାପନ କରିଥିଲେ। ଏହା ଉପରେ ଆଜି ଆଲୋଚନା ହେବା ପରେ ବାଚସ୍ପତି ସୁରମା ପାଢ଼ୀ ବାଚନିକ ଭୋଟ୍ ମାଧ୍ୟମରେ ଏହାକୁ ପାରିତ କରିଛନ୍ତି। ଏହାଦ୍ବାରା ଆସନ୍ତାକାଲି ଠାରୁ ସରକାର ଏହି ଅର୍ଥ ଖର୍ଚ୍ଚ କରିପାରିବେ।

Advertisment

ମୁଖ୍ୟମନ୍ତ୍ରୀ ଆଜି ଲେଖାନୁଦାନ ବିନିଯୋଗ ବିଧେୟକ ଉପରେ ହୋଇଥିବା ଆଲୋଚନାର ଉତ୍ତର ରଖି କହିଥି‌ଲେ ୯୫ହଜାର କୋଟି ଟଙ୍କାର ଲେଖାନୁଦାନରେ ରାଜସ୍ୱ ବ୍ୟୟ ପାଇଁ ୩୦%, ପୁଞ୍ଜି ବ୍ୟୟ ପାଇଁ ୪୦%, ବିପର୍ଯ୍ୟୟ ପରିଚାଳନା, ସାମାଜିକ ସୁରକ୍ଷା, ପେନସନ, ନ୍ୟାୟପାଳିକା ଓ ନିର୍ବାଚନ ପାଇଁ ଅର୍ଥ ରାଶି ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ସରକାରଙ୍କର ବିଭିନ୍ନ ଯୋଜନା ନିମନ୍ତେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ସମ୍ବଳ ଯୋଗାଇବା ସମ୍ଭବପର ହେବ ଏବଂ ଜରୁରୀକାଳୀନ କାର୍ଯ୍ୟଗୁଡ଼ିକ ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ। ମୁଖ୍ୟମନ୍ତ୍ରୀ ଉତ୍ତର ଦେବା ଆରମ୍ଭ କରିବା କ୍ଷଣି ଉଭୟ ବିଜେଡି ଓ କଂଗ୍ରେସ ଦଳର ବିଧାୟକମାନେ କକ୍ଷତ୍ୟାଗ କରିଥିଲେ। ଏହାପରେ ଶ୍ରୀ ମାଝୀ କହିଥିଲେ, ବିରୋଧୀ ଦଳ ଉତ୍ତର ଶୁଣିବା ଆଗରୁ କକ୍ଷତ୍ୟାଗ କଲେ। ବିରୋଧୀ ଦଳ ନ ଶୁଣି ପଳାଇବା ଦୁଃଖର କଥା। ଏହା ସଂପୂର୍ଣ୍ଣ ପ୍ରାୟୋଜିତ। ବିରୋଧୀ ଦଳର ବିଧାୟକମାନେ ଗୃହରେ ବାରମ୍ବାର ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଜାଣିଛନ୍ତି କି, ଗତ ୨୪ ବର୍ଷରେ ଅନେକ ଥର ବିଭିନ୍ନ ଜାତୀୟ ପ୍ଲାଟଫର୍ମରେ ଏ କଥା ଉଠିଛି ଏବଂ ପ୍ରତ୍ୟାଖାନ ମଧ୍ୟ ହୋଇଛି। ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ବ୍ୟବସ୍ଥା ପ୍ରଥମେ ପଞ୍ଚମ ଅର୍ଥ କମିସନ ୧୯୬୯ ମସିହାରେ ସୁପାରିସ କରିଥିଲେ। ଏଥିପାଇଁ ସ୍ୱତନ୍ତ୍ର ମାନଦଣ୍ଡ ରହିଛି। ଓଡ଼ିଶା ଏ ସବୁ ମାନଦଣ୍ଡ ପୂରଣ କରି ପାରୁନଥିବାରୁ ଏହା ବାରମ୍ବାର ଅଗ୍ରାହ୍ୟ ହୋଇଛି।

ରାଜନୈତିକ ଫାଇଦା ପାଇଁ ବିଜେଡି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରୁଥିଲା
୯୫ହଜାର କୋଟି ଟଙ୍କାର ଲେଖାନୁଦାନ ବି‌ନିଯୋଗ ପାରିତ ହେଲା

ଏହା ସତ୍ତ୍ୱେ ମଧ୍ୟ ପୂର୍ବ ସରକାର ବିଭିନ୍ନ ଫୋରମ୍‌ରେ ଯଥା ଅର୍ଥ କମିସନ, ନୀତି ଆୟୋଗ ଏବଂ କେନ୍ଦ୍ର ସରକାରଙ୍କୁ ଏ ସଂପର୍କରେ ଦାବି କରିଆସୁଥିଲା। ରାଜନୈତିକ ଫାଇଦା ପାଇଁ ଏହି ଦାବି କରାଯାଉଥିଲା। ବିରୋଧୀ ଦଳ ବିହାର ଓ ଆନ୍ଧ୍ର ପ୍ରଦେଶକୁ କେନ୍ଦ୍ର ବଜେଟ୍‌ରେ ଅଧିକ ଅର୍ଥ ବରାଦ ହୋଇଥିବା କଥା କହୁଛନ୍ତି। ଓଡ଼ିଶା ପାଇଁ କିଛି ନାହିଁ ବୋଲି କହୁଛନ୍ତି। ସେମାନେ କେନ୍ଦ୍ର ବଜେଟ୍‌କୁ ଭଲ ଭାବରେ ପଢ଼ିଛନ୍ତି କି? ଚଳିତ ରେଳ ବଜେଟ୍‌ରେ ଓଡ଼ିଶାକୁ ୧୦,୫୦୦କୋଟି ଟଙ୍କା ମିଳିଛି। ଏହା ସେମାନେ କହୁଥିବା ସ୍ବତନ୍ତ୍ର ପ୍ୟାକେଜରୁ ଅଧିକ ନୁହେଁ କି? ୨୦୨୩-୨୪ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ୯.୫୭ ଲକ୍ଷ ଘର ମିଳିଥିଲା। ଏହା କ’ଣ ସ୍ୱତନ୍ତ୍ର ବ୍ୟୟ ବରାଦ ନୁହେଁ? ପୂର୍ବ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଘର ନ ଦେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଲେ। ତାସହିତ ଦୁଇ ଲକ୍ଷ ଘର ଦେଇ ନ ପାରି ଫେରାଇ ଦେଲେ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଭୁବନେଶ୍ବର ରିଂ ରୋଡ୍ ପାଇଁ ୫୨୦୦କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। କୋଷ୍ଟାଲ ହାଇୱେର ଚାରିଥାକିଆ ପାଇଁ ମଧ୍ୟ ପ୍ରସ୍ତାବ ଚୂଡାନ୍ତ ହେବାକୁ ଯାଉଛି। ଏହାସହିତ ଓଡ଼ିଶାରେ ଇକୋନୋମିକ୍‌ କରିଡର, ଶିଳ୍ପ ପ୍ରତିଷ୍ଠା, ବଡବିଲ୍‌ରୁ ପାରାଦୀପ ପର୍ଯ୍ୟନ୍ତ ରାସ୍ତାର ୮ଥାକିଆ ଆଦି ଅନେକ ପ୍ରକଳ୍ପ ଚୂଡାନ୍ତ ପର୍ଯ୍ୟାୟରେ ଅଛି।

ଏହାସହ ମୁଖ୍ୟମନ୍ତ୍ରୀ କିପରି କେନ୍ଦ୍ର ବଜେଟ୍‌ରେ ଗତ ୧୦ବର୍ଷ ତୁଳନାରେ ଏବେ ‌କିପରି ୩ଗୁଣା ଅଧିକ ଅର୍ଥ ମିଳିଛି,କେନ୍ଦ୍ର ଟିକସରେ ରାଜ୍ୟ ଅଂଶ ବୃଦ୍ଧି ପାଇଛି, କେନ୍ଦ୍ରର ରାଜ୍ୟ ସରକାରଙ୍କୁ ପୁଞ୍ଜି ଖର୍ଚ୍ଚ ପାଇଁ ସହାୟତା ବାବଦରେ ଅଧିକ ୬ହଜାର କୋଟି ଟଙ୍କା ମିଳିଛି ତାହା କହିଥିଲେ। ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ, ଉତ୍ତର ଓଡ଼ିଶା ବିକାଶ ପରିଷଦ ପରି ଖୁବ୍‌ ଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ। ଏଥିପାଇଁ କମିଟି ଗଠନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।