ଲକ୍ଡାଉନ୍ ବେଳେ ଦେଶକୁ ଅନ୍ନ ଯୋଗାଉଛି ଓଡ଼ିଶା
ପଶ୍ଚିମ ଓଡ଼ିଶାର ବିଭିନ୍ନ ଷ୍ଟେସନ୍ରୁ ପୂର୍ବ ଓ ଦକ୍ଷିଣ ଭାରତକୁ ଯାଉଛି ଚାଉଳ
ସମ୍ବଲପୁର: ଲକ୍ଡାଉନ୍ ଯୋଗୁଁ ସାରା ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ବେଳେ ଖାଦ୍ୟ ଓ ଅନ୍ୟ ଜରୁରୀ ସାମଗ୍ରୀ ଏବେ ଲୋକଙ୍କର ସବୁଠୁ ବଡ଼ ଆବଶ୍ୟକତା ପାଲଟିଛି। ଅନେକ ସ୍ଥାନରେ ଏସବୁର ଅଭାବ ସୃଷ୍ଟି ହୋଇଛି। ଏଭଳି ସମୟରେ ଦେଶର ବହୁ ରାଜ୍ୟକୁ ଅନ୍ନ ଓ ବିଜୁଳି ଯୋଗାଉଛି ଓଡ଼ିଶା। ଓଡ଼ିଶାର ଭାତହାଣ୍ଡି କୁହା ଯାଉଥିବା ପଶ୍ଚିମ ଓଡ଼ିଶା କେବଳ ଆମ ରାଜ୍ୟବାସୀଙ୍କ ପାଇଁ ଅନ୍ନର ବ୍ୟବସ୍ଥା କରୁଛି ତାହା ନୁହେଁ, ଆହୁରି ଅନେକ ରାଜ୍ୟକୁ ମଧ୍ୟ ଚାଉଳ ଯୋଗାଉଛି। ବିଶେଷ କରି ବର୍ତ୍ତମାନର ଜରୁରୀ ସ୍ଥିତିରେ ଦକ୍ଷିଣ ଓ ପୂର୍ବ ଭାରତର ରାଜ୍ୟଗୁଡ଼ିକୁ ପଶ୍ଚିମ ଓଡ଼ିଶାରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଉଳ ପଠାଯାଉଛି। ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରୁଛି ପୂର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳ।
ମିଳିଥିବା ସୂଚନା ଅନୁଯାୟୀ ଗତ ୨୨ରୁ ୨୯ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଷ୍ଟେସନ୍ରୁ ୮ଟି ରୢାକ୍ ଜରିଆରେ ବାହାର ରାଜ୍ୟକୁ ୨୦ ହଜାର ଟନ୍ରୁ ଅଧିକ ଚାଉଳ ପଠାଯାଇଛି। ହୀରାକୁଦ, ବରଗଡ଼ ରୋଡ୍, ଡୁଙ୍ଗୁରିପାଲି, ବଲାଙ୍ଗୀର ଆଦି ଷ୍ଟେସନ୍ରୁ ବିହାର ଓ ଝାଡ଼ଖଣ୍ଡର ସରାଇ, କଟିହାର, ଟାଟା, କର୍ପୁରୀଗ୍ରାମ, ତଟିସିଲୱାଇ/ନାମକୋନ୍, ଯସିଡିହି/ମଧୁପୁର, ଦୁମ୍କା ଆଦି ଷ୍ଟେସନ୍କୁ ଚାଉଳ ପଠାଯାଇଛି। ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଥିବା ଏଫ୍ସିଆଇ ଗୋଦାମଗୁଡ଼ିକରୁ ଏହି ଚାଉଳ ପଠାଯାଉଛି। ଉପରୋକ୍ତ ଷ୍ଟେସନ୍ଗୁଡ଼ିକ ବ୍ୟତୀତ ଟିଟିଲାଗଡ଼, କଣ୍ଟାବାଞ୍ଜି, ଜୁନାଗଡ଼ ରୋଡ୍ ଆଦି ଷ୍ଟେସନ୍ ସାଇଡିଂରୁ ବିଭିନ୍ନ ରାଜ୍ୟକୁ ଚାଉଳ ପଠାଯାଉଛି। ପଶ୍ଚିମ ଓଡ଼ିଶାରୁ ରାଜ୍ୟ ବାହାରକୁ ଚାଉଳ ଯିବା ଏକ ନିୟମିତ ବିଷୟ ହୋଇଥିଲେ ବି ସଂକଟ ସମୟରେ ଏଠାରେ ଗଚ୍ଛିତ ଥିବା ଚାଉଳ ତତ୍କାଳ ପଠାଯିବା ଦ୍ବାରା ଅନେକ ରାଜ୍ୟର ଖାଦ୍ୟ ଆବଶ୍ୟକତା ମେଣ୍ଟାଇ ପାରିଛି। ଜନତା କର୍ଫ୍ୟୁର ଦିନକ ପୂର୍ବରୁ ଅର୍ଥାତ୍ ୨୧ ତାରିଖ ରାତିରେ ଦକ୍ଷିଣ ଭାରତୀୟ ରାଜ୍ୟ ବିଶେଷ କରି ତାମିଲନାଡୁକୁ ପଶ୍ଚିମ ଓଡ଼ିଶାରୁ ପ୍ରଚୁର ପରିମାଣରେ ଚାଉଳ ପଠା ଯାଇଥିବା ରେଳବାଇ ସୂତ୍ରରୁ ଜଣାପଡ଼ିଛି।
କେବଳ ଅନ୍ନ ନୁହେଁ ସଂକଟ ସମୟରେ ଦେଶକୁ ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବାରେ ବି ଓଡ଼ିଶା ପ୍ରମୁଖ ଭୂମିକା ତୁଳାଇଛି। ତାଳଚେର ଓ ଇବ୍ଭ୍ୟାଲି କୋଇଲା ଖଣି ଅଞ୍ଚଳରୁ ଅନ୍ୟ ରାଜ୍ୟର ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକୁ ନିରନ୍ତର କୋଇଲା ପ୍ରେରଣ ଅବ୍ୟାହତ ରହିଛି। ଫଳରେ ଦେଶର ବହୁ ମହାନଗର ସମତେ ବିଭିନ୍ନ ରାଜ୍ୟ ଆଲୋକିତ ହୋଇ ରହିଛି। ୨୨ରୁ ୨୯ ତାରିଖ ମଧ୍ୟରେ ଓଡ଼ିଶାରୁ ୬୬୯ ରୢାକ୍ କୋଇଲା ରେଳ ଯୋଗେ ବାହାର ରାଜ୍ୟକୁ ପ୍ରେରଣ କରାଯାଇଛି। ୨୧ ଦିନର ଲକଡାଉନ୍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ଏକ ଆହ୍ବାନଭାବେ ଗ୍ରହଣ କରା ଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।