ଅଖାଦ୍ୟ ଖାଉଛି ଓଡ଼ିଶା: କାର୍ଯ୍ୟାନୁଷ୍ଠାନ ନେଲେନି, ଲୋକଙ୍କ ଜୀବନ ସହ ଖେଳ

ଭୁବନେଶ୍ବର: କେବଳ ସମ୍ବଲପୁର ଓ ଟିଟିଲାଗଡ଼ ଡିଭିଜନ ନୁହେଁ, ପୁରୀ ଓ ନୟାଗଡ଼ ଭଳି ଜିଲ୍ଲାରେ ମଧ୍ୟ ରାଇସ୍‌ ମିଲ୍‌ମାନେ ନିମ୍ନମାନର ଚାଉଳ ଯୋଗାଉଛନ୍ତି ବୋଲି ଏଫ୍‌ସିଆଇ ରିପୋର୍ଟରୁ ଜଣାପଡ଼ିଛି। ସଂପୃକ୍ତ କର୍ତ୍ତୃପକ୍ଷ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଖାଦ୍ୟ ଯୋଗାଣ ନିଗମକୁ ଚିଠି କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ରାଇସ୍‌ ମିଲ୍‌ ମାଲିକ ଓ ଦୁର୍ନୀତିଗ୍ରସ୍ତ ଯୋଗାଣ ଅଧିକାରୀଙ୍କ ପ୍ରତି ଯୋଗାଣ ନିଗମର ଏହି ଅନୁକମ୍ପା ପଛର କାରଣ ନେଇ ଚର୍ଚ୍ଚା ବଢ଼ିଲାଣି।

ପୁରୀ, ନୟାଗଡ଼ରେ ବି ନିମ୍ନମାନର ଚାଉଳ
ପିଡିଏସ୍ ବିତରଣ ବ୍ୟବସ୍ଥା ଯାଞ୍ଚ ଲାଗି କେନ୍ଦ୍ରର ନିର୍ଦେଶ

ଏପଟେ ପିଡିଏସ୍‌ ବିତରଣ ବ୍ୟବସ୍ଥା ଯାଞ୍ଚ କରିବାକୁ ଏଫ୍‌ସିଆଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଫ୍‌ସିଆଇକୁ ନିର୍ଦେଶ ଜାରି ହୋଇଛି। ଯେଉଁ ବ୍ୟକ୍ତି ବିତରଣ ବ୍ୟବସ୍ଥାରୁ ବାଦ୍‌ ପଡ଼ିଥିବେ, ସେମାନଙ୍କୁ କିଭଳି ଏହି ପ୍ରକ୍ରିୟାରେ ସାମିଲ କରାଯାଇ ପାରିବ, ଏଥିପାଇଁ ଏଫ୍‌ସିଆଇ କାର୍ଯ୍ୟ କରିବ। ଚାଉଳ ନେଇ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁଭଳି ମୁହାଁମୁହିଁ ହୋଇ ଅଛନ୍ତି, ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଏହି ନିର୍ଦେଶ ଗୁରୁତ୍ବପୂର୍ଣ୍ଣ ଅଟେ।

ସ୍ମରଣଥାଉକି, ସମ୍ବଲପୁର, ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାର ୯୧ ପ୍ରତିଶତ ଚାଉଳ ନିମ୍ନମାନର। ଏପରିକି କିଛି ଚାଉଳ ଅଖାଦ୍ୟ ଥିବା ନେଇ କେନ୍ଦ୍ରୀୟ ଟିମ୍‌ ରିପୋର୍ଟ ଦେଇଛି। ଏହି ଅବସରରେ ସଂଗୃହୀତ ୧୧୨ ଚାଉଳ ନମୁନା ମଧ୍ୟରୁ ୩୯ଟି ନମୁନା ଖାଇବା ପାଇଁ ଅଯୋଗ୍ୟ, ୬୩ ନମୁନା ଖାଇବା ଯୋଗ୍ୟ ହେଲେ ମଧ୍ୟ ଏହା ନିମ୍ନମାନର ଅଟେ। ୧୫ ଦିନ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ମିଲର୍‌ କିମ୍ବା ଯୋଗାଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ରାଜ୍ୟ ଯୋଗାଣ ନିଗମ। ବରଂ ତଳିଆ କର୍ମଚାରୀଙ୍କୁ ଫସାଇ ଏହି ସାଂଘାତିକ କେଳେଙ୍କାରୀକୁ ଫାଇଲ ଭିତରେ ସମାଧି ଦେବା ଲାଗି ଷଡ୍‌ଯନ୍ତ୍ର ଚାଲିଛି।

ଏମିତି ସମୟରେ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। କେବଳ ଏହି ୯ ଜିଲ୍ଲା ନୁହେଁ, କିଛି ମାସ ପୂର୍ବରୁ ଏଫ୍‌ସିଆଇ ସ୍କ୍ବାଡ୍‌ ପୁରୀ ଜିଲ୍ଲା ନିମାପଡ଼ା, ନୟାଗଡ଼ ଓ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଚାଉଳ ଗୋଦାମ ଯାଞ୍ଚ କରିଥିଲା। ସେଠାରେ ବି ଚାଉଳ ନିମ୍ନମାନର ଥିବା ନେଇ ସଂପୃକ୍ତ ସଂସ୍ଥା ରିପୋର୍ଟ ଦେଇଛି। ତିନୋଟି ଜିଲ୍ଲାରେ ଥିବା ଗୋଦାମରୁ ଚାଉଳ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେହି ନମୁନା ରିପୋର୍ଟ ନିମ୍ନମାନର ଆସିଛି। ଏଥିଯୋଗୁଁ ଏଫ୍‌ସିଆଇ ସେହି ଚାଉଳ ବଦଳରେ ଅନ୍ୟ ଚାଉଳ ଦେବା ପାଇଁ ମିଲର୍‌ଙ୍କୁ ନିର୍ଦେଶ ଦେବାକୁ ଯୋଗାଣ ନିଗମକୁ କହିଛି। ହେଲେ ଆଶ୍ଚର୍ଯ୍ୟଜନକ ଭାବରେ ତିନୋଟିଯାକ ଜିଲ୍ଲାର ନିମ୍ନମାନର ଚାଉଳ ସଂକ୍ରାନ୍ତରେ ଯୋଗାଣ ନିଗମ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହିଁ।

ଏଫ୍‌ସିଆଇ ଚାଉଳ ଯାଞ୍ଚ ରିପୋର୍ଟକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ ବୋଲି ନିୟମ ରହିଥିଲେ ମଧ୍ୟ ଯୋଗାଣ ନିଗମ ଏଫ୍‌ସିଆଇର ନୟାଗଡ଼ ଚାଉଳ ଯାଞ୍ଚ ରିପୋର୍ଟକୁ ଚ୍ୟାଲେଞ୍ଜ କରିଛି। ଅନ୍ୟଦିଗରେ ଖୋର୍ଧା ଜିଲ୍ଲା ଜଟଣୀରେ ସ୍ଥିତ ଚାଉଳ ଗୋଦାମ ଯାଞ୍ଚ କରି ଏଫ୍‌ସିଆଇ ଗୋଦାମର ପରିଚ୍ଛନ୍ନତା ନେଇ ପ୍ରଶ୍ନ କରିଛି। ଗତବର୍ଷ ଯାଜପୁରରେ କେନ୍ଦ୍ରୀୟ ଟିମ୍‌ ଯାଞ୍ଚ ପରେ ଅଖାଦ୍ୟ ଚାଉଳ ଧରାପଡ଼ିଥିଲା। ଏଥିରେ ଗୋଦାମର କିଛି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ମିଲର କିମ୍ବା ବଡ଼ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିଲା।

ସମ୍ବନ୍ଧିତ ଖବର