ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ଅର୍ଥନୀତିର ଆକାର ୯.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ୧୧୩ ବିଲିୟନ ଆମେରିକୀୟ ଡଲାର ସହ ସମାନ ଅଟେ। ୨୦୨୪-୨୫ରେ ରାଜ୍ୟର ବାସ୍ତବ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ଭାରତର ୬.୪ ପ୍ରତିଶତ ଅଭିବୃଦ୍ଧି ତୁଳନାରେ ଏହା ଅଧିକ। ଏହି ବର୍ଷରେ ଓଡ଼ିଶା ଅର୍ଥନୀତିର ସମସ୍ତ କ୍ଷେତ୍ରରେ ସୁଦୃଢ଼ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ରାଜ୍ୟ ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଯୋଗଦାନ ପ୍ରାୟ ୧୯ ପ୍ରତିଶତ ଓ ଏହାର ଅଭିବୃଦ୍ଧି ହାର ୩.୩ ପ୍ରତିଶତ ଅଟେ। ଯାହା ସର୍ବଭାରତୀୟ ସ୍ତରର ଅଭିବୃଦ୍ଧି ସହ ପ୍ରାୟତଃ ସମାନ। ଅପର ପକ୍ଷରେ ରାଜ୍ୟ ଅର୍ଥନୀତିରେ ଶିଳ୍ପ କ୍ଷେତ୍ରର ଯୋଗଦାନ ୪୪ ପ୍ରତିଶତ ଥିବାବେଳେ ଏହାର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ଯାହାକି ସର୍ବଭାରତୀୟ ସ୍ତର ସହିତ ପ୍ରାୟ ସମାନ। ରାଜ୍ୟରେ ସେବାକ୍ଷେତ୍ରର ଯୋଗଦାନ ପ୍ରାୟ ୩୭ ପ୍ରତିଶତ ଏବଂ ୧୦ ପ୍ରତିଶତ ହାରରେ ଏହାର ଅଭିବୃଦ୍ଧି ଘଟିବ ବୋଲି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ହୋଟେଲ ଏବଂ ରେସ୍ତୋରାଁରେ ଦୃଢ଼ ଅଭିବୃଦ୍ଧି, ବାଣିଜ୍ୟ ଏବଂ ମରାମତି ସେବା କ୍ଷେତ୍ରର ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଏହାର ପ୍ରମୁଖ ଯୋଗଦାନକାରୀ। ସାଧାରଣତଃ ବିଶ୍ୱସ୍ତରରେ ବିକଶିତ ଅର୍ଥନୀତି ଗୁଡ଼ିକରେ ସେବା କ୍ଷେତ୍ରର ବଡ଼ ଯୋଗଦାନ ରହିଥାଏ। ଉଦାହରଣ ସ୍ୱରୂପ ୨୦୨୧ରେ ଆମେରିକାର ମୋଟ ସଂଯୋଗିତ ମୂଲ୍ୟରେ ସେବା କ୍ଷେତ୍ରର ଅଂଶ ୭୭.୬ ପ୍ରତିଶତ ଥିଲା। ସେବା କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ଭବିଷ୍ୟତର ଅର୍ଥନୀତି ପାଇଁ ଏକ ଶୁଭ ସଙ୍କେତ ଅଟେ।
୨୦୨୪-୨୫ ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି ପାଇ ୧.୮୩ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚିଛି ଏବଂ ସର୍ବଭାରତୀୟ ମୁଣ୍ଡପିଛା ଆୟଠାରୁ ଏହାର ବ୍ୟବଧାନ ଏକ ଅଙ୍କ (୮.୮ ପ୍ରତିଶତ)କୁ ହ୍ରାସ ପାଇଛି। ଅନ୍ୟ ରାଜ୍ୟ ତୁଳନାରେ ମୁଣ୍ଡପିଛା ଆୟ ହିସାବରେ ଓଡ଼ିଶା ଏକାଦଶ ସ୍ଥାନରେ ରହିଛି। ୨୦୨୩-୨୪ ଅର୍ଥକ ବର୍ଷର ତଥ୍ୟ ଅନୁଯାୟୀ ଯଦି ଓଡ଼ିଶା ମୁଣ୍ଡପିଛା ଆୟବୃଦ୍ଧିକୁ ୧.୦ ପ୍ରତିଶତ ପଏଣ୍ଟରେ ତ୍ବରାନ୍ବିତ କରିବାରେ ସଫଳ ହୁଏ, ତେବେ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ମୁଣ୍ଡପିଛା ଆୟ ଜାତୀୟ ସ୍ତରର ମୁଣ୍ଡପିଛା ଆୟ ସହିତ ପ୍ରାୟ ସମକକ୍ଷ ହୋଇପାରିବ। ଆଗାମୀ ଦିନରେ ରାଜ୍ୟ ଏକ ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ। ଅଭିବୃଦ୍ଧିର ପ୍ରମୁଖ ସହାୟକ ଯଥା; ଜମି, ଶ୍ରମ, ପୁଞ୍ଜି, ସମ୍ବଳ ଏବଂ ଗିରିଭୂମି ଅଟେ। ୨୦୨୩ ମସିହାରେ ୧.୫ ଲକ୍ଷ ବର୍ଗ କିଲୋମିଟର ମୋଟ ଭୌଗୋଳିକ କ୍ଷେତ୍ରର ପ୍ରାୟ ୪.୩ ପ୍ରତିଶତ ନିର୍ମିତ କ୍ଷେତ୍ର ଥିଲା। ସମ୍ଭାବ୍ୟ ନିବେଶକଙ୍କ ପାଇଁ ରାଜ୍ୟ ପର୍ଯ୍ୟାପ୍ତ ଜମି ପ୍ରଦାନ କରୁଛି। ଗତ ୬ ବର୍ଷରେ ଶ୍ରମଶକ୍ତିର ଆକାର ୫୩ ପ୍ରତିଶତ ବୃଦ୍ଧି ପାଇ ଏବେ ପ୍ରାୟ ୨.୨୨ କୋଟିରେ ପହଞ୍ଚିଛି।
ମୁଣ୍ଡପିଛା ଆୟ ୧.୮୩ ଲକ୍ଷ ଟଙ୍କା
ଏଥିସହିତ ଓଡ଼ିଶାରେ ବେକାରୀ ହାର ଜାତୀୟ ହାର ତୁଳନାରେ କମ୍ ରହିଛି। ଜାତୀୟ ସ୍ତରରେ ମୋଟ ବେକାରୀ ହାର ୩.୨ ପ୍ରତିଶତ ରହିଛି। କିନ୍ତୁ ଓଡ଼ିଶାରେ ଏହା ୩.୧ ପ୍ରତିଶତ ରହିଥିବା ଦର୍ଶାଯାଇଛି। ଓଡ଼ିଶାର ମୋଟ ଶ୍ରମଶକ୍ତିର ୪୯ ପ୍ରତିଶତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ଶିଳ୍ପ କ୍ଷେତ୍ରରେ ୨୬ ପ୍ରତିଶତ ଏବଂ ସେବା କ୍ଷେତ୍ରରେ ୨୫ ପ୍ରତିଶତ ଶ୍ରମଶକ୍ତି ନିୟୋଜିତ ଅଛନ୍ତି। ଆସନ୍ତା ୫ରୁ ୧୦ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ଦ୍ରୁତଗତିରେ ହେବା ନେଇ ସର୍ଭେରେ ଉଲ୍ଲେଖ କରାଯାଇଛି। ଏଥିପାଇଁ ରାଜ୍ୟର ୬ଟି ବିକାଶ କ୍ଲଷ୍ଟର ଉଲ୍ଲେଖ କରାଯାଇଛି। ସେଗୁଡ଼ିକ ହେଲା ଭୁବନେଶ୍ବର-କଟକ-ପୁରୀ, ଛତ୍ରପୁର-ବ୍ରହ୍ମପୁର-ଗୋପାଳପୁର, ବାଲେଶ୍ବର-ଭଦ୍ରକ-ଯାଜପୁର-ପାରାଦୀପ, ସମ୍ବଲପୁର-ଝାରସୁଗୁଡ଼ା, ରାଉରକେଲା ଏବଂ ଜୟପୁର-ସୁନାବେଡ଼ା-କୋରାପୁଟ। ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ଭଲ ଥିବା ଦର୍ଶାଯାଇଛି। ଏଫ୍ଆର୍ବିଏମ୍ ଆଇନ ଅନୁସାରେ ରାଜ୍ୟର ବିତ୍ତୀୟ ନିଅଣ୍ଟ ଜିଏସ୍ଡିପିର ୩.୫ ପ୍ରତିଶତ ମଧ୍ୟରେ ରହିବା କଥା। ୨୦୨୪-୨୫ ବଜେଟ୍ ଆକଳନରେ ଏହାକୁ ୩.୪ ପ୍ରତିଶତରେ ରଖାଯାଇଛି। ସେହିଭଳି ରାଜସ୍ବ ନିଅଣ୍ଟକୁ ଜିଏସ୍ଡିପିର ୨.୯ ପ୍ରତିଶତରେ, ଋଣ-ଜିଏସ୍ଡିପି ଅନୁପାତ ୧୩.୨ ପ୍ରତିଶତରେ ରଖାଯାଇଛି। ପୁଞ୍ଜିବ୍ୟୟ କ୍ଷେତ୍ରରେ ଓଡ଼ିଶା ସବୁଠୁ ଆଗରେ ରହିଛି। ରାଜ୍ୟର ପୁଞ୍ଜିବ୍ୟୟ ମୋଟ ଜିଏସ୍ଡିପିର ୬.୧ ପ୍ରତିଶତରେ ରହିଛି।
ଅଣ୍ଡା ଉତ୍ପାଦନ ଯଦିଓ ୨୦୨୩-୨୪ରେ ୩୭୨.୪ କୋଟିକୁ ବୃଦ୍ଧି ପାଇଛି ତଥାପି ମୁଣ୍ଡପିଛା ଅଣ୍ଡା ଉପଲବ୍ଧତା କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରଠାରୁ ପଛରେ ପଡ଼ିଛି। ଦେଶରେ ମୁଣ୍ଡପିଛା ଅଣ୍ଡା ଉପଲବ୍ଧତା ୧୦୩ ରହିଥିବାବେଳେ ଓଡ଼ିଶାରେ ଏହା ୭୨ରେ ସୀମିତ ରହିଛି। ରାଜ୍ୟରେ ସଡ଼କ, ରେଳ ଏବଂ ବିମାନ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଅଗ୍ରଗତି ଘଟିଛି। ସେହିଭଳି ପୁଞ୍ଜିବ୍ୟୟ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି ବୋଲି ସରକାର ଅର୍ଥନୈତିକ ସର୍ଭେ ରିପୋର୍ଟ
୨୦୨୪-୨୫ରେ ଦର୍ଶାଇଛନ୍ତି।