ଅର୍ଥନୈତିକ ସର୍ଭେ ରିପୋର୍ଟ : ଚିନ୍ତା ବଢ଼ାଇଲା କୃଷି

ଶିଳ୍ପ କ୍ଷେତ୍ର ବି ପ୍ରଭାବିତ ହେବ
୭.୧୪% ହାରରେ ବିକାଶ ଘଟିବ
ତଥାପି ଜାତୀୟ ହାରଠାରୁ ଆଗରେ
ମୁଣ୍ଡପିଛା ଆୟ ବଢ଼ିଲା, ୨୦୩୦
ସୁଦ୍ଧା ଦାରିଦ୍ର୍ୟ ହଟି

ଭୁବନେଶ୍ୱର : କୃଷି କ୍ଷେତ୍ରର ଅଭିବୃଦ୍ଧି ନକରାତ୍ମକ। କୃଷି ବିକାଶରେ ବାଧକ ହୋଇଛି ପ୍ରାକୃତିକ ବିପର୍ଯ୍ୟୟ। ଜଳସେଚନରେ ଅସୁବିଧା ମଧ୍ୟ ଅନ୍ୟତମ କାରଣ। ଗତବର୍ଷ କୃଷି କ୍ଷେତ୍ରକୁ ବିକାଶ ଯେଭଳି ଛୁଇଁଥିଲା, ଏଥର ତାର ଓଲଟା ସ୍ଥିତି ସୃଷ୍ଟି ହୋଇଛି। କେବଳ କୃଷି କାହିଁକି, ରାଜ୍ୟ ସରକାରଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଶିଳ୍ପରେ ମଧ୍ୟ ବିକାଶ ଉତ୍ସାହ ସୃଷ୍ଟି କରିବା ଭଳି ନୁହେଁ। ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ନିଯୁକ୍ତି କ୍ଷେତ୍ରକୁ ଏହା ସଙ୍କୁଚିତ କରିଦେବାର ଆଶଙ୍କା ସୃଷ୍ଟି ହୋଇଛି।

୨୦୧୭-୧୮ ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ସରକାର ଆଙ୍କିଥିବା ଚିତ୍ର ଏମିତି ସୂଚନା ଦେଉଛି। ଆଜି ବିଧାନସଭାରେ ଦିଆଯାଇଥିବା ଏହି ରିପୋର୍ଟ ସୂଚାଉଛି ଯେ ଓଡ଼ିଶା ଆଗକୁ ମାଡ଼ି ଚାଲିବ, କିନ୍ତୁ ମନ୍ଥର ଗତିରେ। ଅବଶ୍ୟ ଆଶ୍ୱାସନାର କଥା ହେଉଛି, ସର୍ଭେ ରିପୋର୍ଟରେ ଜାତୀୟ ଅଭିବୃଦ୍ଧି ନେଇ ଯେଉଁ ସୂଚନା ଦିଆଯାଇଛି, ତା’ ତୁଳନାରେ ଓଡ଼ିଶାର ବିକାଶ ହାର ଅଧିକ।

ରିପୋର୍ଟ ଦର୍ଶାଇଛି, ୨୦୧୬-୧୭ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୭.୯୪% ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ବାସ୍ତବରେ ଏହା ଦୁଇ ଅଙ୍କ (୧୦.୪%) ଛୁଇଁଗଲା। ଏବର୍ଷ ଅର୍ଥାତ୍‌ ୨୦୧୭-୧୮ରେ ରାଜ୍ୟର ବିକାଶ ଘଟିବ। କିନ୍ତୁ ପୂର୍ବବର୍ଷ ଭଳି ନୁହେଁ। ୬.୫%ହାରରେ ଅର୍ଥନୀତି ବଢିବ ବୋଲି ହିସାବ କରୁଛନ୍ତି କେନ୍ଦ୍ର ସରକାର। ଓଡ଼ିଶାର ଅଭିବୃଦ୍ଧି ୭.୧୪% ଛୁଇଁବ ବୋଲି ଆକଳନ କରାଯାଇଛି। ତେବେ ରାଜ୍ୟ ଅର୍ଥନୀତି ଉପରମୁହାଁ ଧରିବା ପଛରେ ଉଭୟ ସେବା ଓ ଶିଳ୍ପ କ୍ଷେତ୍ରର ଅବଦାନ ଅଧିକ ରହୁଛି ଓ କୃଷି କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ ରାଜ୍ୟ ବିକାଶର ରାସ୍ତାକୁ ମାଡ଼ି ବସୁଛି।

ସର୍ଭେ ରିପୋର୍ଟ ସୂଚାଉଛି, କୃଷି କ୍ଷେତ୍ରରେ ବିକାଶ ମୁହଁମୋଡି ଦେଲାଣି। ଅଭିବୃଦ୍ଧି ବଦଳରେ ବିକାଶ ଖସିଛି (-୪.୭%)। ରାଜ୍ୟରେ ଦେଖାଦେଇଥିବା ପ୍ରାକୃତିକ ବିପର୍ଯ୍ୟୟ ଅର୍ଥାତ୍‌ ଭୟଙ୍କର ମରୁଡି ମାଡ଼, ଚକଡା ପୋକ ଆକ୍ରମଣ, ବିଫଳ ଚାଷ ପ୍ରଣାଳୀ ଆଦି ବିକାଶର ବାଟ ଓଗାଳୁଛନ୍ତି। କେବଳ ସେତିକି ନୁହେଁ, ଯେତିକି ଅଞ୍ଚଳ ଚାଷ ହେଉଛି, ତାର ଏକ ତୃତୀୟାଂଶ ଅଞ୍ଚଳରେ ଜଳସେଚନ ହୋଇଛି। ୨୦୧୬-୧୭ କ୍ଷେତ୍ରରେ କିନ୍ତୁ କୃଷି କ୍ଷେତ୍ରରେ ବିକାଶର ହାର ୧୯.୬୫% ଛୁଇଁଥିଲା।

ସବୁଠାରୁ ବଡ଼ କଥା ହେଲା, ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ କୃଷି କ୍ଷେତ୍ରର ଅବଦାନ ସବୁ୍‌ଠାରୁ କମ୍‌ ରହିଛି। ତଥାପି ସବୁଠାରୁ ଅଧିକ ଲୋକଙ୍କ (୬୨ପ୍ରତିଶତ) ଜୀବନ ଜୀବିକା ସହିତ ଏହା ଜଡିତ ହୋଇରହିଥିବାରୁ ଏ କ୍ଷେତ୍ରକୁ ପ୍ରାଥମିକତା ଦେବା ପାଇଁ ସରକାର ଆଶା ଦେଖାଇଛନ୍ତି।

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି, ୨୦୧୭-୧୮ ଆର୍ଥିକ ବର୍ଷରେ ଶିଳ୍ପ (୩୪.୭୭%) ଓ କୃଷି କ୍ଷେତ୍ର (୧୯.୯୮%) ତୁଳନାରେ ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ ସବୁଠାରୁ ଅଧିକ ଅବଦାନ ରହିବ ସେବା କ୍ଷେତ୍ରରୁ, ପାଖାପାଖି ୪୫.୨୫%। ଖଣି, ନିର୍ମାଣ, ରିଅଲ୍‌ ଇଷ୍ଟେଟ୍‌ ,ବ୍ୟବସାୟ , ପରିବହନ ଆଦି କ୍ଷେତ୍ରକୁ ଆଧାର କରି ସରକାର ବିକାଶ ହାର ବଢିବ ବୋଲି ବିଶ୍ୱାସ କରୁଛନ୍ତି। କିନ୍ତୁ ଆଉ ଟିକେ ନିରେଖି ଦେଖିଲେ, ପୂର୍ବବର୍ଷ ତୁଳନାରେ ଶିଳ୍ପ କ୍ଷେତ୍ରରେ ମଧ୍ୟ ବିକାଶ ଧାରା ପ୍ରଭାବିତ ହୋଇଛି। ୨୦୧୬-୧୭ରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ୬.୩୫% ଥିଲେ ହେଁ, ୨୦୧୭-୧୮ରେ ଏହା ୫.୨୩%କୁ ଖସିଆସିବ। କେବଳ ସେବା କ୍ଷେତ୍ରରେ ବିକାଶଧାରା ଅବ୍ୟାହତ ରହିବ। ୨୦୧୬-୧୭ରେ ଅଭିବୃଦ୍ଧି ହାର ୧୦.୭୪% ଥିଲା, ଏବର୍ଷ ୧୨.୪୨%କୁ ଛୁଇଁପାରେ।

ଚିନ୍ତାର ବିଷୟ ହେଉଛି, ୨୦୧୬-୧୭ରେ ଖଣି କ୍ଷେତ୍ରରେ ଅଭିବୃଦ୍ଧି ହାର ୧୦% ଥିବା ବେଳେ ଉତ୍ପାଦନ କ୍ଷେତ୍ରରେ ଏହା ୫%, ନିର୍ମାଣ କ୍ଷେତ୍ରରେ ଏହି ହାର ୬% ଥିଲା। ୨୦୧୭-୧୮ରେ କିନ୍ତୁ ଏସବୁକୁ ମିଶାଇ ୪.୬% ରହିବ ବୋଲି ହିସାବ କରାଯାଉଛି। ଏହା ପରୋକ୍ଷରେ ସଙ୍କେତ ଦେଉଛି ଯେ ମାନବସମ୍ବଳ ବା ନିଯୁକ୍ତି କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ରହିଛି।

ଆକଳନ କରାଯାଇଛି, ଏ ବର୍ଷ ରାଜ୍ୟର ମୋଟ ଘରୋଇ ଉତ୍ପାଦ ୩ ଲକ୍ଷ ୪୬ ହଜାର କୋଟି ଟଙ୍କା ଛୁଇଁଯିବ। ଗତବର୍ଷ ତୁଳନାରେ ଏଥିରେ ୭.୧୪% ଅଭିବୃଦ୍ଧି ଘଟିପାରେ। ୨୦୧୧-୧୨ରେ ଏହା ୨ଲକ୍ଷ ୩୦ ହଜାର କୋଟି ଥିଲା, ଯାହା ୨୦୧୬-୧୭ରେ ୩ଲକ୍ଷ ୨୩ହଜାର କୋଟିରେ ପହଞ୍ଚିଥିଲା।

ସେହିପରି ୨୦୧୭-୧୮ରେ ମୁଣ୍ଡପିଛା ଆୟ (ବର୍ତ୍ତମାନ ମୂଲ୍ୟରେ) ୯୨ ହଜାର ୭୨୭ ଟଙ୍କା ଛୁଇଁପାରେ। ଏହି ମୂଲ୍ୟରେ ହିସାବ କଲେ ଜାତୀୟ ହାର ୧ଲକ୍ଷ ୨୬ ହଜାର ୩୪୯ ଛୁଇଁବ। କିନ୍ତୁ ୨୦୧୧ ମସିହାକୁ ମୂଳ ବର୍ଷ ଭାବେ ନେଇ ବିଚାର କଲେ, ୨୦୧୭-୧୮ ରେ ମୁଣ୍ଡପିଛା ଆୟ ୭୭ ହଜାର ୧୭୩ ଟଙ୍କା ହେବ, ଯାହା ଗତବର୍ଷ ତୁଳନାରେ ୬.୦୬% ଅଧିକ। ଗତବର୍ଷ ଏହି ହାର ୭୨ ହଜାର ୭୮୦ ଥିଲା। ଏହା ସତ୍ତ୍ୱେ ଜାତୀୟ ମୁଣ୍ଡପିଛା ଆୟ ତୁଳନାରେ ଏବେ ବି ଆମେ ପଛରେ ପଡ଼ିଛୁ। ଜାତୀୟ ମୁଣ୍ଡ ପିଛା ଆୟ ରାଜ୍ୟ ମୁଣ୍ଡ ପିଛା ଆୟର ପ୍ରାୟ ୧.୩ ଗୁଣ ବୋଲି ହିସାବ କରାଯାଉଛି। କିନ୍ତୁ ବାସ୍ତବ ମୁଣ୍ଡପିଛା ଆୟ ୨୦୧୭-୧୮ରେ ୬୭ ହଜାର ୫୨୨ ବୋଲି ହିସାବ କରାଯାଉଛି। ଅର୍ଥାତ୍‌ ଏ ହିସାବରେ ମାସକୁ ହାରାହାରି ଜଣେ ଓଡ଼ିଆ ୫ ହଜାର ୬୨୬ ଟଙ୍କା ପାଇବ।

ସେହିପରି ଦାରିଦ୍ର୍ୟ ଦୂରୀକରଣ ଏକଦା ରାଜ୍ୟ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। ଏବେ କିନ୍ତୁ ଦାରିଦ୍ର୍ୟ କମିଛି। ରିପୋର୍ଟରେ କୁହାଯାଇଛି ଯେ ୨୦୦୪-୦୫ (୫୭.୨%) ରୁ ୨୦୧୧-୧୨ (୩୨.୫୯%) ଏହି ୮ ବର୍ଷରେ ପହଞ୍ଚିଛି। ପ୍ରାୟ ୮୨ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ବାର୍ଷିକ ୩.୫୨% ହାରରେ ବାର୍ଷିକ ୨୪.୬୧% ଦାରିଦ୍ର୍ୟ କମିଛି। ସରକାର ଆଶା ଦେଖାଉଛନ୍ତି, ସମ୍ପୂର୍ଣ୍ଣ ଦାରିଦ୍ର୍ୟ ନିରାକରଣ ପାଇଁ ୨୦୩୦ ମସିହାକୁ ଅପେକ୍ଷା କରିବାକୁ ହେବ।

ଉଲ୍ଲେଖନୀୟ କଥା ହେଲା, ଉତ୍ତର ଓଡ଼ିଶାରେ ସବୁଠାରୁ ଅଧିକ ଲୋକ (୩୦.୫୩%) ଦାରିଦ୍ର୍ୟ ସୀମା ରେଖା ଉପରକୁ ଉଠିଛନ୍ତି। ଏହା ପଛକୁ ଦକ୍ଷିଣ ଓଡ଼ିଶା (୨୫.୪୦%) ରହିଛି। ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଉପକୂଳ ସ୍ଥିତି (୧୯.୯୫%) ବେଶ୍‌ ଖରାପ। ସେହିଭଳି ଅନୁସୂଚିତ ଜନଜାତି (୨୦.୮୮%)ଙ୍କ ତୁଳନାରେ ଅନୁସୂଚିତ ଜାତିର ଅଧିକ ଲୋକ (୨୬.୫୧%) ଦାରିଦ୍ର୍ୟ କଷାଘାତରୁ ବର୍ତିଛନ୍ତି। ସରକାର ରିପୋର୍ଟ କରିଛନ୍ତି ଯେ ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ସ୍ଥିତି ଏବେ ବି ଉତ୍କଟ ଅବସ୍ଥାରେ ରହିଛି।

ରିପୋର୍ଟ ସୂଚାଇଛି, ସାଧାରଣ ଖାଉଟିଙ୍କ ମୁଣ୍ଡ ପିଛା ଖର୍ଚ୍ଚରେ ବୃଦ୍ଧି ଘଟିଛି। ୨୦୦୪-୦୫ରେ ଏହା ୪୭୨ ଟଙ୍କା ଥିଲା, ଯାହା ୧୨୧% ବୃଦ୍ଧି ପାଇ ୨୦୧୧-୧୨ରେ ୧୦୪୫ ଟଙ୍କାରେ ପହଞ୍ଚିଛି। ସେହିପରି ସହରାଞ୍ଚଳରେ ହାରାହାରି ମୁଣ୍ଡପିଛା ଖର୍ଚ୍ଚ ୧୩୧.୭% ବୃଦ୍ଧି ପାଇ ୧୮୩୦ ଟଙ୍କା ଛୁଇଁଥିବା ବେଳେ ଗ୍ରାମାଞ୍ଚଳରେ ୧୧୪.୫% ବୃଦ୍ଧି ପାଇ ୯୦୫ ଟଙ୍କା ଛୁଇଁଛି। ୨୦୦୪-୦୫ରେ ସହରାଞ୍ଚଳରେ ଲୋକେ ୭୯୦ ଓ ଗ୍ରାମାଞ୍ଚଳରେ ୪୨୨ଟଙ୍କା ଖର୍ଚ୍ଚ କରୁଥିଲେ।

୨୦୧୬-୧୭ର ଚିତ୍ରକୁ ବିଶ୍ଳେଷଣ କରି ରିପୋର୍ଟ ଦର୍ଶାଇଛି ଯେ ଏବର୍ଷ ୩୯ଲକ୍ଷ ୬୩ ହଜାର ହେକ୍ଟର ଚାଷ ଜମିରେ ୯୮ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ଉତ୍ପାଦନ ହୋଇଛି। ଅର୍ଥାତ୍‌ ହେକ୍ଟର ପିଛା ଉତ୍ପାଦନ ୨୪.୭୨ କ୍ୱିଣ୍ଟାଲକୁ ବଢିଛି। ଶିଶୁମୃତ୍ୟୁହାର ୪୦କୁ ହ୍ରାସ ପାଇଛି ଓ ସରକାରୀ ପ୍ରତିଷ୍ଠାନକୁ ଆଜି ଦିନରେ ୮୫ ପ୍ରତିଶତ ପ୍ରସୂତି ଯାଉଛନ୍ତି। ସରକାର ଲକ୍ଷ୍ୟ ରଖିଛନ୍ତି, ୨୦୧୮ ସୁଦ୍ଧା ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ୩୩ ହଜାର ଲୋକଙ୍କୁ ନିଯୁକ୍ତି ଦେବେ।

ଭିତ୍ତିଭୂମି କ୍ଷେତ୍ରରେ ରିପୋର୍ଟ ସୂଚାଉଛି ଯେ ରାଜ୍ୟରେ ୨୦୧୬-୧୭ ସୁଦ୍ଧା ୫୫୦୯ ମେଗାଓ୍ଵାଟ୍‌ ବିଦ୍ୟୁତ ଉତ୍ପାଦନ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି। ରାଜ୍ୟର ୯୪.୩୭ ପ୍ରତିଶତ ଗାଁରେ ବିଜୁଳି ସଂଯୋଗ ପହଞ୍ଚିଛି। ଜାତୀୟସ୍ତରରେ ପ୍ରତି ହଜାରେ ବର୍ଗ କିଲୋମିଟରରେ ୨୦ କିଲୋମିଟର ରେଳପଥ ଥିବା ବେଳେ ଏ କ୍ଷେତ୍ରରେ ଆଜି ଦିନରେ ବି ଓଡ଼ିଶା ପଛରେ ପଡିଛି। ଏଠାରେ ପ୍ରତି ହଜାରେ ବର୍ଗ କିଲୋମିଟରରେ ମାତ୍ର ୧୬ କିଲୋମିଟର ରେଳଲାଇନ୍‌ ରହିଛି। ସରକାର ଆକଳନ କରିଛନ୍ତି, ୨୦୧୭-୧୮ରେ ରେଳଲାଇନ୍‌ ବିଛାଇବା କ୍ଷେତ୍ରରେ ୧୬ ପ୍ରତିଶତ ଅଗ୍ରଗତି ଘଟିବ। ପ୍ରାଥମିକ ବିଦ୍ୟାଳୟରେ ଡ୍ରପ୍‌ ରାଉଟ୍‌ ରେଟ୍‌ ଖସି ୪.୨%ରେ ପହଞ୍ଚିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଏହା କମିଥିଲେ ବି ୫.୨୧% ରହିଛି। ପ୍ରାଥମିକ ବିଦ୍ୟାଳୟସ୍ତରରେ ପ୍ରତି ୨୪ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ତରରେ ଏହା ୨୩ ରହିିଛି।

ସମ୍ବନ୍ଧିତ ଖବର