କରୋନାକୁ ପାରିଲେନି, ଅର୍ଥନୀତି ବି ଗଲା

ଭୁବନେଶ୍ବର, (ମହମ୍ମଦ ହିଫ୍‌ଜୁର ‌ରହେମାନ୍): ମାର୍ଚ ୨୨ରେ ସଟ୍ ଡାଉନ୍। ପୁଣି ମାର୍ଚ ୨୪ରୁ ଲକ୍ ଡାଉନ୍। ୪ଟି ପର୍ଯ୍ୟାୟରେ ଦେଶବ୍ୟାପୀ ଏହି ଲକ୍ ଡାଉନ୍ ୩୧ ମଇ ଯାଏଁ ଚାଲିଲା। ୧ ଜୁନରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଅନେକ ରାଜ୍ୟରେ ଏବେ ବି ଲକ୍ ଡାଉନ୍/ସଟ୍ ଡାଉନ୍ କଟକଣା ଜାରି ରହିଛି। ବିଶ୍ବ ମହାମ‌ାରୀ କରୋନା ଭାଇରସକୁ ଅଟକାଇବା ଉଦ୍ଦେଶ୍ୟରେ କରାଯାଇଥିବା ଏହିସବୁ କଟକଣା କେତେ କାମ ଦେଲା ତାହାର ତର୍ଜମା କରାଯିବାର ଆବଶ୍ୟକତା ରହିଛି। ମାର୍ଚ ୨୪ ତାରିଖରେ ଲକ୍ ଡାଉନ୍ ଆରମ୍ଭ ହେବା ସମୟରେ ଦେଶରେ କରୋନାରେ ପ୍ରାୟ ୫୦୦ ଲୋକ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସେତେବେଳେ ଅନେକ ଦେଶରେ ଏହା ଭୟଙ୍କର ରୂପ ନେବା ଆରମ୍ଭ କରିସାରିଥିଲା। ଅନେକ ୟୁରୋପୀୟ ରାଷ୍ଟ୍ରରେ ଏହା ତାଣ୍ଡବ ରଚାଇବା ଆରମ୍ଭ କରିଥିଲା। ତେଣୁ ଏହାର ଭୟାବହତାକୁ ଦେଖି ଲୋକେ କଡ଼ାକଡ଼ି ଭାବେ ଲକ୍ ଡାଉନ୍/ସଟ୍ ଡାଉନ୍ କଟକଣା ପାଳନ କଲେ। ଜୀବନ ଓ ଜୀବିକା ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ସମୟରେ ମାନବ ଇତିହାସରେ ସବୁଠାରୁ ଭୟଙ୍କର ଦାଦନ ଶ୍ରମିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଲା। ଏତେ ସମସ୍ୟା ଓ ସଙ୍କଟ ସତ୍ତ୍ବେ କରୋନା ମୁକାବିଲା କରୁ କରୁ ଯେଉଁ ସ୍ଥିତିରେ ଭାରତ ପହଞ୍ଚିଛି ତାହା କଳ୍ପନାରୁ ବାହାରେ। କେହି କେବେ ବି ଚିନ୍ତା କରି ନଥିଲେ ଯେ ଆକ୍ରାନ୍ତ ତାଲିକାରେ ଭାରତ ବିଶ୍ବ‌େର ତୃତୀୟ ସ୍ଥାନରେ ଯାଇ ପହଂଚିବ। ଏବେ ଦୈନିକ ସଂକ୍ରମଣ ହାରରେ ଭାରତ ବିଶ୍ବ‌େର ଏକ ନମ୍ବର। କେବଳ ଏତିକି ନୁହେଁ, ଭାରତ ବର୍ତମାନ ବିଶ୍ବର ହଟ୍ ସ୍ପଟ୍ ଦେଶ ହେବାକୁ ଗଲାଣି। ଆକ୍ରାନ୍ତ ସଂଖ୍ୟା ୩୮ ଲକ୍ଷ ୫୩ ହଜ‌ାରରେ ପହଂଚିଥିବା ବେଳେ ୬୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ବିଶ୍ବ ତାଲିକାରେ କେତେବେଳେ ‌େଯ ଭାରତ ଏକ ନମ୍ବର ହୋଇଯିବ କହିହେବ ନାହିଁ।

କରୋନା ମୁକାବିଲାରେ କେଉଁଠି ତ୍ରୁଟି ରହିଲା ତାହାର ସମୀକ୍ଷା କରିବାର ସମୟ ଆସିଛି। ତେବେ ଏହାଠାରୁ ଆହୁରି ଭୟଙ୍କର ସମସ୍ୟା ଅର୍ଥନୀତି କ୍ଷେତ୍ରରେ ଦେଖାଗଲାଣି। ବିଶ୍ବ ଅର୍ଥନୀତିରେ ସବୁଠାରୁ ଦ୍ରୁତଗତିରେ ବିକାଶ କରୁଥିବା ଏସିଆର ତୃତୀୟ ବୃହତ୍ ଭାରତୀୟ ଅର୍ଥନୀତି ହଠାତ ଭୁଶୁଡ଼ିବା ଆରମ୍ଭ କରିଛି। ଲକ୍ ଡାଉନ୍ ଯୋଗୁଁ ହଜାର ହଜାର ଶିଳ୍ପାନୁଷ୍ଠାନ ବନ୍ଦ ହୋଇଗଲା। ୧୨ କୋଟି ଯୁବକ ବେକାର ହୋଇଗଲେ। ପୁଣି ଏବେ ଜାତୀୟ ଅର୍ଥନୀତିର ସ୍ବାସ୍ଥ୍ୟ ସଂପର୍କରେ କେନ୍ଦ୍ର ସରକାର ଯେଉଁ ରିପୋର୍ଟ ଦେଇଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ। ଲାଗୁଛି ଆମ ଅର୍ଥନୀତି ଆସିୟୁରେ ଭର୍ତି ‌େହାଇଛି। ଜିଡିପି ୨୩.୩ ପ୍ରତିଶତ ସଙ୍କୁଚିତ ହୋଇଯାଇଛି। ଗତ ଏପ୍ରିଲ-ଜୁନ୍ ମାସ ପାଇଁ ଜାରି ହୋଇଥିବା ସରକାରୀ ରିପୋର୍ଟ ମୁତାବକ ନିବେଶ ଠାରୁ ଆରମ୍ଭ କରି ଉତ୍ପାଦନ ଏବଂ ଆର୍ଥିକ ସେବା ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ନିର୍ମାଣ ‌େକ୍ଷତ୍ର ୫୦ ଭାଗ ସଙ୍କୁଚିତ ହୋଇଥିବା ବେଳେ ଉତ୍ପାଦନ କ୍ଷେତ୍ର ୪୦ ଭାଗ, ଇସ୍ପ‌ାତ ୫୬.୮, ସିମେଣ୍ଟ ୩୮.୩, କୋଇଲା ୧୫ ଭାଗ, ଖଣି ୨୨, ବାଣିଜ୍ୟିକ ଯାନ ୮୪.୮ ଭାଗ, ବାଣିଜ୍ୟ-‌େ‌ହ‌ାଟେଲ-ପରିବହନ ଶିଳ୍ପ ୪୭ ଏବଂ ପୁଞ୍ଜି ନିବେଶ ୪୭ ଭାଗ ସଙ୍କୁଚିତ ହୋଇଛି। ଟଙ୍କାରେ ହିସାବ କଲେ ସାମଗ୍ରୀ କ୍ଷେତ୍ରରେ ଏହି ସମୟରେ ୯ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ପୂର୍ବବର୍ଷ ଏହି ସବୁ କ୍ଷେତ୍ରରେ ୪୪.୮ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିବା ବେଳେ ଏଥର ତାହା ୩୫.୬ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି। କେବଳ କୃଷି କ୍ଷେତ୍ରରୁ ସ୍ବାନ୍ତନାମୂଳକ ଖବର ମିଳିଛି। ତାହାହେଲା ଏହି କ୍ଷେତ୍ରରେ ୩.୪ ଭାଗ ଅଭିବୃଦ୍ଧି ଘଟିଛି।

ଏକ ରିପୋର୍ଟ ଅନୁଯାୟୀ ପ୍ରାୟ ୨ କୋଟି ବେତନଭୋଗୀ ଏବଂ ୭୦ ଲକ୍ଷ ରାସ୍ତାକଡ଼ ବେପାରୀ ଏବଂ ନିର୍ମାଣ ଶ୍ରମିକ ବେକାର ହୋଇଯାଇଛନ୍ତି। ବିଶ୍ବ ବ୍ୟାଙ୍କର ଆକଳନ କହୁଛି ‌େଯ ପରିସ୍ଥିତି ଏଭଳି ରହିଲେ ଭାରତ‌େର ୧୨ ନିୟୁତ ଲୋକ ଦାରିଦ୍ର୍ୟ ଭିତରକୁ ଚାଲିଯିବେ। ଭାରତୀୟ ଅର୍ଥନୀତି ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହୁଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ପରିସ୍ଥିତିରେ ସୁଧାର ଆସିବା ଭଳି ମନେ ହେଉନାହିଁ। ପରବର୍ତୀ ତିନି ମାସରେ ମଧ୍ୟ ଏଭଳି ପରିସ୍ଥିତି ଜାରି ରହିବ ଏବଂ ଦେଶ ମାନ୍ଦାବସ୍ଥା ଭିତରକୁ ଚାଲିଯିବାର ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ। ସେମାନଙ୍କ ମତରେ ଉଭୟ କରୋନା ଏବଂ ଅର୍ଥନୀତି କ୍ଷେତ୍ରରେ ସରକାରୀ ପରିଚାଳନା ଠିକ୍ ଭାବେ ହୋଇନାହିଁ। ଭାରତ ତୁଳନାରେ ବ୍ରିଟେନ୍, ଫ୍ରାନ୍ସ, ଇଟାଲି ଓ ଜର୍ମାନୀ ଭଳି ଦେଶ କରୋନା କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସେମାନଙ୍କର ଅର୍ଥନୀତି ଏମିତି ତଳକୁ ଯାଇନାହିଁ। ଏବେ ସମୟ ଅଛି ସରକାର ଅର୍ଥନୀତିଜ୍ଞ ବିଶେଷଜ୍ଞମାନଙ୍କୁ ନେଇ ଏହାର କିପରି ମୁକାବିଲା କରାଯାଇପାରିବ ତାହା ଉପରେ ଚିନ୍ତା କରନ୍ତୁ। ରାଜନୀତି ଅପେକ୍ଷା ଅର୍ଥନୀତିକୁ ଅଧିକ ଗୁରୁତ୍ବ ଦିଆଯିବ‌ାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର