ବଜେଟ୍‌ ଅଙ୍କକଷା ଆରମ୍ଭ : ଓଡ଼ିଶା ଅର୍ଥନୀତି ୨% ସଂକୁଚିତ ହେବ

ଆସନ୍ତା ବର୍ଷ ରାଜ୍ୟ ଅଭିବୃଦ୍ଧି ୭% ରହିବ, ଜିଏସଡିପିର ୨୫%କୁ ବଢ଼ିଯିବ ଋଣ, ବ୍ୟୟ ୧୨ ପ୍ରତିଶତ ବଢ଼ିବ

ଭୁବନେଶ୍ୱର : ଆସନ୍ତା ‌‌ଫେବ୍ରୁଆରି ତୃତୀୟ ସପ୍ତାହରେ ଅର୍ଥମନ୍ତ୍ରୀ ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ତନାଘନା ଓ ଅଙ୍କକଷା ଆରମ୍ଭ ହୋଇଯାଇଛି। ବଜେଟ ବିଧାନସଭାରେ ଠିକ ସମୟରେ ଯେଭଳି ଉପସ୍ଥାପିତ ହେବ ତାହାକୁ ଦୃଷ୍ଟିରେ ରଖି ସମୟ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ମର୍ମରେ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗକୁ ଚିଠି ଲେଖାଯାଇଛି। ଉଭୟ ୨୦୨୦-୨୧ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ଅଟକଳ ଏବଂ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଅଟକଳ ପ୍ରସ୍ତୁତ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।

ସରକାର ବର୍ତ୍ତମାନ ପ୍ରତିକୂଳ ଅର୍ଥନୈତିକ ପରିସ୍ଥିତି ଦେଇ ଗତି କରୁଛନ୍ତି। କରୋନା ମହାମାରୀ ରାଜ୍ୟର ପ୍ରତ୍ୟେକ କ୍ଷେତ୍ର ପ୍ରତି ବଡ଼ ଧରଣର ଆହ୍ବାନ ସୃଷ୍ଟି କରିଛି। ୨୦୨୦ ମାର୍ଚ୍ଚରୁ ରାଜ୍ୟ କରୋନା ମହାମାରୀକୁ ସାମ୍ନା କରୁଛି। ଆଗାମୀ କିଛି ମାସ ପାଇଁ ମଧ୍ୟ ଏହି ମହାମାରୀ ବିରୋଧରେ ଲଢ଼େଇ ଜାରି ରହିବ। ଏହାସତ୍ତ୍ବେ ରାଜ୍ୟରୁ ଦାରିଦ୍ର୍ୟ ହ୍ରାସ କରିବା, କୃଷକଙ୍କ ଆୟ ବୃଦ୍ଧି କରିବା, ସବୁ ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା, ସୁଲଭ ମୂଲ୍ୟରେ ଉତ୍ତମ ମାନର ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା, ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ବରାନ୍ବିତ କରିବା ପାଇଁ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଉତ୍ତମ ମାନର ଶିକ୍ଷା ଏବଂ ଦକ୍ଷତା ବିକାଶ କରିବା, ମହିଳା, ତଫସିଲଭୁକ୍ତ ଜାତି ଓ ଜନଜାତି ଏବଂ ଅନ୍ୟ ଦୁର୍ବଳ ବର୍ଗର ଲୋକମାନେ ଯେଭଳି ଆର୍ଥିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ତାହାକୁ ଅଗ୍ରାଧିକାର ଦେବାକୁ ବିଭାଗ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏଥିସହିତ ସ୍ବଳ୍ପ ମିଆଦୀରେ କୋଭିଡ-୧୯ର ପ୍ରଭାବୀ ମୁକାବିଲା କରିବା, ଲୋକଙ୍କ ଜୀବନ ବଞ୍ଚାଇବା ସହିତ ଲୋକଙ୍କୁ ଜୀବିକା ଯୋଗାଇ ଦେବାକୁ ପ୍ରାଥମିକତା ପ୍ରଦାନ କରାଯିବାକୁ ପରାମର୍ଶ ଦିଆଯାଇଛି।

ଅର୍ଥ ସଚିବ ଅଶୋକ କୁମାର ମୀନା ବିଭିନ୍ନ ବିଭାଗର ସଚିବ ଏବଂ ବିଭାଗୀୟ ମୁଖ୍ୟମାନଙ୍କୁ ଲେଖିଥିବା ଚିଠିରେ ବିଶ୍ବ ସମେତ ଭାରତ ଏବଂ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟ ସଂପର୍କରେ ଉଲ୍ଲେଖ କରିଛନ୍ତି। ୨୦୨୦-୨୧ରେ ବିଶ୍ବ ଅର୍ଥନୀତିର ବିକାଶ ୪.୯ ପ୍ରତିଶତ ସଙ୍କୁଚିତ ହେବ। ୨୦୨୦ର ପ୍ରଥମାର୍ଦ୍ଧରେ ଅର୍ଥନୀତି ଉପରେ କୋଭିଡର ପ୍ରତିକୂଳ ପ୍ରଭାବ ଯାହା ରହିବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା ତାହାର ମାତ୍ରା ଅପେକ୍ଷାକୃତ ଭାବେ ଅଧିକ ରହିବ। ସୁଧାର କ୍ଷୀଣ ହେବ। ୨୦୨୧ରେ ବିଶ୍ବର ଅଭିବୃଦ୍ଧି ୫.୪ ପ୍ରତିଶତ ରହିବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଆକଳନ ଅନୁଯାୟୀ, ଭାରତୀୟ ଅର୍ଥନୀତି ଚଳିତ ଆର୍ଥିକ ବର୍ଷରେ ୪.୫ ପ୍ରତିଶତ ସଂକୁଚିତ ହେବ। ୨୦୨୧-୨୨ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୬ ପ୍ରତିଶତ ରହିବ। ‌ଓଡ଼ିଶାକୁ ଦେଖିଲେ ରାଜ୍ୟର ଅଭିବୃଦ୍ଧି ୨୦୨୦-୨୧ରେ ପ୍ରାୟ ୧ରୁ ୨ ପ୍ରତିଶତ ସଂକୁଚିତ ହେବ। କିନ୍ତୁ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ପ୍ରାୟ ୭ ପ୍ରତିଶତ ରହିବ।

ଆର୍ଥିକ ଅଭିବୃଦ୍ଧି ସଂକୁଚିତ ହେବା କାରଣରୁ ରାଜ୍ୟର ରାଜସ୍ବ ପ୍ରାପ୍ତି ମଧ୍ୟ ବାଧାପ୍ରାପ୍ତ ହେବ। ରାଜ୍ୟ ସରକାରଙ୍କ ନିଜସ୍ବ ଟିକସ ସମେତ କେନ୍ଦ୍ରଠାରୁ ମିଳିବାକୁ ଥିବା ଅଂଶ ଏବଂ ଅନୁଦାନ ଆଦି ମଧ୍ୟ କମିଯିବ।

ରାଜ୍ୟର ରାଜସ୍ବ ଉପରେ ଯେଭଳି ସଟ୍‌ଡାଉନ୍ ଓ ଲକ୍‌ଡାଉନ୍‌ର ପ୍ରଭାବ କମ୍ ରହିବ ସେଥିପାଇଁ ରାଜ୍ୟ ସରକାର କେତେକ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିମଧ୍ୟରେ ରହିଛି ବ୍ୟାଙ୍କ ଆକାଉଣ୍ଟରେ ବ୍ୟବହାର ନହୋଇ ପଡ଼ି ରହିଥିବା ଅର୍ଥର ଉପଯୋଗ ଏବଂ ଖଣି ଲିଜ୍‌ର ନବୀକରଣ କରି ଏକକାଳୀନ ରାଜସ୍ବ ସଂଗ୍ରହ। ଏହି ପଦକ୍ଷେପ ଯୋଗୁଁ ରାଜ୍ୟର ସମ୍ବଳ ଅଭାବକୁ ଅନେକ ମାତ୍ରାରେ ଭରଣା କରାଯାଇ ପାରିଛି। କିନ୍ତୁ ଏକକାଳୀନ ରାଜସ୍ବ ସଂଗ୍ରହକୁ ବାଦ ଦେଲେ ରାଜସ୍ବ ଆଦାୟ ସ୍ଥିତି ଭଲନାହିଁ। କେନ୍ଦ୍ରରୁ ମିଳିବାକୁ ଥିବା ଅର୍ଥ ସମେତ ରାଜ୍ୟର ରାଜସ୍ବ ସଂଗ୍ରହକୁ ବିଚାରକୁ ନେଲେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ରାଜସ୍ବରେ ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ନିଅଣ୍ଟ ଦେଖାଦେବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ତେଣୁ କରୋନା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ଚଳିତବର୍ଷ ଋଣ ଉପରେ ଅଧିକ ମାତ୍ରାରେ ନିର୍ଭର କରିବାକୁ ପଡ଼ିପାରେ।

୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ନିଜସ୍ବ ରାଜସ୍ବ ଆଦାୟ ମଧ୍ୟମ ଧରଣର ରହିବ। କେନ୍ଦ୍ରରୁ ଜିଏସଟି କ୍ଷତିପୂରଣ ରାଶି କେତେ ମିଳିବ ତାହା ଅର୍ଥନୀତିର ପ୍ରଗତି ଉପରେ ନିର୍ଭର କରେ। ଏଥିସହିତ ପଞ୍ଚଦଶ ଅର୍ଥ ଆୟୋଗର ସୁପାରିସ ଅନୁଯାୟୀ ରାଜ୍ୟକୁ କେତେ ସମ୍ବଳ ମିଳିବ ତାହା ମଧ୍ୟ ଅନିଶ୍ଚିତତାରେ ରହିଛି। ଗୋଟିଏ ପଟେ ଆୟରେ ସଂକୋଚନ ହେବାକୁ ଥିବାବେଳେ ଅନ୍ୟପଟେ ଚଳିତ ବର୍ଷର ସଂଶୋଧିତ ଅଟକଳ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟୟ ରାଶି ୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

ଏସବୁ ସତ୍ତ୍ବେ ରାଜ୍ୟ ସରକାରଙ୍କୁ ବିତ୍ତୀୟ ଶୃଙ୍ଖଳା ଏବଂ ବଜେଟ ପରିଚାଳନା (ଏଫଆରବିଏମ) ଆଇନ ୨୦୦୫କୁ ପାଳନ କରିବାକୁ ହେବ। ଏହି ନିୟମ ଅନୁଯାୟୀ ବିତ୍ତୀୟ ନିଅଣ୍ଟକୁ ଜିଏସଡିପିର ୩ ପ୍ରତିଶତରେ ରଖିବାକୁ ହେବ। କୋଭିଡ-୧୯ ପରିଚାଳନା ପାଇଁ ଅଧିକ ଅର୍ଥ ବ୍ୟୟ ହେବାକୁ ଥିବାରୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ବିତ୍ତୀୟ ନିଅଣ୍ଟରେ ୨ ପ୍ରତିଶତ କୋହଳ ପାଇଁ ଅନୁମତି ଦେଇଛନ୍ତି। ଫଳରେ ୨୦୨୦-୨୧ ପାଇଁ ରାଜ୍ୟର ଋଣ ଜିଏସଡିପିର ୩ ପ୍ରତିଶତରୁ ୫ ପ୍ରତିଶତକୁ ବୃଦ୍ଧି ପାଇପାରିବ। ‌ତେବେ ଏଥିପାଇଁ ରାଜ୍ୟକୁ ୪ଟି ସଂସ୍କାର ପାଳନ କରିବା ପାଇଁ କୁହାଯାଇଛି। ‌ରାଜ୍ୟ ସରକାର ଏହାକୁ ପାଳନ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି।

ଏସବୁକୁ ଦେଖି ରାଜ୍ୟ ସରକାର ୨୦୨୦-୨୧ର ସଂଶୋଧିତ ଅଟକଳ ଏବଂ ୨୦୨୧-୨୨ର ବଜେଟ ଅଟକଳ ନିମ୍ନମତେ ଧାର୍ଯ୍ୟ କରିଛନ୍ତି। ୨୦୨୦-୨୧ ସଂଶୋଧିତ ଅଟକଳରେ ବଜେଟ ରାଜସ୍ବ ବଳକା ହେବ। ବିତ୍ତୀୟ ନିଅଣ୍ଟ ଜିଏସଡିପିର ୩.୫ ପ୍ରତିଶତକୁ ବୃଦ୍ଧି ପାଇବ। ୨୦୨୦-୨୧ ବଜେଟ ଅଟକଳ ଅନୁସାରେ ରାଜ୍ୟର ଋଣ ପରିମାଣ ଜିଏସଡିପିର ୧୮.୯୯ ପ୍ରତିଶତ ରହିଥିବାବେଳେ ସଂଶୋଧିତ ଅଟକଳରେ ଏହା ୨୫ ପ୍ରତିଶତ ପର୍ଯ୍ୟନ୍ତ ଏବଂ ୨୦୨୧-୨୨ ବଜେଟ ଅଟକଳରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରଖିବା ନେଇ ହିସାବ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବ୍ୟୟ ଅଟକଳକୁ ଡିସେମ୍ବର ୧୫ ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ବିଭାଗର ପ୍ରଶାସନିକ ବ୍ୟୟ ଓ କାର୍ଯ୍ୟକ୍ରମ ‌ବ୍ୟୟ କେତେ ରହିବ ଏବଂ ତାହାକୁ କିଭଳି ପ୍ରସ୍ତୁତ କରାଯିବ ସେ ନେଇ ମାର୍ଗଦର୍ଶିକା ଅର୍ଥ ବିଭାଗ ପକ୍ଷରୁ ବିଭାଗଗୁଡ଼ିକୁ ଦିଆଯାଇଛି।

ସମ୍ବନ୍ଧିତ ଖବର